ନାଲ୍‍କୋ ପକ୍ଷରୁ କମିଶନରେଟ୍‍ ପୋଲିସ୍‍କୁ ୫ଟି ପିସିଆର୍‍ ଭ୍ୟାନ୍‍ ପ୍ରଦାନ

nalcooନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଭୁବନେଶ୍ୱର ଓ କଟକ ସହରରେ ଶାନ୍ତିଶୃଙ୍ଖଳା ରକ୍ଷାରେ ସହାୟତା ନିମନ୍ତେ କମିଶନରେଟ୍‍ ପୁଲିସ୍‍ (ଭୁବନେଶ୍ୱର-କଟକ)କୁ ଆଉ ୫ଟି ପୋଲିସ୍‍ କଣ୍ଟ୍ରୋଲ୍‍ ରୁମ୍‍ (ପିସିଆର୍‍) ଭ୍ୟାନ୍‍ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କମ୍ପାନୀ ପକ୍ଷରୁ ୪୨ଟି ପିସିଆର୍‍ ଭ୍ୟାନ୍‍ ପ୍ରଦାନ କରାଯାଇଥିଲା ।
ଆଜି ପୁଲିସ୍‍ କମିଶନରେଟ୍‍ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ, ଆନୁଷ୍ଠାନିକ ଭାବେ ପୋଲିସ୍‍ କମିଶନର୍‍ ଡକ୍ଟର୍‍ ଆର୍‍.ପି. ଶର୍ମାଙ୍କ ଉପସ୍ଥିତିରେ ଏହି ଭ୍ୟାନ୍‍ଗୁଡିକକୁ ପ୍ରଦାନ କରିଥିଲେ । କମ୍ପାନୀର କର୍ପୋରେଟ୍‍ ସାମାଜିକ ଦାୟିତ୍ୱର ଅଂଶ ଭାବେ ନାଲ୍‍କୋ ଏହି ବାବଦରେ ପ୍ରାୟ ୬୩ ଲକ୍ଷ ଟଙ୍କା ବ୍ୟୟ କରିଛି ।
ଏହି ଅବସରରେ, ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ଚାନ୍ଦ, ଆଇନ ଓ ଶୃଙ୍ଖଳା ରକ୍ଷାରେ ଭୁବନେଶ୍ୱର ଓ କଟକ ପୁଲିସ୍‍ର ଭୂମିକାର ଭୂୟସୀ ପ୍ରଂଶସା କରି କହିଲେ ଯେ ଏହା ଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇପାରିଛି । ଜନସାଧାରଣଙ୍କ ସୁରକ୍ଷା ବ୍ୟତୀତ ସୁରକ୍ଷିତ ଔଦ୍ୟୋଗିକ ପରିବେଶ ମଧ୍ୟ ପୁଞ୍ଜିନିବେଶକାରୀମାନଙ୍କୁ ଆକୃଷ୍ଟ କରିଥାଏ, ଯାହା କି ରାଜ୍ୟର ବିକାଶ ପାଇଁ ନିତାନ୍ତ ଅପରିହାର୍ଯ୍ୟ ବୋଲି ଶ୍ରୀ ଚାନ୍ଦ ମତ ବ୍ୟକ୍ତ କରିଥିଲେ । ପୁଲିସ୍‍ ଏବଂ କର୍ପୋରେଟ୍‍ଗୁଡ଼ିକ ମଧ୍ୟରେ ସହଯୋଗଭିତ୍ତିକ ଏହି କାର୍ଯ୍ୟକ୍ରମରେ ନାଲ୍‍କୋ ରାଜ୍ୟର ପୁଲିସ୍‍କୁ ଏହାର ସହଯୋଗ ଅବ୍ୟାହାତ ରଖିବ ବୋଲି ସେ କହିଥିଲେ ।
ପାଲିସ୍‍ କମିଶନର୍‍ ଡକ୍ଟର୍‍ ଆର୍‍.ପି. ଶର୍ମା, ନାଲ୍‍କୋର ପଦକ୍ଷେପକୁ ପ୍ରଶଂସା କରି କହିଲେ ଯେ, “ଉଭୟ ଭୁବନେଶ୍ୱର ଓ କଟକରେ ଆମର ଆବଶ୍ୟକ ହେଉଥିବା ୫୩ଟି ପିସିଆର୍‍ ଭ୍ୟାନ୍‍ ମଧ୍ୟରୁ ୪୭ଟି ନାଲ୍‍କୋ ଦ୍ୱାରା ପ୍ରଦତ୍ତ ।”
ଏହି ଅବସରରେ, ନାଲ୍‍କୋର ନିଦେ୍ର୍ଧଶକ ଶ୍ରୀ ଏନ୍‍. ଆର୍‍. ମହାନ୍ତି, ଶ୍ରୀ ଏସ୍‍.ସି. ପାଢୀ, ଶ୍ରୀ କେ.ସି. ସାମଲ, ଶ୍ରୀମତୀ ସୋମା ମଣ୍ଡଳ ଏବଂ ଶ୍ରୀ ଭି. ବାଲସୁବ୍ରମଣ୍ୟମ ଉପସ୍ଥିତ ଥିଲେ ।

Share in top social networks!