ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟରେ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ସ୍ମାରକ ପତ୍ର

paswanରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ନିଷ୍ଠାର ସହିତ ପାଳନ କରିବା ଉଚିତ୍ । ରାଜ୍ୟ ସରକାର ବିହିତ ପଦକ୍ଷେପ ନେଇ ଚାଷୀଙ୍କଠାରୁ ସଠିକ ସମୟରେ ଖାଦ୍ୟ ଶସ୍ୟ ସଂଗ୍ରହ କରି ସଠିକ୍ ମୂଲ୍ୟ ଦେଉ । ଏସମସ୍ତ ଦାବୀକୁ ନେଇ ଆଜି ରାଜ୍ୟ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମ ବିଲାଶ ପାଶ୍ୱାନଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଅଛି ।
ସ୍ମାରକ ପତ୍ର ଉପରେ ନିଜର ମତ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଶ୍ୱାନ କହିଥିଲେଯେ, ରାଜ୍ୟରେ ଦେଖାଯାଇଥିବା ରାସନ କାର୍ଡ ଆବଣ୍ଟନରେ ଅନିୟମତା, ଚାଷୀଙ୍କଠାରୁ ଖାଦ୍ୟ ଶସ୍ୟ ସଂଗ୍ରହକୁ ଗୁରୁତ୍ୱ ଦେବେ । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିଜେ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ମଧ୍ୟ ଦେଇଛନ୍ତି । ଉକ୍ତ ଖାଦ୍ୟ ସୁରକ୍ଷା ଆଇନକୁ ସଠିକ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ରାଜ୍ୟରୁ ପ୍ରତିନିଧିମାନଙ୍କୁ ନେଇ କେନ୍ଦ୍ରୀୟ କମିଟି ଗଠନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ରାଜ୍ୟ କାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନ ଏବଂ ରାଜ୍ୟସଭା ସାଂସଦ ତଥା ଦଳର ବରିଷ୍ଟ ସଦସ୍ୟ ଶ୍ରୀ ତରୁଣ ବିଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପାଶ୍ୱାନ କହିଥିଲେଯେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକର ପ୍ରଶଂସା କରିଥିଲେ । ବାସ୍ତବରେ ଏହି ସରକାର ଗରିବଙ୍କ ପାଇଁ କାର୍ଯ୍ୟ କରୁଅଛି । ନିଜ ବିଭାଗକୁ ନେଇ ଶ୍ରୀଯୁକ୍ତ ପାଶ୍ୱାନ କହିଥିଲେଯେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ବଳବତ୍ତର ହେବା ପୂର୍ବରୁ ଓଡିଶାକୁ ବାର୍ଷିକ ୨୧ ଲକ୍ଷ ୭୮ ହଜାର ଟନ୍ ଖାଦ୍ୟଶସ୍ୟ କେନ୍ଦ୍ର ତରଫରୁ ଯୋଗାଇ ଦିଆଯାଉଥିଲା । ମାତ୍ର ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଯୋଗାଇବାରେ ବିଫଳ ହେବା ଦ୍ୱାରା ବାର୍ଷିକ ୧ ହଜାର ଟନ୍ ଖାଦ୍ୟ ଶସ୍ୟ ନଷ୍ଟ ହେଉଥିଲା । ମାତ୍ର ଏହି ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ଆଉ ଖାଦ୍ୟ ଶସ୍ୟ ନଷ୍ଟ ହେବ ନାହିଁ ଏବଂ ବାସ୍ତବ ଗରିବ ଉପଭୋକ୍ତାମାନେ ଉପକୃତ ହୋଇପାରିବେ ।
ରାଜ୍ୟ ଉପ ସଭାନେତ୍ରୀ ସୁରମା ପାଢୀ, ସାଧାରଣ ସଂପାଦକ ନୟନ କିଶୋର ମହାନ୍ତି, ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ନିୟତି ଗିରି, ମହିଳା ମୋର୍ଚ୍ଛା ସଭାନେତ୍ରୀ ସୀମନ୍ତିନୀ ଜେନା, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସ୍ୱାକ୍ଷରିତ ଏହି ସ୍ମାରକ ପତ୍ରକୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କୁ ଦିଆଯାଇଥିଲା ।

Share in top social networks!