ପେଟ୍ରୋଲ୍, ଡିଜେଲ୍ ଉପରେ ଭାଟ୍ ବୃଦ୍ଧି ବେଡି ଉପରେ କୋରଡା ସଦୃଶ; ତୁରନ୍ତ ଏ ଜନବିରୋଧି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ – ପ୍ରସାଦ

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ଆକାଶଛୁଅାଁ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ବୋଝ ଉପରେ ନଳିତା ବିଡା ପରି ନୂଆ ବର୍ଷ ପୂର୍ବଦିନ ରାଜ୍ୟର ବିଜେଡି ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଅତିରିକ୍ତ ଏକପ୍ରତିଶତ ଟିକସ ବସାଇ ରାଜ୍ୟବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି । ସେତିକିରେ ସରକାରଙ୍କ ମନ ମାନିଲା ନାହିଁ ବେଡି ଉପରେ କୋରଡା ପରି ପେଟ୍ରୋଲ୍ ଓ ଡିଜେଲ ଉପରେ ଅତିରିକ୍ତ ତିନି ପ୍ରତିଶତ ଭାଟ୍ ଆଦାୟ କରିବା ପାଇଁ ଘୋଷଣା କରିଛନ୍ତି । ତେଣୁ ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଜନବିରୋଧି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ନୂଆବର୍ଷ ପୂର୍ବଦିନ ଅତ୍ୟବଶ୍ୟକୀୟ ସାମଗ୍ରୀ ଉପରେ ୧୩.୫ ପ୍ରତିଶତରୁ ୧୪.୫ ପ୍ରତିଶତକୁ ଭାଟ୍ ବୃଦ୍ଧି କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ନେଇଥିଲେ । ପେଟ୍ରୋଲ୍ ଓ ଡିଜେଲ ଉପରେ ତିନି ପ୍ରତିଶତ ଭାଟ୍ ନିଷ୍ପତ୍ତି ମଧ୍ୟ ସେହିଦିନ ନିଆଯାଇଥିଲା । ହେଲେ ଜାଲିଆତି କରି ରାଜ୍ୟ ସରକାର ପେଟ୍ରୋଲ୍, ଡିଜେଲ ଉପରେ ଭାଟ୍ ବୃଦ୍ଧିକୁ ପ୍ରଥମ ଦିନ ଲୁଚାଇଥିଲେ । ଗାଁ ଗହଳର ସାଧାରଣ ଗରିବ ଲୋକଟିଏ ଦରଦାମ୍ ବୃଦ୍ଧିରେ ଛଟପଟ ହେଉଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିବ । ଅଶୋଧିତ ପେଟ୍ରୋଲ ୨୫ ଟଙ୍କା ୨୨ ପଇସାରେ କିଣା ଯାଉଥିବା ବେଳେ ଡିଜେଲ ୨୩ ଟଙ୍କା ୬୦ ପଇସାରେ ଆର୍ନ୍ତଜାତିକ ବଜାରରେ ଉପଲବ୍ଧ ହେଉଛି । ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲୋକଙ୍କ ଉପରେ ଦରଦାମ୍ ବୃଦ୍ଧିର ବୋଝ ବଢ଼ାଇବା ପାଇଁ ଟିସକ ଲାଗୁ କରିବାରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେପଟେ ପେଟ୍ରୋଲ୍, ଡିଜେଲ ଦର କମାଇବା କଥା ଘୋଷଣା କରୁଥିବା ବେଳେ ଅପରପକ୍ଷରେ ତା’ଉପରେ ଅତିରିକ୍ତ ଅବକାରୀ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ରାଜ୍ୟ ସରକାର ପେଟ୍ରୋଲ୍ ଡିଜେଲ୍ ଉପରେ ତିନି ପ୍ରତିଶତ ଭାଟ୍ ଲାଗୁ କରିଛନ୍ତି । ଆଗରୁ ୟୁପିଏ ସରକାର ଅମଳରେ ଯଦି କେତେବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିଲା ସେତେବେଳେ ବିଜେଡି ରାଜ୍ୟରେ ଗ୍ୟାସ୍ ସିଲିଣ୍ଡର ଓ ଶଗଡ ଧରି ରାସ୍ତାକୁ ଓହ୍ଲାଇ ପଡୁଥିଲା । ହେଲେ କେନ୍ଦ୍ର ସରକାର ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବା ବେଳେ ବିଜୁ ଜନତା ଦଳର ସେ ବିକ୍ଷୋଭ ଧାରଣା କୁଆଡେ ଗଲା? ଏବେ ପ୍ରତିବାଦ ତ ଦୂରର କଥା ଦୁଇ ସରକାର ମଧ୍ୟରେ ଟିକସ ବଢାଇବା ପାଇଁ ପ୍ରତିଯୋଗିତା ଚାଲିଛି । ଆଗରୁ ରାଜା ରାଜୁଡା ଶାସନ ସମୟରେ ପିଟୁଣି ଟିକସ ବା ଜିଜିୟା କର ଲାଗୁ କରାଯାଉଥିଲା । ହେଲେ ଏକ ଜନମଙ୍ଗଳ ସରକାରରେ ଏଭଳି ଟିକସ ଲାଗୁ କରିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିପକାଇବ । ବସ୍ ଭଡା ବଢିବ, ପରିବହନ ଭଡା ବଢିବ, ଏହାର ପ୍ରଭାବ ଦରଦାମ୍ ଉପରେ ମଧ୍ୟ ପଡିବ । ବର୍ତ୍ତମାନ ଏଭଳି ଟିକସ ଲାଗୁ କରିବା ଆବଶ୍ୟକତା କ’ଣ ପଡିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ଗତ ଛଅମାସ ମଧ୍ୟରେ ଟିକସ ଓ ଅଣଟିକସ ରାଜସ୍ୱ ଆଦାୟରେ ୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଭାଟ୍ ମଧ୍ୟ ଛଅ ମାସ ମଧ୍ୟରେ ୯ ପ୍ରତିଶତ ବଢିଛି । ଖଣି ପଟା ନବୀକରଣ ବାବଦରେ ୨ ହଜାର କୋଟି ଟଙ୍କାର ରାଜ୍ୟ ସରକାର ପାଇଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କର ଟଙ୍କା ଅଭାବ ରହିଲା କେଉଁଠି । ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଥିବା ବେଳେ ରାଜ୍ୟବାସୀଙ୍କ ଉପରେ ଏଭଳି ଜନବିରୋଧି ଟିକସ ଲାଗୁ କରିବା କ’ଣ ଆବଶ୍ୟକତା ପଡିଲା । ଏବେ ରାଜ୍ୟରେ ଜନ୍ମ ହେଉଥିବା ଶିଶୁ ମୁଣ୍ଡରେ ୧୫ ହଜାର ଟଙ୍କାର ଟିକସ ବୋଝ । ଗୋଟିଏ ପଟେ ଟଙ୍କିକିଆ ଚାଉଳ ଦେଇ ଅନ୍ୟପଟରେ ରାଜ୍ୟର ଜନସାଧାରଣଙ୍କୁ ରାଜ୍ୟ ସରକାର ଶୋଷଣ କରୁଛନ୍ତି । ଗରିବଙ୍କ ଚୁଲି ଜଳିବନି କି ଘର ଚଳିବନି । ରାଜ୍ୟ ସରକାରଙ୍କ ନୂଆବର୍ଷ ପୂର୍ବ ଓ ପରଦିନ ନିଆଯାଇଥିବା ଦୁଇଟି ନିଷ୍ପତ୍ତି ରାଜ୍ୟର ଗରିବ, ମଧ୍ୟବିତ୍ତ ତଥା ସବୁବର୍ଗର ଲୋକଙ୍କ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିବ । ସରକାର ତୁରନ୍ତ ଏହି ଟିକସ ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଅତୀତରେ ବ୍ୟବସାୟୀମାନଙ୍କ ଚାପରେ ଭାଟ୍ ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରିଯାଇଥିବା ବେଳେ ରାଜ୍ୟବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ରାଜ୍ୟ ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପେଟ୍ରୋଲ୍, ଡିଜେଲ ଉପରେ ଅତିରିକ୍ତ ଭାଟ୍ ଲାଗୁ ଭଳି ଅଗଣତାନ୍ତ୍ରିକ ଓ ଜନବିରୋଧି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

Share in top social networks!