ଏ.ବି. ବର୍ଦ୍ଧନ ତ୍ୟାଗ, ସଂଗ୍ରାମ ଓ ବାମ-ଗଣତାନ୍ତ୍ରିକ ଐକ୍ୟର ପ୍ରତୀକ ଥିଲେ

bardhan ଭାରତବର୍ଷର ପ୍ରଖ୍ୟାତ କମୁ୍ୟନିଷ୍ଟ ନେତା, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ପୂର୍ବତନ ସାଧାରଣ ସମ୍ପାଦକ ଏ.ବି. ବର୍ଦ୍ଧନ ତାଙ୍କର ଦୀର୍ଘ ରାଜନୈତିକ ଜୀବନ କାଳ ମଧ୍ୟରେ ଶୋଷିତ, ନିର୍ଯାତିତ ଓ ମେହେନତୀ ମଣିଷ ପାଇଁ ଉ୍ତ୍ସର୍ଗୀକୃତ, କମୁ୍ୟନିଜମର ଆଦର୍ଶ ପ୍ରତି ଅଙ୍ଗୀକାରବଦ୍ଧ ଏବଂ ତ୍ୟାଗ ଓ ସଂଗ୍ରାମର ପ୍ରତୀକ ଥିଲେ ବୋଲି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ଦଳର ନେତୃବର୍ଗ ମତ ପ୍ରକାଶ କରିଛନ୍ତି ।
ଆଜି ଇନ୍ଷ୍ଟିଚୁ୍ୟସନ ଅଫ୍ ଇଞ୍ଜିନିୟର୍ସଠାରେ ଶ୍ରମିକ ନେତା ସୌରୀବଂଧୁ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇର ଜାତୀୟ ସମ୍ପାଦକ ତଥା ସାଂସଦ ଡି.ରାଜା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ– ଏ.ବି. ବର୍ଦ୍ଧନ, ୧୯୪୦ ମସିହାରେ ନାଗପୁରରେ ଛାତ୍ର ଆନେ୍ଦାଳନର ନେତୃତ୍ୱ ନେଉଥିବା ସମୟରେ ଶ୍ରମିକମାନଙ୍କ ଦୁଃଖ ଦୁର୍ଦ୍ଧଶାକୁ ଅତି ନିକଟରୁ ଦେଖି ଶ୍ରମିକ ଆନେ୍ଦାଳନରେ ସାମିଲ ହେବା ସହିତ ପରବର୍ତ୍ତୀ ସମୟରେ ଭାରତବର୍ଷର ଶ୍ରମିକ ଶ୍ରେଣୀର ସାଲିସହୀନ ମହାନ୍ ଯୋଦ୍ଧା ରୂପେ ଉଭା ହେବା ସହିତ କୃଷକ, କ୍ଷେତମୂଲିଆ, ଦଳିତ ଓ ଆଦିବାସୀ ସମସ୍ତ ଖଟିଖିଆ ମଣିଷଙ୍କ ସ୍ୱାର୍ଥ ଓ ସଂଗ୍ରାମ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ୧୯୯୬ ମସିହାରେ କେନ୍ଦ୍ରରେ ଇନ୍ଦ୍ର କୁମାର ଗୁଜୁରାଲଙ୍କ ନେତୃତ୍ୱରେ ଅଣ କଂଗ୍ରେସ ଓ ଅଣ ବିଜେପି ସରକାର ଗଢ଼ାଯିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ଏବଂ ତା’ ପରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା-୧ ସରକାର ଯେଉଁ ୧୬ ଦଫା ମିଳିତ କାର୍ଯ୍ୟକ୍ରମକୁ ଭିତ୍ତିକରି ଗଢ଼ାଯାଇଥିଲା ତାହା ପ୍ରସ୍ତୁତ କରିବାରେ ବର୍ଦ୍ଧନ ଅନ୍ୟତମ ମୁଖ୍ୟ ଭୂୂମିକା ଗ୍ରହଣ କରିଥିଲେ । ଏହା ସହିତ ଭାରତରେ ବାମପନ୍ଥୀ ଐକ୍ୟ ପ୍ରତିଷ୍ଠାର ସେ ଅନ୍ୟତମ ବିନ୍ଧାଣୀ ଏବଂ ବାମପନ୍ଥୀ-ଗଣତାନ୍ତ୍ରିକ ଐକ୍ୟର ମହାନ୍ ପ୍ରବକ୍ତା ଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ସାଧାରଣ ସମ୍ପାଦକ ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ, କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ ଓ ସହସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ(ଏମ)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ(ଏମ୍ଏଲ) ଲିବରେସନର ଯୁଧିଷ୍ଠିର ମହାପାତ୍ର, ଏସୟୁସିଆଇ(କମୁ୍ୟନିଷ୍ଟ) ପକ୍ଷରୁ ଉଦ୍ଧବ ଜେନା, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆରଜେଡିର ରାଜ୍ୟ ସଭାପତି ହରିଶ ମହାପାତ୍ର ଓ ଫରୱାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମ୍ପ୍ରଦାୟିକତାବାଦ ଓ ଅସହିଷ୍ଣୁତା ବିରୋଧରେ ଏ.ବି. ବର୍ଦ୍ଧନଙ୍କ ସ୍ୱର ଖୁବ୍ ଶାଣିତ ଓ ତୀକ୍ଷ୍ଣ ଥିଲା ବୋଲି ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ସହିତ ତାଙ୍କର ସମ୍ପର୍କ ନିବିଡ଼ ଥିଲା ଏବଂ ଓଡ଼ିଶା ନରନାରୀଙ୍କ ପ୍ରତ୍ୟେକ ସମସ୍ୟା ଓ ସଂଗ୍ରାମର ନେତୃତ୍ୱ ନେବା ପାଇଁ ସେ ଓଡ଼ିଶାରେ ପହଞ୍ଚୁଥିଲେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ପକ୍ଷରୁ ଏନ. ନାରାୟଣ ରେଡି, ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ, ବିକେଏମୟୁ ପକ୍ଷରୁ ରାଜ୍ୟ ସମ୍ପାଦକ ସୁର ଜେନା, ଅଖିଳ ଭାରତ ଯୁବ ସଂଘ ସମ୍ପାଦକ ପ୍ରଦୀପ ସେଠୀ ଓ ଉକ୍ରଳ ମହିଳା ସମିତିର ସାଧାରଣ ସମ୍ପାଦିକା ପ୍ରଭାବତୀ ଦାଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଭାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ବାମପନ୍ଥୀ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Share in top social networks!