ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବା ପର୍ଯ୍ୟନ୍ତ ଗାଁ-ଗାଁରେ ସଂଘର୍ଷ କରିବ ବିଜେପି : ବସନ୍ତ ପଣ୍ଡା

bansantababuଭାରତୀୟ ଜନତା ପାର୍ଟୀ ଜନ ଅଧିକାର ଓ ଜନ ସଂଘର୍ଷର ରାସ୍ତାରେ ରାଜ୍ୟର ତୃଣମୂଳ ସ୍ତରରେ କାର୍ଯ୍ୟ କରିବ ବୋଲି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବସନ୍ତ ପଣ୍ଡା ଘୋଷଣା କରିଛନ୍ତି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରସ୍ତୁତ ରାସନକାର୍ଡ ତାଲିକାରେ ବ୍ୟାପକ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ଓ ରାଜ୍ୟ ଶାସକ ଦଳର ଧନୀ କର୍ମୀ ଓ ନେତା ବ୍ୟାପକ ମାତ୍ରାରେ ସାମିଲ ହେବା କାରଣରୁ ଏହି ତାଲିକାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତ ହୋଇଥିବା ତାଲିକାକୁ ସମ୍ପୂର୍ଣ ରଦ୍ଧ କରି ନୂତନ ଭାବେ ତାଲିକା ପ୍ରସ୍ତୁତ କରିବା ପାଇଁ ଦାବି କରିବା ସହ ଯେପରି ଗୋଟିଏ ବି ଯୋଗ୍ୟ ପରିବାର ବାଦ ପଡିବେ ନାହିଁ, ଏହା ନିଶ୍ଚିତ କରିବାକୁ ସେ ଦୃଢ ଦାବି କରିଛନ୍ତି ।
ସାରା ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାସନ କାର୍ଡ ବଂଟନ ପ୍ରକ୍ରିୟାରେ ଯୋଗ୍ୟ ହିତାଧିକାରୀ ବ୍ୟାପକ ସଂଖ୍ୟାରେ ବାଦ ପଡିବା ଘଟଣାରେ ଶ୍ରୀ ପଣ୍ଡା ଗଭୀର ଉଦବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ ଜନ ଅଧିକାରର ବ୍ୟାପକ ଉଲ୍ଲଂଘନ ହୋଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ଲୋକଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ଦେବା ପାଇଁ ୪୦ ଲକ୍ଷ ସଦସ୍ୟଙ୍କୁ ନେଇ ତାଙ୍କ ଦଳର ନେତା ଗାଁ – ଗାଁ କୁ ଯାଇ ଜନ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଏହି ଜନ ଆନେ୍ଦାଳନକୁ ବ୍ୟାପକ କରିବାକୁ ଶ୍ରୀ ପଣ୍ଡା ଦଳର କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କେନ୍ଦ୍ର ସରକାରଙ୍କର ଗାଇଡଲାଇନ ଆଧାରରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ୬ଟି ସାମିଲ କରିବାର ଆଧାର ଓ ୯ଟି ବାଦ ଦେବାର ଆଧାର ଅନୁସାରେ ତାଲିକା ପ୍ରସ୍ତୁତି କରାଯାଇଥିଲେ ଏଥିରେ ଦୋଷ ତ୍ରୁଟି ରହିବାର ସମ୍ଭାବନା ବହୁତ କମ । ମାତ୍ର ତାଲିକା ପ୍ରସ୍ତୁତିର ବ୍ୟାପକ ଅନିୟମିତତା ଓ ଯୋଗ୍ୟ ହିତାଧିକାରୀ ବାଦ ପଡିବା ସରକାର ମଧ୍ୟ ସ୍ପଷ୍ଟ ଭାବରେ ସ୍ୱୀକାର କରି ସାରିଛନ୍ତି । ଏହିି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଶ୍ରୀ ପଣ୍ଡା ଦୃଢ ସମାଲୋଚନା କରିଛନ୍ତି ।
ରାସନ କାର୍ଡ ପ୍ରସ୍ତୁତିର ତ୍ରୁଟିକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଛୋଟକାଟିଆ ସରକାରୀ କର୍ମଚାରୀଙ୍କ ଉପରେ ଦୋଷ ଲଦି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଦଳର ବିଧାୟକ, ଜିଲ୍ଲା ପରିଷଦ, ବ୍ଲକ ପଂଚାୟତ, ପୌର ସଂସ୍ଥାର ପଦପଦବୀରେ ଥିବା ଶାସକ ଦଳର ନେତା ତଥା ଶାସକ ଦଳର ବଡ ନେତା ଓ କର୍ମୀ ନିଜକୁ ଦୋଷ ମୁକ୍ତ କରି ପାରିବେ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ଓ ଶାସକ ଦଳର ଧନୀ ନେତା ଓ କର୍ମୀଙ୍କୁ ସାମିଲ କରିବା ପଛରେ କେବଳ ତୃଣମୂଳ ସ୍ତରରେ ସରକାରୀ କର୍ମଚାରୀ ନୁହନ୍ତି ବରଂ ଶାସକ ଦଳର କାହା ଇଙ୍ଗିତରେ ଭୁଲ ତାଲିକା ପ୍ରସ୍ତୁତ ହୋଇଛି, ତଦନ୍ତ କରାଯାଇ ଏହା ସ୍ପଷ୍ଟ କରାଗଲେ ପ୍ରକୃତ ଦୋଷୀର ମୁଖା ଖୋଲିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଖାଦ୍ୟ ସୁରକ୍ଷା ଆଇନରେ ଓଡିଶାର ମୋଟ ଜନ ସଂଖ୍ୟାର ୭୮ ଭାଗ ଅର୍ଥାତ ୩ କୋଟି ୨୬ ଲକ୍ଷ ୫୦ ହଜାର ଲୋକ ସାମିଲ ହୋଇ ପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ଗାଇଡଲାଇନ ଜାରୀ କରିଛନ୍ତି । ଓଡିଶାର ସବୁ ଗରୀବଙ୍କୁ ଏହି ତାଲିକାରେ ଯୋଡିବା ପାଇଁ କୌଣସି ସମସ୍ୟା ନାହିଁ । ମାତ୍ର ଏହି ବ୍ୟାପକ ଖାଦ୍ୟ ସୁରକ୍ଷା ଯୋଜନାକୁ ଚଂଚକତା ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାଦ୍ୟ ସୁରକ୍ଷାର ପ୍ରତିବଦ୍ଧତା ଭାବେ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ପ୍ରଚାର ତଥା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଏହାକୁ ଯେପରି ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା ଭାବେ ପ୍ରଚାରିତ କରିବାକୁ ଚେଷ୍ଟା କଲେ, ତାହା ସଂଘୀୟ ବ୍ୟବସ୍ଥାର ଦୃଢ ବିରୋଧାଚରଣ କରୁଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଟଙ୍କିକିଆ ଚାଉଳ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଯୋଜନା ଭାବରେ ଦର୍ଶାଇ ଅଧିକରୁ ଅଧିକ ଅଯୋଗ୍ୟ ଓ ସ୍ୱଚ୍ଛଳ ବିଜେଡି ନେତା ଓ କର୍ମୀଙ୍କୁ ସାମିଲ କରି ଏଥିରୁ ରାଜନୈତିକ ସ୍ୱାର୍ଥ ଲାଭର ଏକ ସୁଚିନ୍ତିତ ଷଡଯନ୍ତ୍ରରେ ପରିଣତ କରିଥିବା ସ୍ପଷ୍ଟ ହୋଇ ଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅଭିଯୋଗ ଶୁଣାଣୀ ଓ ସମାଧାନ ପାଇଁ ଯେଉଁ ଯେଉଁ ବ୍ୟବସ୍ଥା ରହିଛି ଯେପରି ରାଜ୍ୟ ସ୍ତରରେ ଖାଦ୍ୟ କମିଶନ, ଜିଲ୍ଲାସ୍ତରରେ ଗ୍ରିଭାନ୍ସ ରିଡ୍ରେସାଲ ବ୍ୟବସ୍ଥାକୁ ଜାଣିଶୁଣି ବନ୍ଦ କରି ରାସନକାର୍ଡ ବଂଟନ ପ୍ରକ୍ରିୟାକୁ ଦଳୀୟ ଆଧାରରେ ପରିଚାଳିତ କରିବାର ଷଡଯନ୍ତ୍ର ଏବେ ସ୍ପଷ୍ଟ ହୋଇଛି ।
ବିଜେପି କେନ୍ଦ୍ର ସରକାରଙ୍କର ଏହି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ବନ୍ଧରେ ଗାଁ – ଗାଁ ରେ ସଚେତନତା ସୃଷ୍ଟି କରିବ । ତାଲିକାରୁ ଜଣେ ବି ଯୋଗ୍ୟ ପରିବାର ବାଦ ପଡିବେନି ସେଥି ପାଇଁ ବିଜେପି ସଂଘର୍ଷର ରାସ୍ତାରେ ଯିବ । ଏହା ସହ ସାଧାରଣ ଲୋକ ଏକ ଟଙ୍କାରେ ପାଉଥିବା ଚାଉଳର ମୂଲ୍ୟରୁ କେନ୍ଦ୍ର ସରକାର ୨୭ ଟଙ୍କା ବହନ କରୁଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ଦେଇ ଚଂଚକତାର ସହିତ ନିଜସ୍ୱ କାର୍ଯ୍ୟକ୍ରମ ଭାବେ କିପରି ମିଥ୍ୟା ପ୍ରଚାର କରି ଜନମତକୁ ନିଜ ଆଡକୁ ନେବା ପାଇଁ ସରକାରୀ କଳର ଅପ ବ୍ୟବହାର କରୁଛି ତାହା ଲୋକଲୋଚନକୁ ଆଣିବା ପାଇଁ ତୃଣମୂଳ ସ୍ତରର ଦଳୀୟ କାର୍ଯ୍ୟକର୍ତାଙ୍କୁ ଶ୍ରୀ ପଣ୍ଡା ଆହ୍ୱାନ ଜଣାଇଛନ୍ତି । ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ ସରକାର ତାଙ୍କର ଏ ସମ୍ପର୍କରେ ମତ ସ୍ପଷ୍ଟ କରନ୍ତୁ ଯାହା ଦ୍ୱାରା ଓଡିଶାର ସାଧାରଣ ଲୋକ ପ୍ରକୃତ ସତ୍ୟ କଣ ଜାଣି ପାରିବେ ।
ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଏକ ପ୍ରାଚୀରପତ୍ରକୁ ଶ୍ରୀ ପଣ୍ଡା ଉନ୍ମୋଚିତ କରିବା ସହ ଏହି ବାର୍ତାକୁ ଗାଁ- ଗାଁକୁ ପହଂଚାଇ ରାଜ୍ୟ ସରକାରଙ୍କ ଚଂଚକତାକୁ ଜନସଚେତନତା ମାଧ୍ୟମରେ ସ୍ପଷ୍ଟ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ସଭାପତି ହେବା ପରେ ଶ୍ରୀ ପଣ୍ଡା ଚାରି ସୂତ୍ରୀ କାଯ୍ୟକ୍ରମ ଆଧାରରେ କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ପ୍ରଥମରେ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା, ଦ୍ୱିତୀୟରେ ଯୁବ ଶକ୍ତି ଓ ମାତୃଶକ୍ତିକୁ ଅଧିକ ପ୍ରାଧାନ୍ୟ ଦେବା, ତୃତୀୟରେ ମୋଦୀ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ବ୍ୟାପକ ପ୍ରଚାର କରିବା ଚତୁର୍ଥରେ ରାଜ୍ୟ ସରକାରଙ୍କର ଜନବିରୋଧୀ କାଯ୍ୟକୁ ଜନ ଆନେ୍ଦାଳନରେ ପରିଣତ କରିବା ।

Share in top social networks!