ଟାଟା ଷ୍ଟିଲ ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣିଠାରେ ୨୨୮ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ମେଧାବୃତ୍ତି ପ୍ରଦାନ

tatasukindaଟାଟା ଷ୍ଟିଲ ଆଦିବାସୀ ସାଂସ୍କୃତିକ ସମିତି (ଟିଏସ୍ଟିସିଏସ୍) ପକ୍ଷରୁ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୧୨ଟି ବିଦ୍ୟାଳୟ ଓ ୮ଟି ମହାବିଦ୍ୟାଳୟର ୨୨୮ ଜଣ ଆର୍ଥିକ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଜି ଜ୍ୟୋତି ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି ବୃତ୍ତି ମାଧ୍ୟମରେ ଟିଏସ୍ଟିସିଏସ୍ ତରଫରୁ ୭ମ ଓ ତଦୁଦ୍ଧ୍ୱର୍ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫ମ ଥର ପାଇଁ ସୁକିନ୍ଦାରେ ଜ୍ୟୋତି ମେଧାବୃତ୍ତି ପ୍ରଦାନ କରାଯାଉଥିବାବେଳେ ବର୍ତମାନ ସୁଦ୍ଧା ୯୨୪ଜଣ ଛାତ୍ରଛାତ୍ରୀ ଟାଟା ଷ୍ଟିଲର ଏହି ପଦକ୍ଷେପ ଦ୍ୱାରା ଉପକୃତ ହୋଇସାରିଛନ୍ତି ।

ଚଳିତ ବର୍ଷ ୮ମ ରୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ୧୩୪ଜଣ ବାଳକ ଓ ୯୪ଜଣ ବାଳିକାଙ୍କୁ ସୁକିନ୍ଦାର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ଭଗବତୀ ମହନ୍ତ, ଜିଲ୍ଲା ପରିଷଦ ଶ୍ରୀ ବିଦ୍ୟାଧର ପାତ୍ର, ଟାଟା ଷ୍ଟିଲ ସିଏସ୍ଆର ବିଭାଗର ଚିଫ୍ ଶ୍ରୀ ବିରେନ୍ ବୁଟ୍ଟା, ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଶ୍ରୀ ରାଜେଶ ପଟେଲ, ଟାଟା ଷ୍ଟିଲ ଓଡ଼ିଶା ସିଏସ୍ଆର ବିଭାଗର ମୁଖ୍ୟ ଶ୍ରୀ ଅମ୍ବିକା ନନ୍ଦ, ସୁକିନ୍ଦା କ୍ରୋମାଇଟ୍ ଖଣି ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଗୌରାଙ୍ଗ ଦାସ ଓ ସଭାପତି ଶ୍ରୀ ଏସ୍ ଏନ୍ ପାଣ୍ଡେ, ସ୍ଥାନୀୟ ପଂଚାୟତରାଜ ପ୍ରତିନିଧି ଓ ଅନ୍ୟ ଗଣ୍ୟମାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୃତି ପ୍ରଦାନ କରିଥିଲେ ।

ଏହି ବୃତ୍ତି ବାବଦରେ ମୋଟ ୧୨,୨୮,୦୦୦ ଟଙ୍କା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ୮ମ ଶ୍ରେଣୀର ୩୬ଜଣ ଛାତ୍ରଛାତ୍ରୀଙ୍କୁ ହାତ ଘଂଟା ଏବଂ ୮ମ ଶ୍ରେଣୀର ଶ୍ରେଷ୍ଠ ୪ଜଣ ଓ ଜଣେ ଗ୍ରାଜୁଏସନ୍ ସ୍ତରର ଶ୍ରେଷ୍ଠ ପିଲାଙ୍କୁ ଟାବଲେଟ୍ ମଧ୍ୟ ଦିଆଯାଇଥିଲା । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆମ୍ବ,ଲେମ୍ବୁ ଓ ପିଜୁଳି ଭଳି ଫଳ ଚାରା ମଧ୍ୟ ବଂଟନ କରାଯାଇଥିଲା ।

ଟାଟା ଷ୍ଟିଲର ଉକ୍ତ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହି ବୃତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷାରେ ସହଯୋଗ କରିବ ବୋଲି ଏହି ଅବସରରେ ଉଦ୍ବୋଧନ ଦେଇ ଇଂ ଘଡାଇ ମତ ପ୍ରକାଶ କରିଥିଲେ । ଶିକ୍ଷିତ ସମାଜ ଗଠନ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଆଗକୁ ମଧ୍ୟ ଏଭଳି ଅନେକ ପଦକ୍ଷେପ ନିଆଯିବ ବୋଲି କହିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ସ୍ୱପ୍ନ ଦେଖିବା ପାଇଁ ଶ୍ରୀ ବୁଟ୍ଟା ଆହ୍ୱାନ କରିଥିଲେ । ସ୍ଥାନୀୟ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ଶ୍ରୀ ପଟେଲ କହିଥିଲେ ।

Share in top social networks!