ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଓଡିଶାର ଜନସାଧାରଣଙ୍କ ବ୍ୟାପକ ସହଭାଗିତା ପାଇଁ କୃତଜ୍ଞତା ଜ୍ଞାପନ କଲା ବିଜେପି

bjppandaମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୁଇ ଦିିନିଆ ଓଡିଶା ଗସ୍ତରେ ଓଡିଶାର ଜନ ସାଧାରଣ ଯେପରି ଭାବରେ ସର୍ବ ସାଧାରଣରେ ମୋଦିଙ୍କ ସହ ଯୋଡି ହେଲେ ସେଥି ପାଇଁ ବିଜେପି ରାଜ୍ୟ ଶାଖା ତରଫରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଛଅ ତାରିଖ ନିର୍ଧାରିତ ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ପହଂଚିଲେ ମଧ୍ୟ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନସାଧାରଣ ଯେପରି ଭାବରେ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଠିଆ ହୋଇ ସ୍ୱତଃପୂର୍ତ ଭାବରେ ଉଚ୍ଛସିତ ସମ୍ବର୍ଧନା ଜଣାଇଲେ ତାହା ଅଭୂତପୂର୍ବ । ରାଜଭବନରେ ପହଂଚିବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଭୁବନେଶ୍ୱର ଜନତାଙ୍କର ସ୍ନେହ ଶ୍ରଦ୍ଧାରେ ଅଭିଭୂତ ହୋଇଥିବା କହି ଧନ୍ୟବାଦ ଜଣାଇଥିଲେ । ରାସ୍ତା କଡରେ ପୁରୁଷ, ମହିଳା, ଛୋଟ ପିଲା ସମ୍ପୂର୍ଣ ପରିବାର ସହିତ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପସ୍ଥିତ ରହିବା ରାଜ୍ୟ ରାଜଧାନୀର ଏକ ବିରଳ ଘଟଣା ବୋଲି ବିଜେପି ତରଫରୁ କୁହାଯାଇଛି ।
ନାଇଜର ଉଦଘାଟନ ପାଇଁ ଜଟଣୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବା ସମୟରେ ହେଲିପ୍ୟାଡ ଓ ରାଜ ରାସ୍ତାରେ ହଜାର ହଜାର ଲୋକ ସ୍ୱତଃପୂର୍ତ ଭାବେ ଏକାଠି ହୋଇଥିଲେ । ପ୍ରଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ପୁରୀ ହେଲିପ୍ୟାଡ ଓ ରଥଦାଣ୍ଡରେ ଜନସାଧାରଣଙ୍କର ଅଭିବାଦନକୁ ବୁଲି ବୁଲି, ଗାଡି ଦ୍ୱାରରେ ଠିଆ ହୋଇ ଜନସାଧାରଣଙ୍କୁ ସମ୍ମାନ ଜଣାଇଲେ । ଆଶାକର୍ମୀ ଯମୁନାମଣିଙ୍କୁ ମୁଣ୍ଡ ନୁଆଇଁ ନମସ୍କାର, ଗୁଗଲ ଦ୍ୱାରା ସମ୍ମାନିତ ଝିଅ ଲଳିତାକୁ ଆଶୀର୍ବାଦ, ଚା ବିକାଳୀର ସଫଳ ପୁଅ ଆଇଟିଆଇ ଛାତ୍ର ଶ୍ରୀକାନ୍ତଙ୍କ ପିଠି ଥାପୁଡାଇବା, ଦିବ୍ୟାଙ୍ଗ ଶ୍ରବଣଶକ୍ତି ହୀନ ଝିଅ କାନରେ ନିଜେ ଶ୍ରବଣ ଯନ୍ତ୍ର ଲଗାଇବା ପ୍ରଧାନମନ୍ତ୍ରୀଙ୍କର ମାନବୀୟ ଚରିତ୍ର ଓଡିଆ ଲୋକଙ୍କ ମନକୁ ଛୁଇଁଛି ବୋଲି ବିଜେପି କହିଛି ।
ପାରାଦୀପରେ ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଜନ ସମୁଦ୍ର ଓଡିଶାର ରାଜନୀତିର ବଦଳୁ ଥିବା ଚିତ୍ରର ସ୍ପଷ୍ଟ ସୂଚନା ବୋଲି ବିଜେପି ତରଫରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳେ ମୋଦି – ମୋଦି ସ୍ଲୋଗାନକୁ ବିଜେଡିର ନେତା ମାନେ ସଭା ପରେ ଗଣମାଧ୍ୟମରେ ବିବୃତି ଦେଇ ବିରୋଧ କରିବା ସଭା ସ୍ଥଳରେ ମୋଦି ସମର୍ଥକଙ୍କର ଜୋରଦାର ଉପସ୍ଥିତିର ସ୍ୱୀକୃତି ବୋଲି ବିଜେପି ତରଫରୁ କୁହାଯାଇଛି ।
ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନୀ ଭାଷଣରେ ରାଜ୍ୟର ଯୁବକ ମାନଙ୍କ ପାଇଁ ରୋଜଗାର, ଗରୀବଙ୍କ ପାଇଁ ସରକାରଙ୍କର ବହୁବିଧ ଯୋଜନା ଓ ବିଶେଷ ଭାବେ ଗରୀବ ମହିଳାଙ୍କୁ କାଠ ଚୁଲୀରୁ ମୁକ୍ତି ଦେଇ ରିହାତି ମୂଲ୍ୟରେ ଗ୍ୟାସ ଯୋଗାଣ କଥା କହି ଗରୀବ ଯୁବକ ଓ ମହିଳା ତାଙ୍କ ଯୋଜନାରେ ସର୍ବାଗ୍ରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତାଙ୍କ ସରକାର ଆସିବା ପରେ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଓ ଓଡିଶାର ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ୨୬ ଲକ୍ଷ ଗ୍ୟାସ କନେକ୍ସନ ଥିବା ବେଳେ ଗତ ଅଳ୍ପ କେତେ ଦିନରେ ଆଉ ୧୧ ଲକ୍ଷ ଲୋକଙ୍କୁ ରାଜ୍ୟରେ ଗ୍ୟାସ କନେକ୍ସନ ଦିଆଯିବା ତାଙ୍କ ସରକାରରେ କାମ କିପରି ଦୃତ ଗତିରେ ହୁଏ ତାହା ତାଙ୍କର ଯୁବ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ଦେଖାଇଛନ୍ତି ବୋଲି କହିବା ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ବିଜେପି ତରଫରୁ କୁହାଯାଇଛି ।
ପ୍ରଧାନମନ୍ତ୍ରୀଙ୍କର ଓଡିଶା ଇତିହାସ ଓ ଗର୍ବ ଗୌରବର କଥା ତାଙ୍କ ମାନସ ପଟଳରେ କେତେ ସ୍ପଷ୍ଟ ତାଙ୍କର ପାରାଦୀପ ଭାଷଣ ସ୍ପଷ୍ଟ କରିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ପୂଜାର ଅନନ୍ୟ କ୍ଷେତ୍ର କହି ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପହିଲି କିରଣ ପଡୁଥିବା ଓଡିଶାରେ ଦେଶର ବୃହତମ ଊର୍ଜା କେନ୍ଦ୍ର ପାରାଦୀପ ତୈଳ ବିଶୋଧନାଗାରର ପ୍ରତିଷ୍ଠା ହୋଇଥିବା କହି ଏହାର ମହତ୍ୱକୁ ଓଡିଆ ଭାବନା ସହିତ ଯୋଡିଥିଲେ । ଶୁଦ୍ରମୁନି ସାରଳା ଦାସଙ୍କ ଦେଶର ପ୍ରଥମ ଅଣ ସଂସ୍କୃତ ଭାରତୀୟ ଭାଷାରେ ସଂପୂର୍ଣ ମହାଭାରତ ରଚନା, କାଳିଦାସ ତାଙ୍କର ମହାକାବ୍ୟ ରଘୁବଂଶରେ କଳିଙ୍ଗର ରାଜାଙ୍କୁ ମହୋଦଧିପତି ଭାବେ ସମ୍ବୋଧିତ କରିଥିବା କାରଣରୁ ତାଙ୍କର ଓଡିଆ ଐତିହ୍ୟ ଉପରେ କେତେ ଗଭୀର ଅଧ୍ୟୟନ ରହିଛି ତାହା ସ୍ପଷ୍ଟ କରୁଛି ବୋଲି ବିଜେପି ତରଫରୁ କୁହାଯାଇଛି ।

Share in top social networks!