ନବୀନ ସରକାର-ଓକେସିଏଲ୍ ମଧୁଚନ୍ଦ୍ରିକା: ହରିଲୁଟ୍ ହେଉଛି ଗରିବ ଛାତ୍ରଛାତ୍ରୀଂକ ମେଧାବୃତ୍ତି ଅର୍ଥ

ନବୀନ ସରକାର ଓ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେବ୍ (ଓକେସିଏଲ୍) ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଓ କେନ୍ଦ୍ରୀୟ ଅନୁଦାନ ହରିଲୁଟ୍ର ଆଉ ଏକ ଫର୍ଦ୍ଧ ଉନ୍ମୋଚିତ ହୋଇଛି । ରାଜ୍ୟର ବିଭିନ୍ନ ପାଠ୍ୟକ୍ରମରେ ପଡ଼ୁଥିବା ୨୪୫୦୦ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ପାଇଁ ଯୋଗ୍ୟ ହେଇଥିବା ବେଳେ ସରକାରଂକଠାରୁ ଦାୟୀତ୍ୱ ନେଇଥିବା ଓକେସିଏଲ୍ର ଗୁରୁତର ଭୁଲ୍ ଏବଂ ଅର୍ଥ ହଡ଼ପ କରିବା ମନୋବୃତ୍ତି ଯୋଗୁଁ ୨୦୧୪-୧୫ରେ ପ୍ରାୟ ୧୫୫୦୦ ମେଧାବୀ ଛାତ୍ରଛାତ୍ରୀ ସେମାନଂକ ଛାତ୍ରବୃତ୍ତି ଅର୍ଥ ପାଇବାରୁ ବଂଚିତ ହୋଇଛନ୍ତି ।
ଓକେସିଏଲ୍ ଦ୍ୱାରା ପ୍ରସ୍ତୁତ ତୃଟିଯୁକ୍ତ ସଫ୍ଟୱେର୍ ଯୋଗୁଁ ଛାତ୍ରବୃତ୍ତି ପାଇଁ ଉଦ୍ଧିଷ୍ଟ ସମୁଦାୟ ୪୦ କୋଟି ଟଂକାରୁ ମାତ୍ର ୧୩ କୋଟି ଟଂକା ବଂଟାଯାଇପାରିଛି । ସେଥିରେ ପୁଣି ଦେଖିବାକୁ ମିଳିଛି ବ୍ୟାପକ ଦୋଷତୃଟି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗରିବ ମେଧାବୀ ଛାତ୍ରଛାତ୍ରୀମାନଂକ ପାଠପଢ଼ିବାର ସୁବିଧା ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ରାଜ୍ୟକୁ ସ୍ୱତନ୍ତ୍ର ଭାବେ କୋଟି କୋଟି ଟଂକା ପ୍ରଦାନ କରିଥାନ୍ତି । କିନ୍ତୁ ବିଭିନ୍ନ ଅସଦ୍ ଉପାୟରେ ଏହି ମେଧାବୃତ୍ତି ଅର୍ଥର ବ୍ୟାପକ ହେରଫେର ହୋଇଥିବା ଏବେ ନଜରକୁ ଆସିଛି । ଆଉ ଏଥିରେ ସରକାର ମାଧ୍ୟମ କରିଛନ୍ତି ନିଜେ ମହାରାଷ୍ଟ୍ର ନଲେଜ୍ କର୍ପୋରେସନ୍ ଲିମିଟେଡ଼୍ (ଏମ୍କେସିଏଲ୍) ସହ ମିଶି ଗଠନ କରିଥିବା କମ୍ପାନୀ ଓକେସିଏଲ୍କୁ ।
କିଛି ବୈଷୟିକ ଶିକ୍ଷାନୁଷ୍ଠାନରେ କରାଯାଇଥିବା ସ୍ୱତନ୍ତ୍ର ଅଡ଼ିଟ୍ରୁ ଜଣାପଡ଼ିଛି, ଶତାଧିକ ଅଯୋଗ୍ୟ ଏବଂ ବେନାମୀ ଆକାଉଂଟ୍ରେ ମେଧାବୃତ୍ତି ଅର୍ଥ ଜମା କରାଯାଇଛି । ସରକାରଂକ ସହ ସଲାସୁତୁରାରେ ମେଧାବୃତ୍ତି ଅର୍ଥ ଲୁଟ୍ ପାଇଁ ଓକେସିଏଲ୍ ସୁଚୁନ୍ତିତ ଯୋଜନା କରିଥିବା ଏଥିରୁ ସ୍ପଷ୍ଟ ହୋଇଥିବା ବେଳେ ସରକାର ମେଧାବୀ କିନ୍ତୁ ଗରିବ ଛାତ୍ରଛାତ୍ରୀଂକ ଶିକ୍ଷା ତଥା ଭବିଷ୍ୟତ ପ୍ରତି କେତେ ଉଦାସୀନ ତାହା ପଦାରେ ପଡ଼ିଛି ।
ବୃତ୍ତି ଅର୍ଥ ନପାଇବାରୁ ଅତ୍ୟାବଶ୍ୟକ ପେନ୍, ପେନ୍ସିଲ୍, ଖାତା ଆଦି କିଣିନପାରି ରାଜ୍ୟର ଛାତ୍ରଛାତ୍ରୀମାନେ ଗ୍ଲାନିଭାବର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଥିବାର ଅନେକ ଉଦାହରଣ ରହିଥିବା ବେଳେ ଏବେ ଯେଉଁ ହଜାର ହଜାର ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବାରୁ ବଂଚିତ ହୋଇଛନ୍ତି ସେମାନେ କିଭଳି ପାଠପଢ଼ା ଖର୍ଚ୍ଚ ତୁଲାଉଛନ୍ତି ସେସମ୍ପର୍କରେ ନା ସରକାର ଆବଶ୍ୟକ ତଥ୍ୟ ରଖିଛନ୍ତି ନା ସେଥିପ୍ରତି କୌଣସି ଆଗ୍ରହ ପ୍ରକାଶ କରିଛନ୍ତି ।
ଏଭଳି ସ୍ଥିତିରେ ଘଟଣାର ଗୁରୁତ୍ୱକୁ ବୁଝି ଓକେସିଏଲ୍କୁ ସମସ୍ତ ଅନିୟମିତତା ପାଇଁ ଉତ୍ତରଦାୟୀ କରିବା ସହ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇଥିବା ବେଳେ ସରକାରଂକ ଉଚ୍ଚଶିକ୍ଷା ବିଭାଗ କେବଳ ଓକେସିଏଲ୍ର ପରିଚାଳନା ନିଦେ୍ର୍ଧଶକଂକୁ ଚିଠି ଖଣ୍ଡେ ଲେଖି ନିଧଡ଼କ ହୋଇ ବସିଛନ୍ତି । ଅବଶ୍ୟ, ଏବେ ସ୍ୱୟଂ ବିଭାଗୀୟ ସଚିବ ଜିଭିଭି ଶର୍ମା ଓକେସିଏଲ୍ର ଅଧ୍ୟକ୍ଷ ।
ରାଜ୍ୟର ଗରିବ ଛାତ୍ରଛାତ୍ରୀଂକ ପାଇଁ ଉଦ୍ଧିଷ୍ଟ ମେଧାବୃତ୍ତିକୁ ନେଇ ଚାଲିଥିବା ଏହି ବ୍ୟାପକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରାଇବା ସହ ସମ୍ପୃକ୍ତ ଅଧିକାରୀ ଏବଂ ବ୍ୟକ୍ତିବିଶେଷଂକ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସମୀର ମହାନ୍ତି ।
ତେବେ, ସମ୍ପୂର୍ଣ୍ଣ ଘଟଣାରୁ ସରକାର ଗରିବ ଅଥଚ ମେଧାବୀ ଛାତ୍ରଛାତ୍ରୀଂକ ପ୍ରତି କେତେ ନିର୍ଦ୍ଧୟ ଏବଂ ଉଦାସୀନ ତାହା ସ୍ପଷ୍ଟ ବୋଲି ମତ ରଖିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଭୃଗୁ ବକ୍ସିପାତ୍ର ।

Share in top social networks!