ନୀତି ନିର୍ଦ୍ଧାରଣ ନକରି କଣ ପାଇଁ ସୂଚନା କମିଶନ୍କୁ ଖାଦ୍ୟ କମିଶନ୍ ଦାୟିତ୍ୱ ଦିଆଯିବା ଆଇନକୁ ଆଖିଠାର: ବିଜେପି

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ କରିବା କ୍ଷେତ୍ରରେ ରାଜ୍ୟ ସରକାର ଆଇନ୍ର ବିଭିନ୍ନ ଦିଗ ପ୍ରତି ଅବମାନନା କରିଥିବାର ଅଭିଯୋଗ ତୀବ୍ର ହେବା ପରେ ସେଥିରୁ ରକ୍ଷା ପାଇବା ପାଇଁ ସରକାର ଯେଉଁ ସଫେଇ ଦେଇଛନ୍ତି ତାହା ଆଇନ୍କୁ ଆଖିଠାର ଭଳି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
କୌଣସି ନୀତି ନିର୍ଦ୍ଧାରଣ ନକରି ଏବଂ ଖାଦ୍ୟ କମିଶନ ଗଠନ ନକରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍କୁ ରାଜ୍ୟରେ ଲାଗୁ କରିବା ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବା ବେଳେ ଏଭଳି ଅଭିଯୋଗରୁ ବର୍ତ୍ତିବା ପାଇଁ ଏବେ ରାଜ୍ୟ ସରକାରଂକ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ସଫେଇରେ କୁହାଯାଇଛି ଯେ ସରକାର ଆଇନ୍ ଅନୁଯାୟୀ ୧୪ ଅକ୍ଟୋବର ୨୦୧୫ ତାରିଖରେ ଏକ ବିଜ୍ଞପ୍ତି ଜରିଆରେ ପ୍ରତି ଜିଲ୍ଲାର ଡିଆରଡିଏମାନଂକୁ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ଦାୟିତ୍ୱ ଏବଂ ରାଜ୍ୟ ସୂଚନା କମିଶନ୍କୁ ଖାଦ୍ୟ କମିଶନ୍ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହା ସହିତ ବିଭାଗ ତରଫରୁ ଏକଥା ମଧ୍ୟ କୁହାଯାଇଛି ଯେ ରାଜ୍ୟ ଖାଦ୍ୟ କମିଶନ୍ର ଗଠନ ଏବଂ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ନୀତି ନିର୍ଦ୍ଧାରଣ ପ୍ରସ୍ତୁତି ପ୍ରକ୍ରିୟାରେ ଅଛି । ପ୍ରସ୍ତୁତ ହେବାପରେ ପ୍ରଥମେ ଆଇନ୍ ବିଭାଗ ଏହାର ତର୍ଜମା କରିବ ଏବଂ ତାପରେ କ୍ୟାବିନେଟ୍କୁ ଅନୁମୋଦନ ପାଇଁ ଯିବ ।
ତେବେ, କୌଣସି ନୀତି ନିର୍ଦ୍ଧାରଣ ନକରି କିପରି ଏବଂ କଣ ପାଇଁ ରାଜ୍ୟ ସୂଚନା କମିଶନ୍କୁ ଖାଦ୍ୟ କମିଶନ୍ ଦାୟିତ୍ୱ ପ୍ରଦାନ କରିବା କେବଳ ଆଇନକୁ ଆଖିଠାର ଭଳି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜସ୍ୱ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସାମଲ ।

Share in top social networks!