ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଶା ଲାଇଭ୍ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ

logobijuଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଶାର ପ୍ରଥମ ୱେବ୍ ଚ୍ୟାନେଲ “ଓଡ଼ିଶା ଲାଇଭ୍” ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜୁବାବୁଙ୍କ ଜନ୍ମଦିନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୦୩ ତାରିଖ ଗୁରୁବାର ଦିନ ଆୟୋଜିତ ହେବାକୁ ଥିବା “ଟ୍ରିବ୍ୟୁଟ୍ ଟୁ ଏ ଲିଜେଣ୍ଡ୍” ଅବସରରେ ଏହି ଶତାଦ୍ଦୀର ବାର୍ତାବହଙ୍କ ଉପରେ ଏକ ୱେବ୍ସାଇଟ୍ ତଥା ସ୍ୱତନ୍ତ୍ର କ୍ୟାଲେଣ୍ଡର ଉନ୍ମୋଚିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଯୋଗ ଦେଇ ଓଡ଼ିଶା ଲାଇଭ୍ ମିଡିଆର ଏହି ପୂଜ୍ୟପୂଜା ସମାରୋହର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି ।
“ଓଡ଼ିଶା ଲାଇଭ୍’’ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ମହାନ୍ ରାଜନେତାଙ୍କ ଜୀବନୀ ଓ ବିଚାରଧାରାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପରିଚିତ କରିବା ପାଇଁ ଡିଜିଟାଲ୍ ମିଡିଆକୁ ପ୍ରମୁଖ ମାଧ୍ୟମ ହିସାବରେ ଗ୍ରହଣ କରୁଛି । ତେଣୁ ଏହି ଅବସରରେ ଅନୁଷ୍ଠାନ ତରଫରୁ ଡବ୍ଲୁଡବ୍ଲୁଡବ୍ଲୁ.ବିଜୁପଟ୍ଟନାୟକ.ଓଆର୍ଜି ୱେବ୍ସାଇଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ବିଜୁବାବୁଙ୍କ ଜୀବନୀ ସଂପର୍କିତ ପ୍ରବନ୍ଧ, ସ୍ମୃତିଲିପି, ଫଟୋଚିତ୍ର ଏବଂ ଭିଡିଓ ଆଦି ସ୍ଥାନ ପାଇବ । “ଏହି ଉଦ୍ୟମକୁ ଅଧିକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଡିଜିଟାଲ୍ ମିଡିଆକୁ ବଛାଯିବା ସହ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାମାନ ପ୍ରସ୍ତୁତ କରାଯାଇଛି ବୋଲି “ଓଡ଼ିଶା ଲାଇଭ୍”ର ସମ୍ପାଦକ ତଥା ନିଦେ୍ର୍ଦଶକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି । ଏହା ବିଜୁବାବୁଙ୍କ ଉପରେ ପ୍ରଥମ ବିଧିବଦ୍ଧ ଡିଜିଟାଲ୍ ପ୍ଲାଟଫର୍ମ ହୋଇଥିବାରୁ ଏହା ମାଧ୍ୟମରେ ଏହି ଜନନେତାଙ୍କୁ ସାରା ପୃଥିବୀରେ ପରିଚିତ କରାଇବା ପାଇଁ “ଓଡ଼ିଶା ଲାଇଭ୍”ର ଏହା ଏକ ସଫଳ ପ୍ରୟାସ ବୋଲି ସେ କହିଛନ୍ତି ।
ମାର୍ଚ୍ଚ ୩ ତାରିଖ “ଓଡ଼ିଶା ଲାଇଭ୍ ବିଜୁ ଜନ୍ମ ଶତବାର୍ଷିକୀ କନ୍କ୍ଲେଭ୍” ଅବସରରେ ବିଜୁବାବୁଙ୍କ ଉପରେ ଆଧାରିତ ବିରଳ ଫଟୋଗ୍ରାଫ୍ଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ପ୍ରକାଶ ପାଇବ । ସେହିପରି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ତୂଳୀ ମାଧ୍ୟମରେ ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିବା ପାଇଁ “ଓଡ଼ିଶା ଲାଇଭ୍” ପକ୍ଷରୁ ଆଉ ଏକ ପ୍ରୟାସ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାର ଶୁଭ ଉନ୍ମୋଚନ କରିବେ ।
ମାର୍ଚ୍ଚ ୩ ତାରିଖ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛି ବିଜୁବାବୁଙ୍କ ବ୍ୟକ୍ତିତ୍ୱ ଓ ବିଚାରଧାରା ଉପରେ ବିଶେଷ ଆଲୋଚନା । ଏଥିରେ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ସାମ୍ବାଦିକ, ରାଜନୀତି ବିଶ୍ଳେଷକ, ରାଜନୀତି ବିଜ୍ଞାନୀ, ସମାଜକର୍ମୀ ତଥା ବରିଷ୍ଠ ରାଜନେତା ଅଂଶଗ୍ରହଣ କରିବେ ବୋଲି “ଓଡ଼ିଶା ଲାଇଭ୍” ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ପ୍ରତି ସାଧାରଣ ଜନତା ଶ୍ରଦ୍ଧାସୁମନ ଅର୍ପଣ କରିବା ପାଇଁ ମାର୍ଚ୍ଚ ୫ ତାରିଖ ସକାଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ “ଓଡ଼ିଶା ଲାଇଭ୍” ତରଫରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି ବୋଲି ସମ୍ପାଦକ ତଥା ନିଦେ୍ର୍ଦଶକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି ।

Share in top social networks!