ସରକାରୀ କଳ ଓ ଗୁଣ୍ଡାଗିରି ଦ୍ୱାରା ଦମନଲୀଳା ଚଳାଇଛି ବିଜେଡି

କେନ୍ଦ୍ର ସରକାର ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ ଆଗ୍ରହୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବାବେଳେ ଏଥିରେ ଆତଙ୍କିତ ହୋଇ ପଡିଥିବା ଅସହିଷ୍ଣୁ ଶାସକ ବିଜେଡି ଅତ୍ୟନ୍ତ ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଏକ ଇସ୍ତାହାରରେ ଦଳର ପ୍ରବକ୍ତା ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କର କେନ୍ଦ୍ର ରାଜ୍ୟ ସଂପର୍କ ଉପରେ ଆଦୈା ବିଶ୍ୱାସ ନାହିଁ । ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିଦେ୍ର୍ଦଶକ୍ରମେ ସରକାରୀ କଳ ଓ ଗୁଣ୍ଡାବାହିନୀ ଦ୍ୱାରା ବିଜେଡିର ଲୋକମାନେ ଏକ ପ୍ରକାର ଦମନଲୀଳା ଚଳାଇଛନ୍ତି ।
କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସ୍ୱତନ୍ତ୍ର ନଦେ୍ର୍ଦଶ ଦେଇ ପୋଲିସ ଦ୍ୱାରା ଅଟକାଇ ରଖିଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଯଦି ବିଜେପି ନେତାମାନେ ଉପସ୍ଥିତ ରହିନପାରିବେ ତେବେ ଆଉ କିଏ ରହିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସେମିତି ଆନନ୍ଦପୁରରେ ବିଜେପି ନେତା ଭାଗିରଥି ସେଠୀଙ୍କୁ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସେମାନଙ୍କ ମାଡରେ ଗୁରୁତର ହୋଇଥିବା ଶ୍ରୀ ସେଠୀ ବର୍ତ୍ତମାନ କଟକରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଭୂବନେଶ୍ୱରଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ଏମାନେ ଭାଙ୍ଗିଛନ୍ତି, ଚିରିଛନ୍ତି ଏବଂ କଳା ବୋଳିଛନ୍ତି ବିଜେଡିର କର୍ମୀମାନେ । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅର୍ଥ ଖର୍ଚ୍ଚ କରିନପାରି ଫେରାଉଥିବା ରାଜ୍ୟ ସରକାର ବିନା କାରଣରେ ସର୍ବଦା କେନ୍ଦ୍ରୀୟ ଅବହେଳା ଅଭିଯୋଗ ଉଠାଇଛନ୍ତି । ମୋଦି ସରକାର ଓଡିଶାକୁ ଆଗକୁ ନେବା ପାଇଁ ଉଦ୍ୟମ କରୁଥିବାବେଳେ ଏଠିକାର ଶାସକ ବିଜେଡି ଦଳ ନିଜର ଗାଦି ଚାଲିଯିବା ଭୟରେ ଆତଙ୍କିତ ହୋଇ ଦମନଲୀଳାର ଆଶ୍ରୟ ନେବା ଦୁର୍ଭଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!