ନବୀନ ସରକାର ଏବଂ ଓକେସିଏଲ୍ ମଧୁଚନ୍ଦ୍ରିକାରେ ଚାଲିଥିବା କେନ୍ଦ୍ରୀୟ ଅନୁଦାନ ହଡପର ସିବିଆଇ ତଦନ୍ତ ହେଉ: ବିଜେପି

ଅଭ୍ୟାସଗତ ଭାବେ କେନ୍ଦ୍ରୀୟ ଅବହେଳାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ ସରକାର ସରକାରୀ ଚିଟ୍ଫଣ୍ଡ ସଂସ୍ଥା ଖୋଲି କିଭଳି କେନ୍ଦ୍ରୀୟ ଅନୁଦାନର ତୋଷରପାତ କରିଚାଲିଛି ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ଼୍ ବା ଓକେସିଏଲ୍ର ଗଠନ ପ୍ରକ୍ରିୟା ଏବଂ କାର୍ଯ୍ୟଧାରା ତାର ଏକ ଜ୍ଜଳନ୍ତ ଉଦାହରଣ ।
ସୁଚନା ଅଧିକାର ଆଇନ୍ ବଳରେ କିଛି ସୁଚନାକର୍ମୀଙ୍କ ଦ୍ୱାରା ହସ୍ତଗତ ତଥ୍ୟ ଅନୁସାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓକେସିଏଲ୍ର ମୁଖ୍ୟ ହୋଇଥିବା ବେଳେ ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିକାରୀମାନେ ଏହାର ପରିଚାଳନା କମିଟି ସଦସ୍ୟ ଥିଲେ ମଧ୍ୟ ସରକାର ଏହାକୁ ଏକ ବେସରକାରୀ ସଂସ୍ଥା କହୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବେସରକାରୀ ବୋଲି କହୁଥିବା ଓକେସିଏଲ୍ର ଗଠନ ସମ୍ପର୍କରେ ସରକାର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିଥିଲେ ଯଦିଓ ଏହି ସଂସ୍ଥାର ଆର୍ଥିକ ତଥା ପରିଚାଳନାରେ କୌଣସି ସରକାରୀ ଭୁମିକା ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।ଏଠି ଉଠୁଥିବା ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ଓକେସିଏଲ୍ ଏକ ସରକାରୀ ସଂସ୍ଥା ନୁହେଁ ତେବେ ତାହାର ଗଠନ ସମ୍ପର୍କରେ ଗେଜେଟ୍ ନୋଟିଫିକେସନ୍ କାହିଁକି ପ୍ରକାଶିତ କରାଯାଇଥିଲା? ଲୋକଙ୍କୁ ଭୁଆଁ ବୁଲେଇ ଅର୍ଥ ତୋଷରପାତ କରିବାପାଇଁ ଏହା ଏକ ବିଧିବଦ୍ଧ ସରକାରୀ ଷଡ଼ଜନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସମୀର ମହାନ୍ତି ।
ସୁଚନା, ଯୋଗାଯୋଗ ଏବଂ ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ଆଇସିଟି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ, ଯାହାକି ରାଜ୍ୟରେ ଥିବା ଏସ୍ଆଇଇଟି ସଂସ୍ଥା ଜରିଆରେ ଶିକ୍ଷାଭିତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଖର୍ଚ କରାଯିବା କଥା, ସେହି ଅର୍ଥକୁ ଓକେସିଏଲ୍ ଜରିଆରେ ହଡ଼ପ କରାଗଲା । ଏହି ଲୁଟ ଷଡ଼ଯନ୍ତ୍ରକୁ ଚରିତାର୍ଥ କରିବା ପାଇଁ ନବୀନ ସରକାର ଚଂଚକତା ପୂର୍ବକ ଏସ୍ଆଇଇଟିକୁ ବେଆଇନ୍ ଭାବେ ବନ୍ଦ କରିବାର ଯୋଜନା କଲେ ।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ସଚିବ ମାନ୍ୟବର ଉଚ ନ୍ୟାୟାଳୟଙ୍କୁ ଦେଇଥିବା ତଥ୍ୟ ଅନୁସାରେ ଏଯାବତ୍ ଏହି ଯୋଜନାରେ ରାଜ୍ୟ ସରକାର ୨୦୦ କୋଟି ଟଂକାର କେନ୍ଦ୍ରୀୟ ଅନୁଦାନ ପାଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ, ସେଥିମଧ୍ୟରୁ ୧୭୭ କୋଟି ୩୦ ଲକ୍ଷ ୬୬ ହଜାର ଟଙ୍କା ଓକେସିଏଲ୍କୁ ପ୍ରଦାନ କରିଛନ୍ତି ।ତେବେ ସେହି ଅର୍ଥକୁ ବ୍ୟବହାର କରି ନିଜେ କାମ କରିବା ବଦଳରେ ଓକେସିଏଲ୍ ପୁଣି ଆଇଏଲ୍ଆଣ୍ଡଏଫ୍ଏସ୍ କମ୍ପାନୀ – ଯାହା ବିରୁଦ୍ଧରେ ନାଗାଲାଣ୍ଡରେ ଗୁରୁତର ଅଭିଯୋଗମାନ ରହିଛି ଏବଂ ଏହି ସଂସ୍ଥା ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ତୀକ୍ଷ୍ଣ ନଜରରେ ରହିଛି – ତାହାକୁୁ ସବ୍ଲେଟ୍ କରି କାମ ଚଳାଇଛି । ଓକେସିଏଲ୍ ଦ୍ୱାରା ଆଇଏଲ୍ଆଣ୍ଡଏଫ୍ଏସ୍କୁ ସବ୍ଲେଟିଂର ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଶ୍ରୀଯୁକ୍ତ ମହାନ୍ତି ।
କେନ୍ଦ୍ରୀୟ ଅନୁଦାନରେ ଚାଲିଥିବା ଆଇସିଟି କାର୍ଯ୍ୟକ୍ରମରେ ବ୍ୟାପକ ହେରଫେର ଏବଂ ଲୁଟ ହେଉଥିବା କଥା ବିଭିନ୍ନ ସ୍କୁଲ୍ରେ ହୋଇଥିବା କମ୍ପ୍ୟୁଟର୍ ଶିକ୍ଷକ ନିଯୁକ୍ତି ଘଟଣାରୁ ସ୍ପଷ୍ଟ ହୋଇଛି । ନିଯୁକ୍ତ ଶିକ୍ଷକମାନଙ୍କୁ ମାସିକ ୧୦୦୦୦ ଟଙ୍କା ବେତନ ଦେବାର ସ୍ପଷ୍ଟ କେନ୍ଦ୍ରୀୟ ନିଦେ୍ର୍ଧଶ ରହିଥିବା ବେଳେ ଶିକ୍ଷକମାନଙ୍କୁ ଦିଆଯାଉଛି ମାସିକ ମାତ୍ର ୬୫୦୦ ଟଂକା । ସମୁଦାୟ ବେତନ ଅର୍ଥରୁ ବାକି ୩୫ ପ୍ରତିଶତ ଲୁଟ୍ ହେଉଥିବା ଏଥିରୁ ସ୍ପଷ୍ଟ ହେଉଥିବା ବେଳେ ଏହି ଅର୍ଥ କୁଆଡ଼େ ଯାଉଛି ତାହା ସବୁବେଳେ କେନ୍ଦ୍ରୀୟ ଅବହେଳାର ମନ୍ତ୍ର ଜପ କରୁଥିବା ମୁଖମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀଯୁକ୍ତ ମହାନ୍ତି ଆହ୍ୱାନ କରିଛନ୍ତି ।
ସରକାରଙ୍କ ସଲାସୁତୁରାରେ ଚାଲିଥିବା ଅନ୍ୟତମ ବଡ଼ ଧରଣର ସ୍କାମ୍ ହେଉଛି ସରକାରୀ କର୍ମଚାରୀମାନଂକପାଇଁ କମ୍ପ୍ୟୁଟର୍ ଶିକ୍ଷା ବାଧ୍ୟତାମୁଳକ କରିବା ଏବଂ ଭିତିଭୂମିର ତଦାରଖ ନକରିଏହି ପ୍ରଶିକ୍ଷଣ ପ୍ରଦାନ କରିବାର ଦାୟିତ୍ୱ କେବଳ ଓକେସିଏଲ୍କୁ ଦେବା । ବାସ୍ତବରେ ବିନା କୌଣସି ଭିତିଭୂମିରେ ଏବଂ ବିନା କୌଣସି ଶିକ୍ଷାନୁଷ୍ଠାନ ବା ସରକାରୀ ବୋର୍ଡ଼ ଅନୁମୋଦନରେ ଛୋଟମୋଟ ଡିଟିପି କେନ୍ଦ୍ରମାନଂକରେ ୪୦୦୦ଟି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି ଏବଂ ପ୍ରତ୍ୟେକ ସରକାରୀ କର୍ମଚାରୀଂକଠାରୁ ୩୦୦୦ ଟଂକା ନେଇ ଏକ ସମ୍ପୂର୍ଣ୍ଣ ଅବୈଧ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ଦୁର୍ଭାଗ୍ୟର ବିଷୟ ହେଉଛି, ଏହି ଅବୈଧ ପ୍ରମାଣପତ୍ରକୁ ନିଷିଦ୍ଧ କରିବା ବଦଳରେ ସରକାର ଏହାକୁ ଗ୍ରହଣକରି ସରକାରୀ କର୍ମଚାରୀଂକ ପଦୋନ୍ନତି ପାଇଁ ଏହାକୁ ଅନିର୍ବାର୍ଯ୍ୟ ଘୋଷିତ କରିଛନ୍ତି ।
ଏଠି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଓକେସିଏଲ୍ ଗଠନ ଏବଂ ଏସମ୍ପର୍କିତ ଗେଜେଟ୍ ନୋଟିଫିକେସନ୍ କେତେ ବୈଧ? କେଉଁ ନିୟମ ଆଧାରରେ ଏବଂ କାହିଁକି ଶତାଧିକ କର୍ମଚାରୀ ବିଶିଷ୍ଟ ତଥା ଉକ୍ରୃଷ୍ଟ ମାନର କାର୍ଯ୍ୟକ୍ରମ ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ଏସ୍ଆଇଇଟିକୁ ବନ୍ଦ କରାଗଲା ଏବଂ ଏହା ଜରିଆରେ ଖର୍ଚ ହେବାକୁ ଆସୁଥିବା ଶହ ଶହ କୋଟୀ ଟଙ୍କାକୁ ଓକେସିଏଲ୍କୁ ପ୍ରଦାନ କରାଗଲା? ସରକାରଙ୍କଠାରୁ ନେଉଥିବା ଅର୍ଥକୁ ନିଜେ ଖର୍ଚ ନକରି ଆଇଏଲ୍ଆଣ୍ଡଏଫ୍ଏସ୍କୁ ସବ୍ଲେଟିଂ କରିବାର ଅଧିକାର ଏବଂ ଅନୁମତି ଓକେସିଏଲ୍କୁ କିଏ ପ୍ରଦାନ କରିଛି? ଏହାଛଡ଼ା, ବିନା ଭିତିଭୂମିରେ ଛୋଟମୋଟ ଡିଟିପି ସେଂଟର୍ରେ ବଡ ବଡ ଅଧିକାରୀ ଏବଂ ନେତାଂକ ସମ୍ପର୍କୀୟମାନଂକ ଦ୍ୱାରା ଚାଲିଥିବା କମ୍ପ୍ୟୁଟର୍ ଶିକ୍ଷା କେନ୍ଦ୍ର ମାନଂକରେ ଓକେସିଏଲ୍ ପ୍ରଦାନ କରୁଥିବା ବାଧ୍ୟତାମୁଳକ କମ୍ପ୍ୟଟର୍ ଶିକ୍ଷା ଏବଂ ସାର୍ଟିଫିକେଟ୍ କେଉଁ ଅନୁଷ୍ଠାନ ଦ୍ୱାରା ଅନୁମୋଦିତ ଏବଂ କେତେ ବୈଧ? ନିଜ ଅପାରଗତା ଲୁଚାଇବାକୁ କେନ୍ଦ୍ର ବିରୁଦ୍ଧରେ ଅହରହ ବିଷୋଦ୍ଗାର କରୁଥିବା ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନର ଉତର ଜନସାଧରଣଂକ ସମ୍ମୁଖରେ ଯଥାଶୀଘ୍ର ରଖନ୍ୁ ବୋଲି ଶ୍ରୀଯୁକ୍ତ ମହାନ୍ତି ଦାବୀ କରିଛନ୍ତି ।
ତେବେ ସମ୍ପୂର୍ଣ୍ଣ ଅନିୟମିତତାରେ ଶହ ଶହ କୋଟି ଟଂକାର କେନ୍ଦ୍ରୀୟ ଅନୁଦାନ ଅର୍ଥ ସମ୍ପୃକ୍ତ ଥିବାରୁ ଏବଂ ରାଜ୍ୟ ସରକାର ଏଥିରେ ସିଧାସଳଖ ସଂଶ୍ଳିଷ୍ଟ ଥିବାରୁ ଘଟଣାର ସିବିଆଇ ତଦନ୍ତ କରାଯାଇ ସତ୍ୟାସତ୍ୟର ଉଦ୍ଘାଟନ କରାଯାଉ ବୋଲି ଶ୍ରୀଯୁକ୍ତ ମହାନ୍ତି ଦାବୀ କରିଛନ୍ତି ।

Share in top social networks!