ପୂର୍ବତନ କଟକ ମେୟରଂକ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ: ବିଜେପି

ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ସୁବିଧା ସୁଯୋଗ ଉପଭୋଗ କରିବାକୁ ନିଜ ନାମରେ ରେସନ୍ କାର୍ଡ଼ କରି ଧରାପଡ଼ିବା ପରେ ଜନସାଧାରଣଙ୍କ ପ୍ରବଳ ପ୍ରତିକ୍ରିୟା ଯୋଗୁଁ ଶ୍ରୀମତି ଅନୀତା ବେହେରା ଶେଷରେ କଟକ ମେୟର ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ମୁହଁ ବଂଚାଇବା ପାଇଁ ଏହା ପୁଣି ଏକ ଇସ୍ତଫା ନାଟକର ପୁନରାବୃତି ।
ଏହି ପରିପ୍ରେକ୍ଷୀରେ ପୂର୍ବରୁ କରିଆସିଥିବା ଦାବୀକୁ ଦୋହରାଇବା ସହ ଆଇନ୍ ଉଲଂଘନ କରି ଗରିବଂକପାଇଁ ଉଦ୍ଧିଷ୍ଟ ସୁବିଧା ସୁଯୋଗ ହଡ଼ପ ଉଦ୍ୟମ କରିଥିବା ଶ୍ରୀମତି ବେହେରାଂକ ବିରୁଦ୍ଧରେ ସରକାର ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ମାଧ୍ୟମରେଏହା ପଛରେ ଅନ୍ୟ କେଉଁମାନେ ଭୁମିକା ଗ୍ରହଣ କରିଛନ୍ତି ସେକଥା ସର୍ବସମ୍ମୁଖକୁ ଆଣନ୍ତୁ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ଦାବୀ କରିଛନ୍ତି ।
ଏଭଳି ବେଆଇନ୍ କାର୍ଯ୍ୟପାଇଁ ସରକାରୀ ଅଧିକାରୀମାନଂକ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯିବାର ପ୍ରାବଧାନ ଥିବାରୁ ପଦବୀରେ ଥାଇ ଏଭଳି ଅପରାଧିକ କାର୍ଯ୍ୟ କରିଥିବା ପୂର୍ବତନ ମେୟରଂକ ବିରୁଦ୍ଧରେ ମଧ୍ୟ ଏହି ମାମଲା ରୁଜୁ କରନ୍ତୁ ବୋଲି ଦୃଢ଼ତାର ସହ ଦୋହରାଇଛନ୍ତି ଶ୍ରୀଯୁକ୍ତ ଶର୍ମା ।
କେବଳ ଶ୍ରୀମତି ବେହେରା ନୁହଁନ୍ତି, ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ଅଭିଯୋଗ ଆସୁଥିବାରୁ ସବୁସ୍ଥାନରେ ଦୋଷୀ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ଶ୍ରୀଯୁକ୍ତ ଶର୍ମା ଦାବୀ କରିଛନ୍ତି ।
ତେବେ ରେସନ୍ କାର୍ଡ଼ ବଂଟନର ସୁପରିଚାଳନା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ଯେଉଁଭଳି ଫୁଡ୍ ବା ଖାଦ୍ୟ କମିଶନ୍ ଗଠନ କରାଯିବା କଥା, କୋଡ୍ ବା ନୀୟମାବଳୀ ପ୍ରସ୍ତୁତ କରାଯିବା କଥା, ଅଭିଯୋଗ ଶୁଣାଣୀପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବା କଥା ସେସବୁ ନକରି ରାଜ୍ୟ ସରକାର ପ୍ରଥମେ ପୂର୍ବୋକ୍ତ ଆଇନ୍ରୠୁରୁତର ଉଲଂଘନ କରିଛନ୍ତି ବୋଲି ଅଭିଯୋଗ କରିବା ସହ ସରକାର ତୁରନ୍ତ ଏହି ବ୍ୟବସ୍ଥାକୁ ଆଇନ ମୁତାବକ ସଜାଡ଼ନ୍ତୁ ବୋଲି ଶ୍ରୀଯୁକ୍ତ ଶର୍ମା ଚେତାବନୀ ଦେଇଛନ୍ତି ।

Share in top social networks!