ବିଜେପି ଦ୍ୱିତୀୟ ଜଗନ୍ନାଥ ମନ୍ଦିର କଥା କହି ମିଛ ଧର୍ମୀୟ ଉନ୍ମାଦନା ସୃଷ୍ଟି କରୁଛି: ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ

12509025_967469213345929_4080807810171623976_nଇସ୍କନ ପକ୍ଷରୁ ପୁରୀର ଏକ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ବୋଲି ଅଭିଯୋଗ କରି ବିଜେପି ପକ୍ଷରୁ ଯେଉଁ ବିଦେଶୀ ଷଡ଼ଯନ୍ତ୍ରର କଥା ଉଠାଯାଉଛି ତାହା ବାସ୍ତବରେ ଏକ ରାଜନୈତିକ ହଟଚମଟ ବୋଲି ଉକ୍ରଳ ଭାରତ ଅଭିଯୋଗ କରିଛି । ଏପରି କୌଣସି ମନ୍ଦିର ନିର୍ମିତ ହେବ ନାହିଁ ବୋଲି ଇସ୍କନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ବେଳେ ବିଜେପିକୁ ଏପରି ତଥ୍ୟ କେଉଁଠାରୁ ମିଳିଲା ତାହା ଆଶ୍ଚର୍ଯ୍ୟର ବିଷୟ । ବୋଧହୁଏ ଭୋଟ ମିଳିବାର ଅନ୍ୟ କୌଣସି ରାସ୍ତା ନଦେଖି ଭାରତୀୟ ଜନତା ପାର୍ଟି ପକ୍ଷରୁ ପୁଣି ଏକ ମିଛ ଧର୍ମୀୟ ଉନ୍ମାଦନା ସୃଷ୍ଟି କରବାର ଚେଷ୍ଟା ଚାଲିଛି ବୋଲି ଉକ୍ରଳ ଭାରତ ନିନ୍ଦା କରୁଛି ।

ପୁଣି, ଯଦି ବି ଦ୍ୱିତୀୟ ଜଗନ୍ନାଥ ମନ୍ଦିର ତିଆରି ହୁଏ ତେବେ ମୂଳ ଶ୍ରୀଜଗନ୍ନାଥ ମନ୍ଦିରର ମର୍ଯ୍ୟାଦା କମିବ କିପରି? ଉଲ୍ଲେଖଯୋଗ୍ୟ ଯେ, କାଠମାଣ୍ଡୁର ପଶୁପତିନାଥ ମନ୍ଦିର, ଭାରତର ଗୁଜୁରାଟର ସୋମନାଥ ମନ୍ଦିର ଓ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ, ମନ୍ଦିରମାନଙ୍କ ପରି ବିଖ୍ୟାତ ଶିବ ମନ୍ଦିରମାନ ତିଆରି ହୋଇଥିଲେ ମଧ୍ୟ କାଶୀ ବିଶ୍ୱନାଥ ମନ୍ଦିରର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ମର୍ଯ୍ୟାଦା ଓ ପ୍ରତିଷ୍ଠା କ’ଣ କମି ଯାଇଛି? ବର୍ତ୍ତମାନ ବୃନ୍ଦାବନରେ ମୂଳ କୃଷ୍ଣ ମନ୍ଦିର ଅପେକ୍ଷା ଏକ ଅତି ବିଶାଳ ଓ ବିରାଟ ଶ୍ରୀକୃଷ୍ଣ ମନ୍ଦିର କୃପାଳଜୀ ମହାରାଜଙ୍କର ସଂସ୍ଥା ତରଫରୁ ନିର୍ମିତ ହୋଇଛି ଯେଉଁଠାକୁ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଯାଉଛନ୍ତି । ସେଠାରେ ମଧ୍ୟ ଇସ୍କନ ତରଫରୁ ଆଉ ଏକ ବିଶାଳ ଶ୍ରୀକୃଷ୍ଣ ମନ୍ଦିର ନିର୍ମିତ ହୋଇଛି । କିନ୍ତୁ, ବୃନ୍ଦାବନ ଯାଉଥିବା କେହି ଜଣେ ବି ଭକ୍ତ ମୂଳ ଶ୍ରୀକୃଷ୍ଣ ମନ୍ଦିରକୁ ନଯାଇ ଫେରି ଆସନ୍ତି କି? ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମିତ ହେଲେ ଏହା ଅଧିକରୁ ଅଧିକ ବିଦେଶୀମାନଙ୍କୁ ଜଗନ୍ନାଥଙ୍କ ପ୍ରତି ଆକୃଷ୍ଟ କରାଇବ ।

ଭାରତ ଓ ପୃଥିବୀର ବିଭିନ୍ନ ସ୍ଥାନମାନଙ୍କରେ ଅସଂଖ୍ୟ ଜଗନ୍ନାଥ ମନ୍ଦିରମାନ ତିଆରି ହୋଇଥିଲେ ମଧ୍ୟ ଜଗନ୍ନାଥ ମନ୍ଦିର କହିଲେ ସମସ୍ତେ ପୁରୀ ଶ୍ରୀମନ୍ଦିରକୁ ବୁଝିଥାନ୍ତି । ଏକ ନୂଆ ଭବ୍ୟ ଜଗନ୍ନାଥ ମନ୍ଦିର ତିଆରି କରାଯିବା ଓଡ଼ିଆ ଜାତି ପାଇଁ ଏକ ଗର୍ବର ବିଷୟ ହେବ । ଯଥେଷ୍ଟ ସମ୍ବଳ ଥିବା ଇସ୍କନ ସଙ୍ଗଠନ ଓଡ଼ିଆ ପ୍ରସ୍ତର ଶିଳ୍ପୀମାନଙ୍କୁ ନେଇ ପୁଣି ଏକ ଜଗନ୍ନାଥ ମନ୍ଦିର ତିଆରି କରନ୍ତୁ ଯାହା ଫଳରେ ଆଜିର ଓଡ଼ିଆ ଶିଳ୍ପୀ ମଧ୍ୟ ମନ୍ଦିର ନିର୍ମାଣରେ ଅନନ୍ୟ ବୋଲି ପ୍ରମାଣିତ ହୋଇଯିବ ବୋଲି ଉକ୍ରଳ ଭାରତର ସଭାପତି ଶ୍ରୀ ମହାମେଘ ବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି ।

Share in top social networks!