ମୁଖ୍ୟମନ୍ତ୍ରୀ ଅଯଥା ବିଭ୍ରାନ୍ତ କରୁଛନ୍ତି – ବିଜେପି

bjppujariଗତ ଗୁରୁବାର ଦିନ ଜୁନାଗଡ଼ରେ ଆୟୋଜିତ ଚାଷୀ ସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁପିଏଠାରୁ ଏନ୍ଡିଏ ଅଧିକ କଠୋର ବୋଲି କହିବା ଅତ୍ୟନ୍ତ ବିଭ୍ରାନ୍ତିକର,ଦୁର୍ଭାଗ୍ୟଜନକ ଓ ସତ୍ୟର ଅପଳାପ ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ପ୍ରେସ୍ ଇସ୍ତାହାରରେ ରାଜ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ୍ ଶର୍ମା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଏକ ପ୍ରତିଶତ ବି ତଥ୍ୟଭିତିକ ନୁହେଁ ।

ରାଜ୍ୟରେ ଦେଖା ଦେଇଥିବା ମରୁଡି ଓ ଅନାବୃଷ୍ଟି ସହ ବିଭିନ୍ନ ସମସ୍ୟାରେ କେନ୍ଦ୍ର ସରକାର ଅତ୍ୟନ୍ତ ସମ୍ବେଦନଶୀଳ । ଏଥିପାଇଁ ଆଗୁଆ ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଇ ସ୍ଥିତି ଆକଳନ କରିବା ସହିତ ସହାୟତା ପାଇଁ ହାତ ବଢାଇଛନ୍ତି । ମାତ୍ର ବିନିଯୋଗରେ ରାଜ୍ୟ ସରକାରଙ୍କ ଦକ୍ଷତାର ଅଭାବରୁ କେନ୍ଦ୍ର ଦେଇଥିବା ଅର୍ଥର କିଛି ହିସାବ ରହୁନାହିଁ । ବର୍ତ୍ତମାନର ମୋଦି ସରକାର ଖୋଲା ସହାୟତା ଯୋଗାଇ ଦେବା ସହିତ ଖର୍ଚ୍ଚ ହେଉଥିବା ଗୋଟିଏ ଗୋଟିଏ ପଇସାର ସଠିକ୍ ହିସାବ ରାଜ୍ୟକୁ ମାଗୁଥିବାରୁ ରାଜ୍ୟ ସରକାର ବିବ୍ରତ ହୋଇପଡିଛନ୍ତି । ସେମିତି କେନ୍ଦ୍ରୀୟ ଯୋଜନା ଗୁଡିକୁ ଆଖିବୁଜି ଏଠାରେ ଆମ ଯୋଜନା କହି ମୁଖ୍ୟମନ୍ତ୍ରୀ ନିଜ ଫଟୋ ଲଗାଇ ଯେଉଁପରି ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ ବର୍ତ୍ତମାନ ତାହା ଆଉ ସଂଭବ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ବିଚଳିତ ହୋଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିନା କାରଣରେ ସମାଲୋଚନା କରୁଛନ୍ତି ବୋଲି ଶ୍ରୀ ଶର୍ମା ମତ ଦେଇଛନ୍ତି ।

Share in top social networks!