ଶାସକ ଦଳର ଅସହିଷ୍ଣୁତା ଓ ଅଭଦ୍ର ଆଚରଣକୁ ନିନ୍ଦା

ପାରାଦ୍ୱୀପ ତୈଳ ବିଶୋଧନାଗାର ଏବଂ ନାଇଜର ଭଳି ସଂସ୍ଥା ଓଡିଶାବାସୀଙ୍କୁ ଭେଟି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓଡିଶା ଆସୁଥିବା ବେଳେ ଭାରତୀୟ ତୈଳ ନିଗମ ଦ୍ୱାରା ତାଙ୍କର ସ୍ୱାଗତ ପାଇଁ ଲାଗିଥିବା ଫଟୋରେ ଶାସକ ବିଜୁ ଜନତା ଦଳର ସମର୍ଥକମାନେ କଳା ବୋଳିବା ଘଟଣାକୁ ବିଜେପି ଅତ୍ୟନ୍ତ କଟୁ ଶବ୍ଦରେ ଏହାକୁ ନିନ୍ଦା କରିଛି । ଏକ ଇସ୍ତାହରରେ ଦଳର ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ଯେ, ରାଜଧାନୀର ପ୍ରମୁଖ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କର ଫଟୋଗୁଡିକ ଲାଗିଥିଲା । ଏଠାରେ ସାଧାରଣ ଲୋକଙ୍କ ଟିକସ୍ ପଇସାରେ ସିସିଟିଭି କ୍ୟାମେରା ଲାଗିଛି । ଏଣୁ କିଏ ଏହି କଳା ବୋଳିଛି ତାହା ପୋଲିସ ପାଖରେ ଅଛପା ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ପକାଇଥିବା ଲୋକଙ୍କୁ ୩୦୭ ଦଫା ବଳରେ ଜେଲରେ ରଖିଥିବା ପୋଲିସ ଏବେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳା ବୋଳିଥିବା ଲୋକଙ୍କ ଉପରେ ଦୃଢ ପଦକ୍ଷେପ ଗ୍ରହଣ କରୁ ।
ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ୱରଂଜନ ବଡଜେନା ଏହି ମାମଲାରେ ଖାରବେଳ ନଗର ଥାନାରେ ଏକ ଏତଲା ଦେଇଛନ୍ତି । ଉକ୍ତ ଏତଲା ଉପରେ ପୋଲିସ ନିରପେକ୍ଷ ଭାବେ ଦୃଢ ପଦକ୍ଷେପ ନେଉ ବୋଲି ଶ୍ରୀ ବଡଜେନା ଦାବୀ କରିଛନ୍ତି ।
ଆଜି ରାଜ୍ୟ ସରକାର ବିଭିନ୍ନ ଖବର କାଗଜରେ ଯେଇଁ ବିଜ୍ଞାପନ ଦେଇ ଅଯଥାରେ ପାଳ ଗଦାରେ ଚଢି ନିଜେ ଉଚ୍ଚା ବୋଲି ଦର୍ଶାଉଛନ୍ତି ତାକୁ ମଧ୍ୟ ଶ୍ରୀ ମହାନ୍ତି ସମାଲୋଚନା କରିଛନ୍ତି । ଏଥିରେ ବିଜୁବାବୁଙ୍କ ଫଟୋ ପାଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋକୁ ଅସ୍ପଷ୍ଟ କରି ଛାପିବାକୁ ଶ୍ରୀ ମହାନ୍ତି ନିନ୍ଦା କରିଛନ୍ତି । ବିଜୁ ଜନତା ଦଳକୁ ଏକ ଅଭଦ୍ର, ଅସହିଷ୍ଣୁ ତଥା ଅରାଜକତା ସୃଷ୍ଟିକାରୀ ଦଳ ଭାବରେ ଉଲ୍ଲେଖ କରି ସେ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଉଲଂଘନ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିବା ବିଜେଡି ମୁଖପାତ୍ରମାନେ ଆଜି କେଉଁଆଡେ ଗଲେ ? ତାଙ୍କ ସରକାର ଆଜି ଲୋକଙ୍କ ପଇସାରେ ଦଳୀୟ ପ୍ରଚାର ଯେମିତି ନିର୍ଲଜ ଭାବେ କରିଛି ଏହାର ଜବାବ ସେମାନେ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି ।

Share in top social networks!