ଆସନ୍ତା ଜାନୁଆରୀ ୨ୟ ସପ୍ତାହ ସୁଦ୍ଧା ରାଜ୍ୟ ସାଂଗଠନିକ ପ୍ରକ୍ରିୟା ଶେଷ ହେବ : ଅରୁଣ ସିଂହ

12006129_907347732695248_2038042694307025428_nଆସନ୍ତା ମାସ ଜାନୁଆରୀ ୨ୟ ସପ୍ତାହ ସୁଦ୍ଧା ରାଜ୍ୟର ସାଂଗଠନିକ ପ୍ରକ୍ରିୟା ଶେଷ ହେବା ସହିତ ସହମତି ଭିତ୍ତିରେ ନବନିର୍ବାଚିତ ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟମାନେ ନିର୍ବାଚିତ ହେବେ । ଦଳର ତୃଣମୁଳ ସ୍ତରକୁ ସୁଦୃଢ କରିବା ପାଇଁ ବୁଥ୍ ସ୍ତରରୁ କର୍ମୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷିତ କରାଯିବ । ସାଧାରଣ ଲୋକଙ୍କ ପାଖକୁ ଯାଇ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପହଂଚାଇବାକୁ ଉକ୍ତ ବୁଥ୍ ସ୍ତରୀୟ କର୍ମୀମାନେ କାର୍ଯ୍ୟ କରିବାକୁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ଆହ୍ୱାନ ଦିଆଯାଇଅଛି । ବହୁ ଶୀଘ୍ର ଜିଲ୍ଲାସ୍ତରୀୟ ପଦାଧିକାରୀମାନଙ୍କ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅରୁଣ ସିଂହ ମତ ପ୍ରକାଶ କରିଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୈାଦାନ ସିଂହ ସଂଗଠିତ ହୋଇ ଦଳକୁ ମଜବୁତ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଉକ୍ତ ବୈଠକରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ମାଆ ସିଦେ୍ଧଶ୍ୱରୀ ଷଡ଼ଙ୍ଗୀ ଏବଂ ଉମରକୋଟର ପୂର୍ବତନ ବିଧାୟକ ଗୁରୁବାରୁ ମାଝୀଙ୍କ ବିୟୋଗରେ ରାଜ୍ୟ ବିଜେପି ପକ୍ଷରୁ ଶୋକ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା ।
ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ ସୈାଦାନ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ସଦସ୍ୟତା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ ବୋଲି ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!