ଚାଷୀଙ୍କୁ ନେଇ ସରକାରୀ ରାଜନୀତି ନହେଉ; ଭାଗଚାଷୀ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ସରକାର ସ୍ପଷ୍ଟ ମତ ରଖନ୍ତୁ : ବିଜେପି

ବିଗତ କିଛିଦିନ ଧରି ଶାସକ ଦଳ ବିଜେଡି ଏବଂ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ରିଲିଫ ଯୋଗାଇବା ନାଁରେ ରାଜନିତୀ ଚଳାଇଛନ୍ତି । କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହୁଥିବାବେଳେ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର ପ୍ରକୃତ ଚାଷୀଙ୍କୁ ଇନପୁଟ ରିହାତି ପ୍ରଦାନ କରିବା ପାଇଁ ଘୋଷଣା କରିଥିବାବେଳେ ରାଜସ୍ୱ ବିଭାଗ ସଚିବ ମୋନା ଶର୍ମା ଏପର୍ଯ୍ୟନ୍ତ ଭାଗଚାଷୀର ସଂଜ୍ଞା ନିରୁପଣ ହୋଇନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ।
ରାଜସ୍ୱ ବିଭାଗ ସଚିବଙ୍କ ଏଭଳି ମନ୍ତବ୍ୟ ଚାଷୀଙ୍କୁ ଅଧିକ ବିବ୍ରତ କରିଥିବାବେଳେ ରିଲିଫ ପ୍ରକ୍ରିୟାକୁ ପଥଭ୍ରଷ୍ଟ କରିଛି । ଅତଏବ, ବାରମ୍ବାର ଭିନ୍ନ ଭିନ୍ନ ସ୍ତରରେ ଭିନ୍ନ ମତ ପୋଷଣ ନକରି ଭାଗଚାଷୀ ନିର୍ଦ୍ଧାରଣର ବ୍ୟବସ୍ଥା ଏବଂ ନିୟମ ସମ୍ପର୍କରେ ସର୍ବପ୍ରଥମେ ସରକାର ସ୍ପଷ୍ଟ ମତ ରଖନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସମୀର ମହାନ୍ତି ଦାବୀ ରଖିଛନ୍ତି ।

Share in top social networks!