ଓଡିଶାର ପ୍ରଥମ ଭାଷା ପାଠାଗାର ଉନ୍ମୋଚିତ

pathagaraଶାସ୍ତ୍ରୀୟ ଓଡିଆଭାଷାର ଭିତ୍ତି ଓ ଭବିଷ୍ୟତ ନିର୍ଣ୍ଣୟ କରିବାକୁ ହେଲେ ଏକ ଉନ୍ନତ ଗବେଷଣାଭିତ୍ତି ପାଠାଗାରର ଆବଶ୍ୟକତା ଅଛି ବୋଲି ଆଇନ ଓ ପଞ୍ଚାୟତିରାଜମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି । ଓଡିଆ ଅଧ୍ୟୟନଓ ଗବେଷଣା ସଂସ୍ଥା ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଓଡିଶାର ପ୍ରଥମ ଭାଷାଭିତ୍ତିକ ପାଠାଗାରକୁ ଉନ୍ମୋଚନ କରିବା ଅବସରରେ ଶାସ୍ତ୍ରୀୟମାନ୍ୟତାପାଇଁ ଏହି ଅନୁଷ୍ଠାନ କରିଥିବା କାର୍ଯ୍ୟ ଓ ଶାସ୍ତ୍ରୀୟ ପରବର୍ତ୍ତୀ କାର୍ଯ୍ୟକୁ ଭୂୟସୀ ପ୍ରସଂସା କରିବା ସହିତ କେବଳ କଥାରେ ନୁହେଁ ଁବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗଠନମୂଳକ ପଦକ୍ଷେପ ନେଇ ଏହା ପ୍ରମାଣ କରିପାରିଛି । ଖୁବ ଅଳ୍ପ ଦିନର ଏହି ସଂସ୍ଥା ଓଡିଆଭାଷା ସଂପର୍କୀତ ନିଜର ପ୍ରତିବଦ୍ଧତାକୁ ଦର୍ଶାଇବା ତଥା ଭାଷା ଗବେଷଣା କ୍ଷେତ୍ରରେ ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିବାକୁ ଯାଇ ଓଡିଆଭାଷା, ସାହିତ୍ୟ ଓ ଓଡିଶାର ଇତିହାସ ସଂସ୍କୃତି ଉପରେ ହୋଇଥିବା ବିଭିନ୍ନ ଗବେଷଣାତ୍ମକ ଗ୍ରନ୍ଥକୁ ଏକାଠି କରି ଏକ ଲାଇବ୍ରେରୀର ରୂପ ଦେବା ଏହାର ସଫଳ ଦୃଷ୍ଟାନ୍ତ ବୋଲି ମନ୍ତ୍ରୀ ଡକ୍ଟର ସାହୁ କହିଥିଲେ । ସେହିଭଳି ପାଠାଗାର ଉନ୍ମୋଚନ ଉତ୍ସବର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଣଶିକ୍ଷା ତଥା ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ପ୍ରଫେସର ନଟବର ଏଚ୍ଛପଥିଙ୍କଦ୍ୱାରା ପ୍ରସ୍ତୁତ ଓଡିଆଭାଷାର ବୃହତ ଅଭିଧାନ ଶବ୍ଦସିନ୍ଧୁ ଅନାବରଣ କରି କହିଥିଲେ ଯେ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷଣା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହାର ସହଯୋଗୀ ସଂସ୍ଥା ଆଇ ଏ ଏସ ପଥି ଦ୍ୱାରା ଓଡିଆ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେବା ତଥା ସେମାନଙ୍କପାଇଁ ଉଚ୍ଚକୋଟ୍ଟୀର ପାଠ୍ୟପୁସ୍ତକ ପ୍ରସ୍ତୁତ କରି ଓଡିଆଭାଷା ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବାର ଯେଉଁ ପଦକ୍ଷେପ ନେଉଛି, ତାହା ବାସ୍ତବରେ ଓଡିଆଭାଷାପାଇଁ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କପାଇଁ ଉଦାହରଣ ସୃଷ୍ଟି କରିଛି । ରାଜ୍ୟ ସରକାର ଖୁବ ଶୀଘ୍ର ଏହି ଅନୁଷ୍ଠାନର ସ୍ୱପ୍ନ ପୂରଣ କରିବାକୁ ଯାଇ ଏକ ଗବେଷଣାଭିତ୍ତିକ ପୂର୍ଣ୍ଣାଙ୍ଗ ଓଡିଆଭାଷା ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ସେ କହିଥିଲେ ।
ଆଜି ପୂର୍ବାହ୍ଣରେ ସହୀଦ ନଗରର ଆଇ ଏ ଏସ ପଥି କାର୍ଯ୍ୟାଳୟରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ଆୟୋଜିତ ତଥା ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟର ପ୍ରଥମ ଭାଷା ଭାଷା ପାଠାଗାର ଉଦଘାଟନ ଉତ୍ସବରେ ବିଜୁପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି, ଭାରତ ସରକାରଙ୍କ ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ବ୍ରଜେନ୍ଦ୍ରପ୍ରସାଦ ଦାସ, ଡକ୍ଟର ସିପ୍ରା ମଲ୍ଲିକ, ଡକ୍ଟର ସୁବ୍ରତ ପୃଷ୍ଟି, ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା, ନିର୍ମଳକାନ୍ତ ମହାନ୍ତି, ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥରବାବେଳେ ଭାଷା ଗବେଷିକା ଶର୍ମିଷ୍ଠା ମହାପାତ୍ର ଓ କ୍ରିଷ୍ଣା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!