ରେଳ ବଜେଟରେ ଓଡିଶାକୁ ଉପଯୁକ୍ତ ଗୁରୁତ୍ୱ ମିଳିଛି – ଧର୍ମେନ୍ଦ୍ର ପ୍ରଧାନ

12745421_966080776808835_2302724463139752461_n୨୦୧୬-୧୭ ରେଳ ବଜେଟରେ ଓଡିଶାରେ ରେଳ ବିକାଶ ପାଇଁ ସର୍ବକାଳୀନ ରେକର୍ଡ ପାଖାପାଖି ପାଂଚ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀସୁରେଶ ପ୍ରଭୁଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଯାତ୍ରୀ ଭଡା ବୃଦ୍ଧି ନ କରି ଯାତ୍ରୀ ମାନଙ୍କୁ ଅଧିକ ସୁବିଧା ସୁଯୋଗର ବ୍ୟବସ୍ଥା, ଦେଶର ବିଭିନ୍ନ ଭାଗରେ ମାଲ ପରିବହନ ପାଇଁ ସ୍ୱତନ୍ତ୍ର ରେଳ ଲାଇନ ବ୍ୟବସ୍ଥା ତଥା ପୂର୍ବ ଭାରତ, ପୂର୍ବୋତର ଭାରତ ଏବଂ ଜାମ୍ମୁ- କାଶ୍ମୀରରେ ରେଳ ବିକାଶ ପ୍ରତି ଗୁରୁତ୍ୱ ଏହି ବଜେଟରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପୂର୍ବ ଭାରତର ରେଳ ବିକାଶ ପ୍ରକ୍ରିୟାରେ ଓଡିଶାକୁ ବିଶେଷ ଲାଭ ମିଳି ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦୁଇଟି ବିଶେଷ ମାଲ ପରିବହନ କରିଡର ଖଡଗପୁରରୁ ବିଜୟବାଡା ଓ ଖଡଗପୁରରୁ ମୁମ୍ବାଇ ଓଡିଶା ଦେଇ ଯିବା କାରଣରୁ ରାଜ୍ୟକୁ ଏହାର ଲାଭ ମିଳିବ । ଅସମାପ୍ତ ଲାଇନ କାମକୁ ସମ୍ପୂର୍ଣ କରିବା, ଲାଇନ ଗୁଡିକର ଦୋହରୀକରଣ, ବିଦ୍ୟୁତିକରଣ ତଥା ନୂଆ ଲାଇନ ପ୍ରତିଷ୍ଠାପାଇଁ ଓଡିଶାକୁ ଆଶାନୁରୂପ ଅର୍ଥ ବଜେଟରେ ଧ୍ୟାର୍ଯ୍ୟ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଯାତ୍ରୀ ମାନଙ୍କର ଆନୁଷଙ୍ଗିକ ସୁବିଧା ଏବଂ ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ନିର୍ଧାରିତ ଷ୍ଟେସନ ମାନଙ୍କ ମଧ୍ୟରେ ରାଜ୍ୟର ପ୍ରମୁଖ ଧାର୍ମିକ ଧାମ ପୁରୀ ଷ୍ଟେସନକୁ ସାମିଲ କରାଯାଇଥିବାରୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ସାଧାରଣ ଲୋକଙ୍କ ପାଇଁ ସମର୍ପିତ ଓ ଦେଶରେ ବିକାଶର ଦୌଡରେ ପଛରେ ଥିବା ଓଡିଶାଭଳି ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଇ ଆସୁଥିବା ସୁରେଶ ପ୍ରଭୁଙ୍କର ଏହି ରେଳ ବଜେଟ ପୁଣି ପ୍ରମାଣିତ କରିଛି ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।

Share in top social networks!