କେବଳ ରାଜନୈତିକ ଫାଇଦା ପାଇଁ ରାଜ୍ୟବାସୀଙ୍କୁ ଭୁତେଇବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ: ବିଜେପି

କେନ୍ଦ୍ରୀୟ ଅନୁଦାନ ରାଶି ବ୍ୟବହାର କରି ଅଧିକାଂଶ ଲୋକପ୍ରିୟ ଯୋଜନା ଚଳାଉଥିବା ବେଳେ ସମ୍ପୂର୍ଣ୍ଣ ଅଯୌକ୍ତିକ ଭାବେ କେନ୍ଦ୍ରୀୟ ଅବହେଳାର ରଟ ଲଗେଇବା ସହ କେନ୍ଦ୍ରୀୟ ଅନୁଦାନ ଅର୍ଥ ଆବଶ୍ୟକତା ଠାରୁ କମ୍ ମିଳୁଥିବା କହି ରାଜ୍ୟବାସୀଂକୁ ଭୁତେଇବାର ପ୍ରୟାସକୁ ବନ୍ଦ କରି ନବୀନ ପଟନାୟକ ସରକାର ବାସ୍ତବ ତଥ୍ୟକୁ ସାଧାରଣ ଲୋକଂକ ସାମ୍ନାକୁ ଆଣୁ ବୋଲି ଓଡ଼ିଶା ରାଜ୍ୟ ବିଜେପି ଦାବୀ କରିଛି ।
ବିଶେଷ କରି ଚତୁର୍ଦ୍ଧଶ ଅର୍ଥ କମିଶନ୍ଂକ ପରାମର୍ଶ ଆଧାରରେ ୨୦୧୫-୧୬ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ରାଶି କମ୍ ହୋଇଛି ବୋଲି ନବୀନ ସରକାର କରି ଆସୁଥିବା ଅଭିଯୋଗ ତଥ୍ୟ ସମ୍ବଳିତ ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସମୀର ମହାନ୍ତି ।
୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାର ୧୯୫୮୦ କୋଟି ଟଂକାର କେନ୍ଦ୍ରୀୟ ଅନୁଦାନର ଲକ୍ଷ୍ୟ ରଖିଥିବା ବେଳେ ଚତୁର୍ଦ୍ଧଶ ଅର୍ଥ କମିଶନ୍ ପରାମର୍ଶ ଅନୁଯାୟୀ ନୂତନ ବଂଟନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଭାଗକୁ ଆସିଲା ୨୬୮୯୦.୨୭ କୋଟି ଟଂକା ଅର୍ଥାତ୍ ରାଜ୍ୟ ସରକାସଂକ ଲକ୍ଷ୍ୟଠାରୁ ୭୩୧୦ କୋଟି ଟଂକା ଅଧିକ ।
ବିଆର୍ଜିଏଫ୍ ଭଳି କିଛି ଯୋଜନା କେନ୍ଦ୍ରୀୟ ସହାୟତା ବ୍ୟବସ୍ଥାରୁ ବିଚ୍ୟୁତ ହୋଇଥିବା ବେଳେ ଏହା ବଦଳରେ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ପରିମାଣର ମୁକ୍ତ ଅନୁଦାନ ଅର୍ଥ ପ୍ରଦାନ କରିଛନ୍ତି କାରଣ ନିଜର ଆବଶ୍ୟକତା ମୁତାବକ ବିଭିନ୍ନ ସାମାଜିକ ଏବଂ ଆର୍ଥିକ ବିକାଶ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହି ଅର୍ଥର ଉପେଯାଗ କରିପାରିବ । ତଥ୍ୟ ମୁତାବକ ଯୋଜନାର ପୂନର୍ବିନ୍ୟାସ, ବିଚ୍ୟୁତି ଏବଂ ବନ୍ଦ ହୋଇଥିବା ଯୋଜନା ବାବଦ ଓଡ଼ିଶାର ଭାଗ ୫୮୭୪.୪୪ କୋଟି ଟଂକା ହୋଇଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ଲକ୍ଷ୍ୟ ଠାରୁ ୭୩୧୦ କୋଟି ଟଂକା ଅଧିକ ଅନୁଦାନ ପାଇଛି ଅର୍ଥାତ୍ ଓଡ଼ିଶାକୁ ଆବଶ୍ୟକତାଠାରୁ ୧୫୧୬.୫୬ କୋଟି ଟଂକା ଅଧିକ ମିଳିଛି । ଏଭଳି କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା ଏବଂ କମ୍ କେନ୍ଦ୍ରୀୟ ଅନୁଦାନ ମିଳୁଥିବା ନବୀନ ସରକାରର ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଏବଂ ଅସତ୍ୟ ବୋଲି କହିଛନ୍ତି ଶ୍ରୀଯୁକ୍ତ ମହାନ୍ତି ।
ତେବେ କେନ୍ଦ୍ର ଯେଉଁଭଳି ଭାବେ ନୂତନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟମାନଂକୁ ଅଧିକ ଅନୁଦାନ ଅର୍ଥ ପ୍ରଦାନ କରିବା ବ୍ୟବସ୍ଥା କରିଛି, ରାଜ୍ୟ ମଧ୍ୟ ସେହି ଧାରାରେ ଜିଲ୍ଲାମାନଂକ ପାଇଁ ଅଧିକ ସହାୟତା ରାଶିର ବ୍ୟବସ୍ଥା କରୁ ବୋଲି ଶ୍ରୀଯୁକ୍ତ ମହାନ୍ତି ଦାବୀ କରିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି, ଯୋଜନା କମିଶନ୍ର ପୁନର୍ବିନ୍ୟାସ କରି ଗଠନ କରାଯାଇଥିବା ନୀତି ଆୟୋଗରେ ରାଜ୍ୟର କେବଳ ମୁଖ୍ୟମନ୍ତ୍ରୀ ହିଁ ସଦସ୍ୟ ଅଛନ୍ତି । ରାଜ୍ୟର ସମସ୍ତ ସମସ୍ୟାକୁ ନୀତି ଆୟୋଗ ବୈଠକରେ ଉପସ୍ଥାପିତ କରି ଆବଶ୍ୟକ ପରିମାଣର ଅର୍ଥ ଦାବୀ କରିବାର ସମସ୍ତ ସୁଯୋଗ ତାଂକ ପାଖରେ ରହିଥିବା ବେଳେ ରାଜ୍ୟ ଏବଂ ରାଜ୍ୟବାସୀଂକ ସ୍ୱାର୍ଥସାଧନ ପାଇଁ ସେ ସୁଯୋଗର ବ୍ୟବହାର ନକରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଂକର କେବଳ ଦୋଷ ଲଦିବାର ପ୍ରବୃତି ଯେତିକି ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ, ସେତିକି ଜନସ୍ୱାର୍ଥ ବିରୋଧି ଏବଂ ରାଜ୍ୟସ୍ୱାର୍ଥ ବିରୋଧି ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ମହାନ୍ତି ।
ଏହା କରି ମୁଖ୍ୟମନ୍ତ୍ରୀ ଲୋକଂକୁ ନା ନିଜକୁ ନିଜେ ଠକୁଛନ୍ତି ସେକଥା ସେ ବିଚାର କରନ୍ତୁ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ।
ପୁଣିଥରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ନେଇ ଶାସକ ଦଳ ବିଜେଡ଼ି ଏବଂ ନବୀନ ସରକାର ଆରମ୍ଭ କରିଥିବା ରାଜନୀତି ସଂପର୍କରେ ନିଜର ମତ ରଖି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ଯେ ପୂର୍ବରୁ ଥିବା ଯୋଜନା କମିଶନ୍ ବ୍ୟବସ୍ଥାରେ ଏହି ଦାବୀକୁ ବିଜେପି ମଧ୍ୟ ଦୃଢ଼ ସମର୍ଥନ କରିଆସୁଥିଲା । କିନ୍ତୁ ଏବେ ନୀତି ଆୟୋଗ ବ୍ୟବସ୍ଥାରେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକ ପରିମାଣର କେନ୍ଦ୍ରୀୟ ଅନୁଦାନ ପାଇବାର ସୁବ୍ୟବସ୍ଥା ରହିଥିବାରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଂଗ ତାହାର ପ୍ରସଂଗିକତା ହରାଇଛି ।
ତେଣୁ ଲୋକଂକ ଦୁସ୍ଥିତିକୁ ନେଇ ରାଜ୍ୟ ସରକାର ଏଭଳି ରାଜନୀତି ବନ୍ଦ କରୁ ଏବଂ ଲୋକଂକ ପାଖକୁ ଯିବା ସହ ଲୋକଂକ ସମସ୍ୟାକୁ ଠିକ୍ ଭାବେ ବୁଝୁ ଏବଂ ସେସବୁକୁ ଠିକ୍ ଭାବେ ଉପସ୍ଥାପିତ କରି ଆବଶ୍ୟକ କେନ୍ଦ୍ରୀୟ ଅନୁଦାନ ରାଶି ପାଇଁ ଦାବୀ କରୁ ବୋଲି କହିଛନ୍ତି ଶ୍ରୀଯୁକ୍ତ ମହାନ୍ତି ।

Share in top social networks!