ଅଶୋଧିତ ତୈଳ ଉପରେ ସେସ୍ ଟିକସ ଘରୋଇ ଉତ୍ପାଦକଙ୍କ ପାଇଁ ହାନିକାରକ ହେବ: କାଇରନ୍

କେନ୍ଦ୍ର ସରକାର ଚଳିତ ମାସରେ ଆର୍ଥିକ ବଜେଟ୍ର ଉପସ୍ଥାପନ କରିବାକୁ ଯାଉଛନ୍ତି । ବିଗତ ଦିନରେ ଦେଶର ଶକ୍ତି ସଂଚରଣ କ୍ଷେତ୍ରରେ ନିବେଶ ଧାରା ଅବ୍ୟାହତ ରହିଥିବାବେଳେ ଏହାର ସଫଳତା ନେଇ ଚିନ୍ତା ପ୍ରକଟ ହୋଇଛି । କାରଣ ଶକ୍ତି କ୍ଷେତ୍ରର ବିକାଶ ଧାରା ଉତ୍ଖନନଏବଂ ଉତ୍ପାଦନ (ଇ ଆଣ୍ଡ୍ ପି) ଗତିବିଧି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ଭାରତର ଅଗ୍ରଣୀ ଅଶୋଧିତ ତୈଳ କମ୍ପାନି କାଇରନ୍ ଇଣ୍ଡିଆ ଲିଃ.ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଗାମୀ ବଜେଟ୍ ନେଇ ଚିନ୍ତା ପ୍ରକଟ କରାଯାଇଛି । କମ୍ପାନି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଅନୁସାରେ ଆମଦାନି ହେଉଥିବା ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗା ଯାଉଥିବା ଅତିରିକ୍ତ ଟିକସ ସେସ୍(ଉପକର) ଦେଶର ଘରୋଇ କ୍ଷେତ୍ରର ବିଭିନ୍ନ ଉଦ୍ୟୋଗ ଗୁଡିକ ପାଇଁ ବିଶେଷ କ୍ଷତିକାରକ ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଦେଶର ସୁସ୍ଥ ଆର୍ଥିକ ସ୍ଥିତି ସୃଷ୍ଟି ଉପରେ ଆର୍ନ୍ତଜାତୀୟ ବଜାରର ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପ୍ରଭାବ ପକାଉଥିବାବେଳେ ଏହାର ଫାଇଦା ଘରୋଇ କ୍ଷେତ୍ରର କମ୍ପାନି ଗୁଡିକର ପକେଟକୁ ଯାଇ ପାରୁନାହିଁ । କାରଣ କେନ୍ଦ୍ର ସରକାରଙ୍କର ଅଦୂରଦର୍ଶୀ ଟିକସ ପ୍ରଣାଳୀ ସେସ୍ ଏହି କମ୍ପାନି ଗୁଡିକର ପ୍ରଗତି ପଥରେ ବାଧକ ସାଜିଛି । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ପରିବର୍ତ୍ତିତ ମୂଲ୍ୟ ସୂଚୀ ଦେଶର ଘରେଇ କ୍ଷେତ୍ରୀୟ କମ୍ପାନିଙ୍କୁ ବିଶେଷ ପ୍ରଭାବିତ କରିଥାଏ । ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ କମ୍ପାନିର ଅଭିବୃଦ୍ଧି ହାରକୁ ପ୍ରଭାବିତ କରିଥିବାବେଳେ କାଇରନ୍ ପକ୍ଷରୁ ଏନେଇ ସରକାରଙ୍କ ସହିତ ଅଏଲ ତଥା ଗ୍ୟାସ୍ ଶିଳ୍ପର ସମସ୍ୟା ନେଇ ବିଚାର ବିମର୍ଷ ଜାରି ରଖାଯାଇଛି । ସେସ୍ ଭଳି ଉତ୍ପାଦନ କର ଦେଶର ଘରୋଇ କମ୍ପାନିଙ୍କ ଉପରେ କ୍ରମାଗତ ଆର୍ଥିକ ବୋଝ ବୃଦ୍ଧି କରିଚାଳିଛି । ୨୦୦୬ରେ ସେସ୍ର ପରିମାଣକୁ ବ୍ୟାରେଲ୍ ପିଛା ୧୮୦୦ ଟଙ୍କାରୁ ୨୫୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଏହି ସମୟରେ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ମୂଲ୍ୟ ୩୫ ଡଲାରରୁ ୬୫ ଡଲାରରେ ପହଞ୍ଚିଥିଲା । ୨୦୧୨-୧୩ ଆର୍ଥିକ ବର୍ଷ ବଜେଟରେ ସେସ୍ ପରିମାଣ ଟନ୍ ପିଛା ୪୫୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହି ସମୟରେ ଅର୍ନ୍ତଜାତୀୟ ବଜାରରେ ଅଶୋଧବତ ତୈଳ ମୂଲ୍ୟ ୧୦୦ଡଲାର୍ ଟପିଥିଲା । ଭାରତରେ ୯୫% ତୈଳ ଉତ୍ପାଦନ ଏନ୍ଇଏଲ୍ପି ବ୍ଲକ୍ ଦ୍ୱାରା ସମ୍ପାଦିତ ହୋଇଥାଏ ଏପରିସ୍ଥଳେ ଉତ୍ପାଦନ ଶୁଳ୍କ ସେସ୍ ଦର ଅଶୋଧିତ ତୈଳ ମୂଲ୍ୟର ପ୍ରାୟ ୩୦% ରହିଛି ଫଳରେ ଏହି କ୍ଷେତ୍ରରେ କାର୍ଯ୍ୟଧାରା ଜାରି ରଖିଥିବା ତୈଳ କମ୍ପାନି ଗୁଡିକର କ୍ଷତିର ବୋଝ କ୍ରମଶଃ ବୃଦ୍ଧି ହେବାଯୋଗୁ ସେମାନଙ୍କର ଆର୍ଥିକ ମାନଦଣ୍ଡ ପ୍ରଭାବିତ ହେବାରେ ଲାଗିଛି । ତେଣୁ ଆଗାମୀ ବଜେଟ୍ ଉପସ୍ଥାପନରେ କେନ୍ଦ୍ର ସରକାର ଘରୋଇ କମ୍ପାନି ଗୁଡିକର ଆର୍ଥିକ ସ୍ଥିତିକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କାଇରନ୍ ପକ୍ଷରୁ କୁହାଯାଇଛି ।

Share in top social networks!