ସହମତି ଭିତ୍ତିରେ ରାଜ୍ୟ ବିଜେପିର ତୃତୀୟ ପର୍ଯ୍ୟାୟ ସାଂଗଠନିକ ପର୍ବ ସମାପ୍ତ

ପୂର୍ଣ୍ଣ ସହମତି ଭିତ୍ତିରେ ବୁଥ୍ ସ୍ତରରୁ ଆରମ୍ଭ କରି ସମସ୍ତ ସାଂଗଠନିକ ଜିଲ୍ଲାର କାର୍ଯ୍ୟକର୍ତ୍ତା ଏବଂ ସଭାପତି ନିର୍ବାଚନ ଶେଷ ହେବା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ସାଂଗଠନିକ ପର୍ବ ସମାପ୍ତ ହୋଇଛି ।
ବିଭିନ୍ନ ପ୍ରସଂଗରେ ଦଳର ଆଭିମୁଖ୍ୟ ଏବଂ ବିଭିନ୍ନ୍ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ତଥା ସାଧାରଣ ଲୋକଂକ ପାଖରେ ପହଂଚାଇବା ପାଇଁ ସର୍ବମତେ କାମ କରିବାର ସଂକଳ୍ପ ନେଇଛନ୍ତି ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତା ଏବଂ ଉପସ୍ଥିତ କର୍ମୀ ।
ବର୍ତ୍ତମାନ ରାଜ୍ୟରେ ୩୨ ଲକ୍ଷରୁ ଅଧିକ ସଦସ୍ୟ ବିଜେପିରେ ସାମିଲ୍ ହୋଇଥିବାବେଳେ ଏକ ବର୍ଷଧରି ଚାଲିଥିବା ଡିଜିଟାଲ୍ ସଦସ୍ୟତା କାର୍ଯ୍ୟକ୍ରମ ଏବଂ ସମ୍ପର୍କ ଅଭିଯାନକୁ ଜୋର୍ଦାର୍ କରି ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରିବା ସହ ମଣ୍ଡଳ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ କରି କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନଂକୁ ଅଧିକ ସଶକ୍ତ ତଥା କାର୍ଯ୍ୟକ୍ଷମ କରିିବା ପାଇଁ ଏଠାରେ ସ୍ଥିର କରାଯାଇଛି ।
ଏହି ଅବସରରେ ଦଳର ଦୁଇ କେନ୍ଦ୍ରୀୟ ଅଧିକାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅରୁଣ ସିଂହ ଓ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ସୌଦାନ ସିଂହଂକ ସମେତ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସମୟରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଂକୁ ସଂବୋଧିତ କରି ଉଦବୁଦ୍ଧ କରିଥିଲେ ।
ଏହି ପର୍ବରେ ନିର୍ବାଚନ ସୁପରିଚାଳନା ପାଇଁ ରାଜ୍ୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ଶାରଦା ପ୍ରସାଦ ଶତପଥୀ, ସଦସ୍ୟତା ପ୍ରଭାରୀ ରଂଜନ ପଟେଲ୍ ଓ ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ରାଜକିଶୋର ଦାସ ପ୍ରମୁଖ ତିନୋଟି ଦଳର ନେତୃତ୍ୱ ନେଇଥିବାବେଳେ ବରିଷ୍ଠ ନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର, ଶ୍ରୀଯୁକ୍ତ ବିଶ୍ୱଭୁଷଣ ହରିଚନ୍ଦନ, ବିଜେପି ବିଧାୟକ ଦଳ ନେତା ଶ୍ରୀଯୁକ୍ତ ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସମୀର ଦେ, ଶ୍ରୀମତି ସୁରମା ପାଢ଼ୀ ଓ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନମୋହନ ସାମଲ, ନୟନ କିଶୋର ମହାନ୍ତି ଓ ମୋହନ ମାଝୀ, ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଅଶୋକ ମିଶ୍ର, ଡଃ ଯତୀନ ମହାନ୍ତି, ଶ୍ରୀଯୁକ୍ତ ବିରଂଚି ତ୍ରିପାଠୀ, ଶ୍ରୀଯୁକ୍ତ ଛୋଟେଲାଲ୍ ମହନ୍ତ, ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ଓ ଶ୍ରୀମତି ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ପ୍ରମୁଖ ସାଂଗଠନିକ ଜିଲ୍ଲାମାନଙ୍କରୁ ଆସିଥିବା କର୍ମୀମାନଂକୁ ପରାମର୍ଶ ଦେବା ସହ ବ୍ୟାପକ ସହମତି ସୃଷ୍ଟି କରିବାରେ ସଫଳ ହୋଇଥିଲେ ।
ଖୁବ୍ ଶୀଘ୍ର ଜିଲ୍ଲା କମିଟି ଓ ସଭାପତିଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ।

Share in top social networks!