ଗବେଷଣା ଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ଚୂଡାନ୍ତ

odiauniversityଓଡିଆଭାଷା ସଂଗ୍ରାମ ସମିତି ଓ ରାଜ୍ୟ ସରକାରଙ୍କ ସମ୍ପାଦିତ ସର୍ତ୍ତାନୁସାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଚଳିତମାସ୧୨ତାରିଖର ଚତୁର୍ଥ ବୈଠକ ନିଷ୍ପତ୍ତି ଅନୁଯାୟୀ ଓଡିଆ ବିଶ୍ୱବିଦ୍ୟାଳୟ ସମ୍ପର୍କୀତ ଏକ ବିଚାରବିମର୍ଶ କର୍ମଶାଳା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଗବେଷଣା ଓ ଉନ୍ନୟନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ।

ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଭାଷା ସାହିତ୍ୟ ବିଭାଗର ମୁଖ୍ୟ, ବରିଷ୍ଠ ଭାଷାତତ୍ତ୍ୱବିତ, ସାହିତ୍ୟକାର ଓ ମନ୍ତ୍ରୀସ୍ତରୀୟସଭାର ବେସରକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ । ବିଜୁଜନତାଦଳର ନିର୍ବାଚନୀ ଇସ୍ତାହାରର ବହୁ ପ୍ରଚାରିତ ଓଡିଆ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ଉଦଘୋଷିତ ଓଡିଆ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଓଡିଆ ଭାଷା ସଂଗ୍ରାମ ସମିତିର ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ଦାବି ପରିପ୍ରେକ୍ଷୀରେ ଚତୁର୍ଥ ମନ୍ତ୍ରୀସ୍ତରୀୟ ସଭାରେ ଓଡିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ଗବେଷଣାଭିତ୍ତିକ ଓଡିଆବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ ଓ ଭାଷାତତ୍ତ୍ୱବିଦମାନଙ୍କ ପରାମର୍ଶ ଲୋଡାଯାଇଥିଲା ।

ଓଡିଆଭାଷାର ଉକ୍ରର୍ଷ ସାଧନ ଓ ଓଡିଆକୁ ଜ୍ଞାନବିଜ୍ଞାନ ଓ ରୋଜଗାରର ଭାଷାରେ ପରିଣତ କରିବା ସହିତ ଶାସନ, ପ୍ରଶାସନ, ଶିକ୍ଷା, ସଂସ୍କୃତି ଓ ପ୍ରାୟୋଗିକ ବିଜ୍ଞାନର ଭାଷା ଭାବରେ ଗଢି ତୋଳିବାପାଇଁ ମୁକ୍ତ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ଗବେଷଣାଭିତ୍ତିକ ଓଡିଆବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା ।

ଉଚ୍ଚଶିକ୍ଷାବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ଶଶୀଭୂଷଣ ପାଢୀଙ୍କ ଆବାହକତ୍ୱ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ କେନ୍ଦ୍ରର ଡ. ରଶ୍ମୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଚାରବିମର୍ଶ କର୍ମଶାଳାରେ ମୁଖ୍ୟ ଅତିଥିଭାବରେ ମାନ୍ୟବର ଉଚ୍ଚଶୀକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିବାବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ଦାସ, ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର, ରେଭେନ୍ସାର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅମୁଲ୍ୟ ପଣ୍ଡା, ଭାଷାବିତ ପ୍ରଫେସର ଖଗେଶ୍ୱର ମହାପାତ୍ର, ପ୍ରଫେସର ନଟବର ଶତପଥୀ, ପ୍ରଫେସର କିଶୋର ବାସା, ରାଜକିଶୋର ମିଶ୍ର, ଡ. ସିପ୍ରାମଲ୍ଲିକ, ଓଡିଆଭାଷା ସଂଗ୍ରାମ ସମିତିର ଆବାହକ ଶଙ୍କର୍ଷଣ ପରିଡା, ଯୁଗ୍ମ ଆବାହକ ଗଜାନନ ମିଶ୍ର, ଡ. ସୁବ୍ରତ ପୃଷ୍ଟି, ସାମ୍ବାଦିକ ସୁଭାଷ ପଟ୍ଟନାୟକ, ସାଂସଦ ବୈଷ୍ଣବ ପରିଡା. ଓଡିଆ ଭାଷା ପ୍ରତିଷ୍ଠାନର ନିଦେ୍ର୍ଧଶିକା ଡ. ତମସାଦାସ ମହାପାତ୍ର ଓ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ତାଙ୍କର ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ରହି ଓଡିଆଭାଷାର ଉକ୍ରର୍ଷ ସାଧନ ନିମନ୍ତେ ଗବେଷଣା ଭିତ୍ତିକ ଓଡିଆବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସମ୍ମିଳିତ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଅଶୀ ବର୍ଷ ତଳେ ଗଠିତ ଭାରତର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓ ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତ ଓଡିଆଭାଷାର ପ୍ରୟୋଗାତ୍ମକ ମୂଲ୍ୟବୋଧପାଇଁ ସଂପୂର୍ଣ୍ଣ ଅଧ୍ୟୟନ ଓ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓଡିଆ ଅସ୍ମିତାର ଅନ୍ୟ ଏକ କୀର୍ତ୍ତିସ୍ତମ୍ଭ ଭାବରେ ଜାତୀୟ ଜୀବନକୁ ପ୍ରଭାବିତ କରିବାରେ ଯଥେଷ୍ଟ ସହାୟକ ହେବ ।

Share in top social networks!