ପୁରୀରେ ପାଳିତ ହେବ ଉଇକିପିଡ଼ିଆ ୧୫: ଉଇକିପିଡ଼ିଆର ୧୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ପ୍ରସଙ୍ଗ ତିଆରି ।

10301065_757292637655104_4127990747582291028_nପୁରୀ-୨୦୧୬ ମସିହା ଜାନୁଆରୀ ୧୭-ଏହି ମାସ ୧୫ ତାରିଖରେ ଇଣ୍ଟରନେଟରେ ଉପଲବ୍ଧ ବିଶ୍ୱର ବିଶାଳତମ ଅନଲାଇନ ଜ୍ଞାନକୋଷ ଉଇକିପିଡ଼ିଆକୁ ୧୫ ବର୍ଷ ପୂରିଲା । ଏହି ଅବସରରେ ପୁରୀଠାରେ ଓଡ଼ିଆ ଉଇକିପିଡ଼ିଆର ସମ୍ପାଦନା କରୁଥିବା ଏକ ବେସରକାରୀ ଦଳ “ଉଇକିଟୁଙ୍ଗି ପୁରୀ” ଏକ ଗଣସମ୍ପାଦନାର ଆୟୋଜନ କରୁଛି । ଏଥିରେ ଓଡ଼ିଆରେ ଉପଲବ୍ଧ ବିଭିନ୍ନ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ପ୍ରସଙ୍ଗ ଇଂରାଜୀରୁ ଅନୁବାଦ କରାଯିବ, ବିଭିନ୍ନ ସ୍ଥାନରେ ଉପଲବ୍ଧ ତଥ୍ୟ ଆଧାରରେ ଆଗରୁ ଥିବା ଲେଖାଗୁଡ଼ିକ ସମ୍ପାଦନା କରି ସୁଧରାଯିବ,” କହିଛନ୍ତି କାର୍ଯ୍ୟକ୍ରମର ପରିଚାଳକ ସ୍ନେହାଶିଷ ନାୟକ ।

ପାଖାପାଖି ୧୫ରୁ ଅଧିକ ସ୍ୱେଚ୍ଛାସେବୀ ଉଇକିଆଳି (ଉଇକିପିଡ଼ିଆ ସମ୍ପାଦକ) ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସକାଳ ୧୧ଟା ବେଳେ ପୁରୀ ବଡ଼ଦାଣ୍ଡସ୍ଥିତ ହୋଟେଲ ଜାନକୀରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଉଇକିପିଡ଼ିଆ ଭଳି ଏକ ବିଶ୍ୱସ୍ତରୀୟ ବହୁଭାଷୀ ପ୍ରକଳ୍ପର ଓଡ଼ିଆ ଭାଷା ପାଇଁ ଆବଶ୍ୟକତା, ଏଥିରେ ଓଡ଼ିଆରେ ଟାଇପ କରିବା, ବିଭିନ୍ନ ଖବରକାଗଜ, ବହି ଓ ଅନ୍ୟାନ୍ୟ ବିଶ୍ୱସନୀୟ ସ୍ଥାନରେ ପ୍ରକାଶିତ ପ୍ରସଙ୍ଗ ଆଧାର ଉନ୍ନତ ଜ୍ଞାନକୋଷ ଭିତ୍ତିକ ଲେଖା ଲେଖିବା ବାବଦରେ ତାଲିମ ଦିଆଯିବ ।

ପାଖାପାଖି ୧୫ ଜଣ ସକ୍ରିୟ ଉଇକିଆଳିଙ୍କୁ ନେଇ ଗଠିତ ଓଡ଼ିଆ ଉଇକିପିଡ଼ିଆରେ ନାନାଦି ବିଷୟରେ ୧୦ ହଜାରରୁ ଅଧିକ ପ୍ରସଙ୍ଗ ରହିଛି । ଏହା ଇଂରାଜୀ ଉଇକିପିଡ଼ିଆର ବର୍ଷେ ପରେ ୨୦୦୨ ମସିହାରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଅହମିୟା, ମାଲାୟାଲାମ ଓ ପଞ୍ଜାବୀ ସହିତ ଉପଲବ୍ଧ ହୋଇଥିଲା । ଏତେ ଆଗ୍ରହୀ ଯୁବକ ଯୁବତୀ ମୁଁ ଆଗରୁ କେବେ ଦେଖି ନଥିଲି । ନିକଟରେ ପୁରୀରେ ଅନୁଷ୍ଠିତ ଏକ ଉଇକିପିଡ଼ିଆ କର୍ମଶାଳାରେ ପାଖାପାଖି ୧୨ ଜଣ ସକ୍ରିୟ ଉଇକିଆଳି ମିଶିବା ପରେ ଏହି ଦଳର ଆକାର ଦୁଇଗୁଣା ବଢ଼ିଛି । ଏ ବାବଦରେ ବଖାଣି ଡାକ୍ତର ସୁବାସ ଚନ୍ଦ୍ର ରାଉତ କହନ୍ତି, “ଏ ଭଳି ଲୋକ ଜୁଟିଲେ ଅଳ୍ପ ଦିନରେ ଓଡ଼ିଆ ଉଇକିପିଡ଼ିଆ ସମସ୍ତଙ୍କୁ ଟପିଯିବ ।” ଏହି କାର୍ଯ୍ୟକ୍ରମରେ ପୁରୀ ରାଜାଙ୍କ ଉପସ୍ଥିତିରେ ପୁରୁଣା ଓଡ଼ିଆ ପୋଥି ଓ ବହି ଆଦିର ସଂରକ୍ଷଣ ବାବଦରେ ଆଲୋଚନା ମଧ୍ୟ ହେବ ।

Share in top social networks!