ସୃଜନ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟର ଅନନ୍ୟ ପରିବେଷଣ କୁବଜା

srjanରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟବର୍ଷା ସୃଜନ ଅନୁଷ୍ଠାନ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତି ଥିଲା ଗଣେଶ ବନ୍ଦନା “ବିନାୟକ ସ୍ମରଣମ୍” । ପରେ ପରେ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଧୃତ ଅଷ୍ଟପଦି “ରାସେ ହରିମିହ” ଯାହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର । ଅନୁଷ୍ଠାନର ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ “କୁବଜା” ।

ଶ୍ରୀକୃଷ୍ଣଙ୍କର ଲୀଳାବଳୀରେ ଏକ ସ୍ବତନ୍ତ୍ର ସ୍ଥାନ ବହନ କରୁଥିବା ଚରିତ୍ର ହେଉଛନ୍ତି କୁବଜା । ଅଙ୍ଗରାଗ ଦେଇ କୃଷ୍ଣଙ୍କର ତନୁର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥିବା କୁବଜା କୃଷ୍ଣଙ୍କର ମହିମାରେ ପାଲଟିଥିଲେ ଅନିନ୍ଦ୍ୟ ସୁନ୍ଦରୀ ଏବଂ ପରିଶେଷରେ ଲାଭ କରିଥିଲା କୃଷ୍ଣଙ୍କର ଦିବ୍ୟପ୍ରେମକୁ । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ୍ ।

ନୃତ୍ୟ ସଂରଚନା କରିଥିଲେ ଶ୍ରୀ ନିତ୍ୟାନନ୍ଦ ମିଶ୍ର ଏବଂ ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର । ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଶା ରାଜସ୍ବ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ, ହୋଟେଲ ମେ ଫେୟା ଭୁବନେଶ୍ବରର ଶ୍ରୀଯୁକ୍ତ ସୋଭାଗ୍ୟ ମହାପାତ୍ର ଏବଂ ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଇଂ. ଶ୍ରୀନିବାସ ଘଟୁଆରୀ ।

Share in top social networks!