ନାଇଡ଼ୁ କମିଶନଙ୍କ ରିପୋର୍ଟ ଉପରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି : ବିଜେପି

12391203_1665399280343749_2632164302301317184_nଓଡ଼ିଶା ରାଜ୍ୟ ସରକାର ଗତ ଦିନର ବହୁଗୁଡ଼ିଏ କମିଶନଙ୍କ ରିପୋର୍ଟ ଭଳି ସଦ୍ୟ ପ୍ରଦତ୍ତ କନ୍ଧମାଳ ଦଙ୍ଗା ସଂକ୍ରାନ୍ତ ନାଇଡ଼ୁ କମିଶନଙ୍କ ରିପୋର୍ଟକୁ ଚାପି ନ ରଖି ଏହାକୁ ସାର୍ବଜନୀନ କରିବା ଏବଂ ଏ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିବା ନିମନ୍ତେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଦାବି ଜଣାଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ଯେ କମିଶନ ଗଠନ କରିବା ଓ କମିଶନଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ସାର୍ବଜନୀନ ନ କରି ଚାପି ରଖିବାରେ ବର୍ତ୍ତମାନର ଓଡ଼ିଶା ରାଜ୍ୟ ସରକାର ଅଭ୍ୟସ୍ତ । ତେବେ ପୂର୍ବର କମିଶନଗୁଡ଼ିକ ପ୍ରାଦେଶିକ ଅଥବା ଆଞ୍ଚଳିକ ପ୍ରସଙ୍ଗକୁ ନେଇ ଗଠିତ ହୋଇଥିଲା । କନ୍ଧମାଳ ଦଙ୍ଗା ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ପରିଣତ ହୋଇଥିବାରୁ ନାଇଡ଼ୁ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ତଥା କମିଶନଙ୍କ ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଅପରିହାର୍ଯ୍ୟ ଅଟେ । ସେ ଚେତାଇ ଦେଇ କହିଛନ୍ତି ଯେ କନ୍ଧମାଳର ସମସ୍ୟା ମୂଳତଃ ରାଜସ୍ୱ ଓ ଆଇନ ସମ୍ପର୍କିତ ଅଟେ । ଧୂଅାଁ ଏବେ ମଧ୍ୟ ଅଛି । ଡିସେମ୍ବର ୨୫ରେ କନ୍ଧମାଳ ବନ୍ଦ ଡାକରା ଏହି ଧୂଅାଁର ସୂଚନା ଦେଉଛି । ତେଣୁ ନାଇଡ଼ୁ କମିଶନଙ୍କ ରିପୋର୍ଟର ଅନୁଧ୍ୟାନ ଏବଂ ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଜରିଆରେ କନ୍ଧମାଳରେ ଭବିଷ୍ୟତରେ ସମ୍ଭାବ୍ୟ ଗଣ୍ଡଗୋଳକୁ ଏଡ଼ାଇ ହେବ । କନ୍ଧମାଳରେ ଶାନ୍ତି ଆସୁ, ଓଡ଼ିଶା ନିନ୍ଦିତ ନ ହେଉ- ଏହା ଭାରତୀୟ ଜନତା ପାର୍ଟିର କାମନା ।
ନାଇଡ଼ୁ କମିଶନରେ ଜଣେ ଓକିଲ ଭାବରେ ତାଙ୍କର ଭୂମିକା ଏବଂ ଅଭିଜ୍ଞତାର ଆଧାରରେ ସେ କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଜମି ହସ୍ତାନ୍ତର ବହୁଳ ମାତ୍ରାରେ ହୋଇଥିବା, ଜାଲ ଜାତି ସାର୍ଟିଫିକେଟ ବଳରେ ନିର୍ବାଚିତ ପଦବୀଗୁଡ଼ିକୁ ଅଣ ଆଦିବାସୀ ହାତେଇ ନେବା, ବିନା ଅନୁମତିରେ ଧର୍ମ ପରିବର୍ତ୍ତନ କରିବା, ଗୋ-ହତ୍ୟା ନିରୋଧ ଆଇନ କାର୍ଯ୍ୟକାରୀ ନ ହେବା ଭଳି ଅନେକ ବିଷୟ କନ୍ଧମାଳ ଦଙ୍ଗାର ପୃଷ୍ଠଭୂମି ଅଟେ । ତେଣୁ ପ୍ରଥମେ ରାଜ୍ୟର ଚାରିଜଣ ସଚିବ ଏବଂ ତପôରେ ଗୃହ ବିଭାଗ ନିଜ ଅଧିନରେ ରଖିଥିବାରୁ କମିଶନରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷ୍ୟ ଜରୁରୀ ଥିଲା । ସେହିଭଳି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ୭ଜଣଙ୍କ ସମେତ ସବ୍ୟସାଚୀ ପଣ୍ଡା ଏବଂ ଆଜାଦଙ୍କ ସାକ୍ଷ୍ୟ ମଧ୍ୟ ଜରୁରୀ ଥିଲା । ଗିରଫ ବ୍ୟକ୍ତିମାନଙ୍କ ସାକ୍ଷ୍ୟ ପାଇଁ କମିଶନ ପ୍ରସ୍ତାବ ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମଧ୍ୟ ଏହା କରାଯାଇପାରିଥାନ୍ତା । କିନ୍ତୁ ଏଥିରେ ସରକାର ସହଯୋଗ କଲେ ନାହିଁ । ଯଦି ଏହି ସବୁ ସାକ୍ଷ୍ୟ ହୋଇଥାନ୍ତା ତେବେ ନାଇଡ଼ୁ କମିଶନଙ୍କ ରିପୋର୍ଟ ଅଧିକ ରୁଦ୍ଧିମନ୍ତ ଏବଂ ସ୍ୱୟଂସମ୍ପୂର୍ଣ୍ଣ ହୋଇଥାନ୍ତା । ତଥାପି ଜଷ୍ଟିସ ନାଇଡ଼ୁଙ୍କ ଭଳି ଜଣେ ବିଜ୍ଞ ବିଚାରପତି ‘କେଉଁ ପୃଷ୍ଠଭୂମି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପାଇଁ ଦାୟୀ ଏବଂ ହତ୍ୟା ପରବର୍ତ୍ତୀ ଦଙ୍ଗା’ ବିଷୟ ଉପରେ ଯେଉଁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ସମସ୍ତଙ୍କ ଆଖି ଖୋଲିଦେବ ବୋଲି ଶ୍ରୀ ପୂଜାରୀ ବିଶ୍ୱାସ ପ୍ରକଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ସମୟରେ ମୁତୟନ ୧୨ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ୮ଜଣ ଏବଂ ପିଏସ୍ଓ ସନ୍ଧ୍ୟା ୭ଟା ସମୟରେ ରାତ୍ର ଭୋଜନ ପାଇଁ ଅନ୍ୟତ୍ର ଚାଲିଯିବା ଏବଂ ତୁମୁଡ଼ିବନ୍ଧ ଥାନା ଅଧିକାରୀ ଅଧଘଣ୍ଟା ଜଲେଶପଟା ଆଶ୍ରମରେ ବିତାଇ ପ୍ରସ୍ଥାନ କରିବାର ପାଞ୍ଚ ମିନିଟ ପରେ ଆତତାୟୀମାନେ ଆଶ୍ରମରେ ପ୍ରବେଶ କରିବା ଯେତିକି ରହସ୍ୟଜନକ, ହତ୍ୟା ପରବର୍ତ୍ତୀ ସମୟରେ ସ୍ୱାମୀଜୀଙ୍କୁ ମାରିବା ପାଇଁ ରାଜ୍ୟ ବାହାରେ ଷଡ଼ଯନ୍ତ୍ର ହୋଇଥିବା ତଥା ଏଥିପାଇଁ ମାଓବାଦୀମାନଙ୍କୁ ବିନିଯୋଗ କରାଯାଇଥିବା ବାବଦରେ ତଥ୍ୟ ହସ୍ତଗତ ହୋଇଛି ବୋଲି ତଦାନିନ୍ତନ ଗୋଇନ୍ଦା ବିଭାଗ ମୁଖ୍ୟଙ୍କ ବକ୍ତବ୍ୟର ରହସ୍ୟୋଦ୍ଘାଟନ ନ ହେବା ଢେର କିଛି ଇଙ୍ଗିତ କରୁଛି ।
ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ନାଉରୀ ନାଏକ, ସୀମାଞ୍ଚଳ ଖଟେଇ, ଦାମୋଦର କର, ବେଣୁଧର ଦାଶ, ସୂର୍ଯ୍ୟ ପାଣିଗ୍ରାହୀ, ସରୋଜ ସାହୁ, ରାମଚନ୍ଦ୍ର ମେହେର, ସବିତା ନନ୍ଦ, ଶ୍ରୀକାନ୍ତ ପାଣିଗ୍ରାହୀ, ମାନସ ବକ୍ସି, ସୁଶାନ୍ତ ପ୍ରଧାନ, ବିଜୟ ଅଗ୍ରୱାଲ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Share in top social networks!