ଓଡ଼ିଶାର ଭାବମୂର୍ତ୍ତିକୁ ସମୃଦ୍ଧ କରିବା ପାଇଁ ନାଲ୍‍କୋ ପ୍ରତିଶୃତିବଦ୍ଧ; ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେବେ ୧୭ ଜଣ ଯୁବ ପ୍ରତିଭା

riturajକେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ, ୭ ତାରିଖରେ ଆୟୋଜିତ ହେବାକୁ ଥିବା ଏହାର ପ୍ରତିଷ୍ଠା ଦିବସ ଅବସରରେ, ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୭ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ । ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ, ଏହି ଯୁବ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନାଲ୍‍କୋ ରାଜ୍ୟର ଉଦୀୟମାନ ପ୍ରତିଭାମାନଙ୍କୁ ସମ୍ମାନିତ ଓ ସହାୟତା ପ୍ରଦାନ କରିବା ଭଳି ପଦକ୍ଷେପ ଜରିଆରେ ଓଡ଼ିଶାର ଭାବମୂର୍ତ୍ତିକୁ ଆହୁରି ସମୃଦ୍ଧ କରିବାକୁ ଉଦ୍ୟମ ଅବ୍ୟାହତ ରଖିବ ବୋଲି ପ୍ରତିଶୃତି ଦେଇଛନ୍ତି । ନାଲ୍‍କୋ କେବଳ ଯେ ଏହି ଯୁବ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରିବ ତାହା ନୁହେଁ, ବରଂ ସେମାନଙ୍କ ବିକାଶ ପାଇଁ ମଧ୍ୟ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି ।
ଏହି ଅବସରରେ, ନାଲ୍‍କୋ ନିମ୍ନଲିଖିତ ସଫଳ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବ : ଅନନ୍ୟା ଶ୍ରୀତମ ନନ୍ଦ (ଇଣ୍ଡିଆନ୍‍ ଆଇଡଲ୍‍ ଜୁନିଅର୍‍ ବିଜେତା), ଋତୁରାଜ ମହାନ୍ତି (ଇଣ୍ଡିଆଜ୍‍ ର’ଷ୍ଟାର୍‍ ବିଜେତା), ଦୂତୀ ଚାନ୍ଦ (ଆଥ୍‍ଲିଟ୍‍), ସାଇନା ସଲୋନିକା (ଚେସ୍‍ ଖେଳାଳୀ), ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ (ଗୁଗୁଲ୍‍ ବିଜ୍ଞାନ ମେଳାରେ କମୁ୍ୟନିଟୀ ଇମ୍ପାକ୍ଟ୍‍ ପୁରସ୍କାର ବିଜେତା), ଯୋଗବ୍ୟାସ ଭୋଇ (ପର୍ବତାରୋହଣକାରୀ), ଯମୁନାମଣି ସିଂ (ପ୍ରଧାନମନ୍ତ୍ରୀ, ତାଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିବା ଉଦୀୟମାନ ଆଶାକର୍ମୀ), ବିଜୟ ବିଶ୍ୱାଳ ((ପ୍ରଧାନମନ୍ତ୍ରୀ, ତାଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିବା ଚିତ୍ରକର), ରାଜେଶ ମେହେର ଓ ସୁରଜ ମେହେର (ସର୍ବବୃହତ୍‍ ଟିଭି ରିମୋଟ୍‍ ତିଆରି କରି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ୍‍ ରେକର୍ଡ୍‍ ମାନ୍ୟତାପ୍ରାପ୍ତ), ଜିତେନ୍ଦ୍ର କୁମାର ବିଶ୍ୱାଳ (ଦି ଡିଜାୟାର ବୃତ୍ତଚିତ୍ରର ଭିନ୍ନକ୍ଷମ ଅଭିନେତା), ଶିବାନନ୍ଦ ସେଠୀ (ବିଶ୍ୱ ଖାଦ୍ୟ ଯୋଜନା ଅନ୍ତର୍ଗତ କ୍ଷୁଧାମୁକ୍ତ ପୃଥିବୀ ବିଷୟରେ ଚିତ୍ର ଆଙ୍କି ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଶିଶୁ ଚିତ୍ରକର), ଲିପ୍‍ସା ପ୍ରଧାନ (ନ୍ୟାସନାଲ୍‍ ଇନୋଭେସନ୍‍ ଫାଉଣ୍ଡେସନ୍‍ ପୁରସ୍କାର ବିଜେତା), ଶ୍ରୀକାନ୍ତ ସାହୁ (ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଇଟିଆଇ ଛାତ୍ର) ଏବଂ ଲୋକ କଳାକାର ବିଷ୍ଣୁଚରଣ ସାସମଲ, ବିକ୍ରମ କୁମାର ସାହୁ ଓ ଜ୍ଞାନରଞ୍ଜନ ମହାନ୍ତି ।
ଏହି ଅବସରରେ, ବିଶଷ୍ଟ ଗାୟିକା ଶ୍ରୀମତୀ ସୁସ୍ମିତା ଦାସଙ୍କୁ ମଧ୍ୟ ଭିନ୍ନକ୍ଷମ ଶିଶୁମାନଙ୍କୁ ସଙ୍ଗୀତ ମାଧ୍ୟମରେ ଲୋକଲୋଚନକୁ ଆଣିବା ଦିଗରେ ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବ ।
ବିଜେତାଙ୍କୁ ଜାନୁୟାରୀ ୭ ତାରିଖରେ ଭୁବନେଶ୍ୱରରେ ନାଲ୍‍କୋର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ପୁରସ୍କାର ପ୍ରଦାନ କରିବେ । ଏହି ଅବସରରେ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍‍ ଓରାମ୍‍, କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ଇସ୍ପାତ ଓ ଖଣି ତଥା ଶ୍ରମ ଓ କର୍ମଚାରୀ ବୀମା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ର ଖଣି ସଚିବ ଶ୍ରୀ ବଲବିନ୍ଦର କୁମାର, ସାଂସଦ ଡକ୍ଟର୍‍ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଶ୍ରୀ ତଥାଗତ ଶତପଥୀ, ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ଶ୍ରୀ ଝିନ୍ନ ହିକାକା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!