ରେଳ ବଜେଟ୍ ଯୁଗାନ୍ତକାରୀ ଓ ସର୍ବକାଳୀନ ରେକର୍ଡ : ବସନ୍ତ ପଣ୍ଡା

12718390_1683714978512179_2322565068275954315_nସୁରକ୍ଷା, ସୁବିଧା ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇ ପ୍ରସ୍ତୁତ ହୋଇଥିବା ରେଳ ବଜେଟ୍ ୨୦୧୬-୧୭କୁ ଏକ ଯୁଗାନ୍ତକାରୀ ବଜେଟ୍ ବୋଲି ବର୍ଣ୍ଣନା କରି ଏଥିରେ ଓଡିଶା ପାଇଁ ମଂଜୁର ହୋଇଥିବା ଅର୍ଥ ୪ ହଜାର ୬ ଶହ ୮୨ କୋଟି ଟଙ୍କାକୁ ଏକ ସର୍ବକାଳୀନ ରେକର୍ଡ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ଇସ୍ତିହାରରେ ଶ୍ରୀ ପଣ୍ଡା କହିଛନ୍ତିଯେ, ୟୁପିଏ ସରକାର ଶାସନ ସମୟରେ ଓଡିଶା ସଂପୂର୍ଣ୍ଣ ଅବହେଳିତ ଓ ଉପେକ୍ଷିତ ହୋଇ ରହିଥିଲା । ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ୨୦୧୩-୧୪ବର୍ଷ ରେଳ ବଜେଟ୍ରେ ଓଡିଶାକୁ ୟୁପିଏ ସରକାର ମାତ୍ର ୭୬୪ କୋଟି ଟଙ୍କା ଦେଇଥିଲେ ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଏହି ପରିମାଣକୁ ପ୍ରାୟ ଦୁଇଗୁଣା ବୃଦ୍ଧି କରାଯାଇ ୨୦୧୪-୧୫ ବର୍ଷରେ ୧୩୬୦ କୋଟି କରାଗଲା । ସେହିପରି ୨୦୧୫-୧୬ ବର୍ଷରେ ଏହା ପ୍ରାୟ ୩ ଗୁଣ ବୃଦ୍ଧି କରି ୩୭୫୯ କୋଟି ଟଙ୍କା ଦିଆଯାଇଥିଲା । ଚଳିତବର୍ଷ କେବଳଯେ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି ତାହା ନୁହେଁ, ଏହା ସଙ୍ଗେ ସଙ୍ଗେ ରାଜ୍ୟର ଅନଗ୍ରସର ଜିଲ୍ଲାରେ ନୂଆ ରେଳ ଲାଇନ୍ ପାଇଁ ମଧ୍ୟ ବ୍ୟୟ ବରାଦ ହୋଇଛି । ଜୟପୁର-ନବରଙ୍ଗପୁର , ଜୟପୁର-ମାଲକାନଗିରି, ବନ୍ଧମୁଣ୍ଡା-ରାଉରକେଲା ଏବଂ ନାରାୟଣଗଡ-ଭଦ୍ରକ ନୂଆ ଲାଇନ ଏଥିରେ ଅନ୍ତର୍ଭୂକ୍ତ । ସେହିପରି ପୁରୀ ରେଳ ଷ୍ଟେସନର ସୈାନ୍ଦର୍ଯ୍ୟକରଣ ପାଇଁ ଚଳିତ ବଜେଟ୍ରେ ଅର୍ଥ ଆବଣ୍ଟନ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଧନ୍ୟବାଦ୍ ଜଣାଇଛନ୍ତି ।
ଚଳିତ ବର୍ଷ ରେଳ ବଜେଟ୍ରେ ବରିଷ୍ଠ ନାଗରିକ, ମହିଳା, ଶିଶୁ ଏବଂ ଆର୍ଥିକ ଦୁର୍ବଳଶ୍ରେଣୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସାଧାରଣ ଯାତ୍ରୀଙ୍କୁ ଧ୍ୟାନରେ ରଖି ଅନ୍ତୋଦ୍ୱୟ ଓ ଦିନଦୟାଲ ରେଳ ପ୍ରଚଳନର ପ୍ରସ୍ତାବ ଥିବାରୁ ଏହା ବାସ୍ତବରେ ଜନହିତକାରୀ ବଜେଟ୍ ବୋଲି ଶ୍ରୀ ପଣ୍ଡା ବର୍ଣ୍ଣନା କରିଛନ୍ତି । କୁଲି ଶବ୍ଦକୁ ଉଚ୍ଛେଦ କରି ତାହା ବଦଳରେ ସହାୟକ ଶବ୍ଦକୁ ବ୍ୟବହାର କରିବାର ପ୍ରସ୍ତାବ ମଧ୍ୟ ବହୁତ ପ୍ରଶଂସନୀୟ । ଓଡିଶାର ୨ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଆବଶ୍ୟକତା ସଂପର୍କରେ ପ୍ରାଞ୍ଜଳ ଭାବେ ଅବଗତ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନୋଜ ସିହ୍ନାଙ୍କୁ ଓଡିଶା ଆଣି ପ୍ରକଳ୍ପ ଗୁଡିକର ଆବଶ୍ୟକତା ସଂପର୍କରେ ଅବଗତ କରାଇବା ସହ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଦାବୀ କରିଥିଲେ । ଏହିପରି ନିଷ୍ଠାପର ପ୍ରଚେଷ୍ଟା ପାଇଁ ଶ୍ରୀ ପଣ୍ଡା ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଯୁଗାନ୍ତକାରି ରେଳ ବଜେଟ୍ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦିଙ୍କୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!