ସମ୍ବାଦ ପରିବେଷଣରେ ‘ଭିନ୍ନତା’ ନିର୍ଭୟକୁ ଆଦୃତ କରାଇଛି; ବାର୍ଷିକ ଉତ୍ସବରେ ଛଅ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

nirvayଛୋଟିଆ କଳେବର ହେଲେ ମଧ୍ୟ ଭିନ୍ନ ପରିବେଶ ଧାରା ଏବଂ ନିର୍ଭିକ ଖବର ପ୍ରକାଶ ତଥା ଧାରଯୁକ୍ତ ସମୀକ୍ଷା ଦ୍ୱାରା ‘ନିର୍ଭୟ’ ନିଜ ଦାୟିତ୍ୱ ସୁନ୍ଦର ଭାବେ ନିର୍ବାହ କରିଆସୁଛି । ଅଳ୍ପଦିନ ମଧ୍ୟରେ ନିଜ ନିଆରା ଖବର ପ୍ରକାଶନ ପାଇଁ ଏହା ଚର୍ଚ୍ଚାରେ ରହିପାରିଛି ତଥା ପାଠକମାନଙ୍କ ମଧ୍ୟରେ ଆଦୃତ ହୋଇପାରିଛି ବୋଲି ଦୈନିକ ନିର୍ଭୟର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମତ ରଖିଥିଲେ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନିଜ ଖବର ପ୍ରକାଶନ ଦ୍ୱାରା ନିର୍ଭୟ କେଉଁ ସଙ୍କେତ ପ୍ରଦାନ କରୁଛି ତାହା ଜାଣିବାକୁ ମୁଁ ସବୁଦିନ ଅପେକ୍ଷା କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଅଭିଭାଷଣ ଅବସରରେ କହିଥିଲେ । ଶନିବାର ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ମେ’ ଫେୟାରର କନ୍‌ଭେନସନ୍‌ ହଲ୍‌ଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ଅନୁଷ୍ଠିତ ହୋଇଥିଲା ନିର୍ଭୟ ଦ୍ୱିତୀୟ ବାର୍ଷିକ ଉତ୍ସବ । ନିର୍ଭୟ ଶବ୍ଦର ବିଶ୍ଲେଷଣ ପୂର୍ବକ ମଣିଷ ଆଗରେ ଉଭୟ ସ୍ଥୂଳ ଓ ସୂକ୍ଷ୍ମ ଭୟ ଥାଏ । ସ୍ଥୂଳ ଭୟକୁ ଏଡ଼ାଇବାର ସୁଯୋଗ ମଣିଷ ପାଖରେ ରହେ । ହେଲେ ସୂକ୍ଷ୍ମ ଭୟ ଏଡ଼ାଇବା ସମ୍ଭବ ନୁହେଁ । ମଣିଷ ଯେତେବେଳେ ନିଜ ସିଦ୍ଧାନ୍ତ ସହ ସାଲିସ୍‌ କରିଯାଏ ସେତେବେଳେ ଭୟ ଦ୍ୱାରା କବଳିତ ହୁଏ ।

ଏପରି ଭୟ ସମାଜରେ ଏବେ ଅଧିକ ବଢ଼ିବାକୁ ଲାଗିଛି । ତେଣୁ ନିଜ ଦାୟିତ୍ୱ ସମ୍ପନ୍ନ କରି ଗଣମାଧ୍ୟମଗୁଡିକ ନିର୍ଭିକ ତଥା ସତ୍ୟ ଖବର ପରିବେଷଣ କରିବା ଦରକାର । ତା’ସହ ସକରାତ୍ମକ ଖବର ପରିବେଷଣ ଆଜିର ସମୟର ଆହ୍ୱାନ ହୋଇଛି ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ମତ ରଖିଥିଲେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିଦେ୍ର୍ଦଶକ ଡ. ଶାନ୍ତନୁ ରଥ । ଦ ଷ୍ଟେଟସ୍‌ମ୍ୟାନ୍‌ର ଓଡ଼ିଶା ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ କେ. ରବି ଟାବଲଏଡ୍‌ ଫରମାର୍ଟରେ ଆସି ନିର୍ଭୟ ତିନି ବର୍ଷ ଛୁଇଁବା ହିଁ ବଡ଼ ସଫଳତା ବୋଲି କହିଥିଲେ । ନିର୍ଭିକତାର ସହ ଖବର ପରିବେଷଣ କରିବାର ଧାରାରେ ପ୍ରଥମ ଦୁଇ ବର୍ଷର କଷ୍ଟକର ସମୟ ବାହାର କରିସାରିଛି । ଆଗକୁ ନିର୍ଭୟର ଚଲାପଥ ସଫଳ ରହିବ ବୋଲି ସେ କହିଥିଲେ ।

ନିର୍ଭୟ ସମ୍ପାଦକ ନବୀନ ଦାସ ପାଠକୀୟ ଆଦର ଆମର ସବୁଠାରୁ ବଡ଼ ପୁଞ୍ଜି ବୋଲି ବର୍ଣ୍ଣନା କରି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିର ଲକ୍ଷ୍ୟରେ ନିର୍ଭୟ ସଂଗ୍ରାମର ଧାରାରେ ରହିଛି ବୋଲି କହିଥିଲେ । ସହଯୋଗୀ ସମ୍ପାଦକ ସମ୍ବିତ୍‌ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ନିର୍ଭୟ ବାର୍ଷିକ ସମ୍ମାନ ପ୍ରଦାନ କରାଯାଇଥିଲା । ନିଆରା ସ୍ୱାଧୀନତା ସଂଗ୍ରାମୀ ତଥା ଆଦର୍ଶ ନାରୀ ବୈଦେହୀ ପଣ୍ଡାଙ୍କୁ ‘ନିର୍ଭୟ ଓଡ଼ିଶା ଗୌରବ’ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି କଟକରେ ଛୋଟିଆ ଚା’ ଦୋକାନ କରି ସମାଜସେବା କ୍ଷେତ୍ରରେ ଆଦର୍ଶ ସ୍ଥାପନ କରିଥିବା ଡି. ପ୍ରକାଶ ରାଓଙ୍କୁ ‘ନିର୍ଭୟ ଲୋକ ଗୌରବ’ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । ବାର୍ଷିକ ଉତ୍ସବ ଅବସରରେ ୨୦୧୫-୧୬ ବର୍ଷ ପାଇଁ ଶ୍ରେଷ୍ଠ ଖବରଦାତା ସମ୍ମାନ ଆକାରରେ ଭୁବନେଶ୍ୱର ପ୍ରତିନିଧି ସର୍ବେଶ୍ୱର ବର୍ଦ୍ଧନ, ଯାଜପୁର ଟାଉନ୍‌ ଖବରଦାତା ତରୁଣ କୁମାର ନନ୍ଦ, ଭଦ୍ରକ ଖବରଦାତା ଭଜଗୋବିନ୍ଦ ଜେନା ଏବଂ ନିର୍ଭୟର ଚିତ୍ରଡ଼ା ଖବରଦାତା ରଣଜିତ୍‌ କୁମାର ସାହୁଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ଭୟର ସତ୍ତ୍ୱାଧିକାରିଣୀ ମମତା ଦାସ ଅତିଥିମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

Share in top social networks!