ସଂସଦର ଶୀତ ଅଧିବେଶନକୁ ଚାଲିବାକୁ ନଦେଇ ପ୍ରମୁଖ ବିରୋଧି ଦଳ କଂଗ୍ରେସ ଦେଶର ପ୍ରଭୂତ କ୍ଷତି କରିଛି: କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା

sinhajiଶୀତ ଅଧିବେଶନରେ କଂଗ୍ରେସ ଦଳ ଯେଉଁଭଳି ଭାବେ ବିଭିନ୍ନ ଆଳ ଦେଖାଇ ସଂସଦର ଗତିରୋଧ କଲା ସେ ସମ୍ପର୍କରେ ଦେଶବାସୀଂକୁ ଅବଗତ କରାଇବା ସହ ଏଭଳି ଆଚରଣ ବିରୁଦ୍ଧରେ ଜନମତ ସୃଷ୍ଟି କରିବାକୁ ଆଜି ଭୁବନେଶ୍ୱରସ୍ଥିତ ହୋଟେଲ୍ ମ୍ୟାରିଅନ୍ରେ ସାଂବାଦିକମାନଂକୁ ଭେଟିବା ଅବସରରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜୟନ୍ତ ସିହ୍ନା କହିଛନ୍ତି ଯେ ଗୁଡ଼୍ସ୍ ଏଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସ୍ଟି ସଂଶୋଧନ ବିଲ୍କୁ ଆସିବାକୁ ନଦେଇ କଂଗ୍ରେସ ଦଳ ଭାରତୀୟ ଅର୍ଥନୀତି ଏବଂ ଗଣତନ୍ତ୍ରର ବଡ଼ କ୍ଷତି କରିଛି ।
ୟୁପିଏ ଶାସନ ସମୟରେ ଦେଶର ଆର୍ଥିକ ସ୍ଥିତି ଲାଲ୍ ସଂକେତରେ ଥିବା ବେଳେ ଏବେ ଏନ୍ଡିଏ ସରକାରରେ ଏହା ସବୁଜ ସଂକେତକୁ ଆସିପାରିଛି ଏବଂ ଜିଡ଼ିପି ବୃଦ୍ଧିହାର ୭.୫ ପ୍ରତିଶତରେ ପହଂଚିଛି । ଦେଶରେ ବିଦେଶୀ ପୁଂଜି ନିବେଶର ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ଦର୍ଶାଇବା ସହ ସଂସଦର ଶୀତ ଅଧିବେଶନ ଠିକ୍ ଭାବେ ଚାଲିଥିଲେ ଜିଏସ୍ଟି ସଂଶୋଧନ ବିଲ୍ ଏବଂ ବ୍ୟାଂକ୍ରପ୍ସି କୋଡ଼୍ ଆଦି ଗୃହିତ ହୋଇପାରିଥାନ୍ତା ଯାହା ଫଳରେ ଦେଶର ଅର୍ଥନୈତିକ ପ୍ରଗତି ଦୃତତର ହୋଇପାରିଥାନ୍ତା ବୋଲି ଶ୍ରୀଯୁକ୍ତ ସିହ୍ନା କହିଛନ୍ତି ।
ତେବେ ୟୁପିଏ-୨ ଶାସନ କାଳରେ ବିଜେପି କାହିଁକି ସଂସଦର ଗତିରୋଧ କରୁଥିଲା ବୋଲି ସାଂବାଦିକଂକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀଯୁକ୍ତ ସିହ୍ନା କହିଛନ୍ତି ଯେ, ସେତେବେଳେ ଟୁ-ଜି ଭଳି ଏକ ବ୍ୟାପକ ଟେଲିକମ୍ ସ୍କାମ୍ ହୋଇଥିଲା ଯାହାର ମୂଲ୍ୟ ସିଏଜି ଆକଳନ ମୁତାବକ ୧ଲକ୍ଷ ୮୦ହଜାର କୋଟି ଟଂକା ଥିଲା ଏବଂ ବାରଂବାର ଚାପ ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ବିଜେପି ବିରୋଧ କରିଥିଲା ।
କିନ୍ତୁ କଂଗ୍ରେସ ଦଳ ଭଳି ବିଜେପି କେବେବି ବିଧେୟକ ବ୍ୟବସ୍ତାକୁ ରୋକିବାର ଚେଷ୍ଟା କରିନଥିଲା ବୋଲି ଶ୍ରୀଯୁକ୍ତ ସିହ୍ନା କହିଛନ୍ତି ।
କଳାଟଂକା ପ୍ରସଂଗରେ ମୋଦି ସରକାର କଣ କରିଛନ୍ତି ସେ ପ୍ରଶ୍ନର ଉତ୍ତରରେ ଶ୍ରଯୁକ୍ତ ସିହ୍ନାଂ କହିଛନ୍ତି, କଳାଟଂକା ଏବଂ ବେନାମୀ ଆକାଉଣ୍ଟ ଠାବ କରିବା ପାଇଁ ସରକାର କଡ଼ାକଡ଼ି ବ୍ୟବସ୍ଥା କରିଥିବା ବେଳେ ଏବଂ ଭାରତୀୟମାନଂକର ବିଦେଶରେ ଥିବା ଆକାଉଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ଜି-୨୦ ସ୍ତରରେ ଭାରତ ପ୍ରୟାସ ଆରମ୍ଭ କରିଛି ଏବଂ ଏଥିରେ ଅନେକାଂଶରେ ସଫଳ ମଧ୍ୟ ହୋଇଛି ।
ଏହି ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଂକ ସହ ସାକ୍ଷାତ ସମୟରେ ହୋଏଥିବା ଆଲୋଚନାର ବିଷୟବସ୍ତୁ ସଂପର୍କରେ ଶ୍ରୀଯୁକ୍ତ ସିହ୍ନା କହିଛନ୍ତି ଯେ ଏହି ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତିର ସମୀକ୍ଷା କରିବା ସହ ଜଳସେଚନ ବ୍ୟବସ୍ଥାର ସଂପ୍ରସାରଣ, ଅଧିକ ମେଡ଼ିକାଲ୍ କଲେଜ ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ, ବିଶ୍ୱ ବ୍ୟାଂକ, ଏସିଆନ୍ ଡେଭଲପ୍ମେଣ୍ଟ୍ ବ୍ୟାଂକ ଏବଂ ଜାପାନ ଡେଭଲପ୍ମେଣ୍ଟ ବ୍ୟାଂକ୍ ଆଦିରୁ ବହୁସ୍ତରୀୟ ଆର୍ଥିକ ସହାୟତା ଏବଂ ରାଜ୍ୟର ପଛୁଆ ଜିଲ୍ଲା ମାନଂକର ବିକାଶ ପାଇଁ ଅଧିକ ଅନୁଦାନ ସଂପର୍କରେ ଆଲୋଚନା ହେବା ସହିତ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାର ସମୀକ୍ଷା ମଧ୍ୟ ହୋଇଛି ।
ଏହି ସମୟରେ ଜିଏସ୍ଟି ବିଲ୍କୁ ସଂସଦରେ ବିଜେଡ଼ି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରତିଶୃତି ଦେଇଥିବା କଥା ଶ୍ରୀଯୁକ୍ତ ସିହ୍ନା ପ୍ରକାଶ କରିଛନ୍ତି ।
ଓଡ଼ିଶା ସରକାର ବାରଂବାର ଉଠାଉଥିବା କେନ୍ଦ୍ରୀୟ ଅବହେଳା ପ୍ରସଂଗ ଉପରେ ମନ୍ତ୍ରୀ ଶ୍ରୀଯୁକ୍ତ ସିହ୍ନା କହିଛନ୍ତି ଯେ ଚତୁର୍ଦ୍ଧଶ ଅର୍ଥ କମିଶନ୍ରେ ହୋଇଥିବା ବଂଟନ ବ୍ୟବସ୍ଥା ସର୍ବୋତ୍ତମ ଏବଂ ଏହା ଦ୍ୱାରା ରାଜ୍ୟମାନଂକୁ ଅଧିକ ପରିମାଣର ଅଣେଯାଜନା ବାବଦ ଅର୍ଥ ପ୍ରଦାନ କରାଯାଉଛି ଯାହାକୁ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ବ୍ୟବହାର କରିପାରିବେ ।
ମନ୍ତ୍ରୀ ଶ୍ରୀଯୁକ୍ତ ସିହ୍ନାଂକ ସହ ଉକ୍ତ ସାଂବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ବିଜେପି ବିଧାୟକ ଦଳ ନେତା ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!