ସରକାରୀ ପକ୍ଷପାତିତାର ଶିକାର ହୋଇଛନ୍ତି ସାମ୍ବାଦିକ: ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ

oujjସାମ୍ବାଦିକମାନେ ଏବେ ସରକାରୀ ପକ୍ଷପାତ ନୀତିର ଶିକାର ହୋଇଛନ୍ତି । ଉପଯୁକ୍ତ ପ୍ରୋତ୍ସାହନ ଓ ସୁରକ୍ଷା ଅଭାବରୁ ସାମ୍ବାଦିକମାନଙ୍କ ସୁରକ୍ଷା ବିପନ୍ନ ହୋଇ ପଡିଛି । ଗଣତନ୍ତ୍ରର ୩ଟି ସ୍ତମ୍ଭ ଦୁର୍ବଳ ହେଉଥିବା ବେଳେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ମଧ୍ୟ ଟଳମଳ ସ୍ଥିତିରେ ପହଞ୍ଚିଛି । ଏଭଳି ମନ୍ତବ୍ୟ ଦେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ସମବାୟ ଓ ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।
ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ୪୪ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଡାକ୍ତର ରାଉତ କହିଲେ ଯେ, ରାଜ୍ୟ ସରକାର ଅସଂଗଠିତ ଅବସ୍ଥାରେ ଥିବା ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରି ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରୁଥିବା ବେଳେ ଜୀବନକୁ ବିପନ୍ନ କରି ପ୍ରତିକୂଳ ପରିସ୍ଥିତିରେ ସମ୍ବାଦ ପରିବେଷଣ କରୁଥିବା ସାମ୍ବାଦିକମାନଙ୍କୁ ଚିହ୍ନଟ କରି ନ ପାରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଆନ୍ତରିକତା ଓ ସମନ୍ୱୟର ଅଭାବ ଯୋଗୁ ସାମ୍ବାଦିକମାନେ ଏଭଳି ଅବହେଳାର ଶିକାର ହୋଇଛନ୍ତି ବୋଲି ସେ କହିଛନ୍ତି ।
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟ ସାମ୍ବାଦିକ ୟୁନିଅନ୍, ନୂଆଦିଲ୍ଲୀର ମହାସଚିବ ରତନ୍ ଦୀକ୍ଷିତ୍ ସାରା ଦେଶରେ ସାମ୍ବାଦିକମାନଙ୍କ ସୁରକ୍ଷା ବିପନ୍ନ ହୋଇ ପଡିଥିବା ବେଳେ ଓଡିଶାରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆ ନ ଯିବା ପରିତାପର ବିଷୟ ବୋଲି କହିଥିଲେ । ରାଜ୍ୟ ଖଣି, ଇସ୍ପାତ ଓ ଶ୍ରମ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସାମ୍ବାଦକମାନଙ୍କ ବୃତ୍ତିଗତ ସୁରକ୍ଷା ପାଇଁ ରାଜ୍ୟ ଶ୍ରମ ବିଭାଗକୁ ଅଧିକ ତପôର କରାଯାଉଛି ବୋଲି କହିଥିଲେ । ଏନ୍ୟୁଜେ ପୂର୍ବତନ ମହାସଚିବ ପ୍ରସନ୍ନ ମହାନ୍ତି ଗତ ୧୫ ବର୍ଷ ଧରି ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ଚରମ ଅବହେଳାର ଶିକାର ହୋଇ ଆସୁଛନ୍ତି ବୋଲି ଅଭିଯୋଗ କରିବା ସହ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତି ପାଳନ କରିବାରେ ରାଜ୍ୟ ସରକାର ଖିଲାପ କରୁଛନ୍ତି ବୋଲି କହିଥିଲେ ।
ଉତ୍ସବରେ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ବିଜୟ ମହାନ୍ତି ଓ ଏନ୍ୟୁଜେ ଉପସଭାପତି ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ବିଭିନ୍ନ ତୁରନ୍ତ ଦାବି ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଓୟୁଜେ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ଅଜୟ କୁମାର ସାହୁ ବିବରଣୀ ପାଠ କରି ଓୟୁଜେର ଦୀର୍ଘ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୀ କଳିଙ୍ଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ, ନୁ୍ୟଜ୍-୭ ସମ୍ପାଦକ ଅଦେ୍ର୍ଧନ୍ଦୁ ଶେଖର ଦାସ, ବରିଷ୍ଠ ସାମ୍ବାଦିକ ପ୍ରବୀର ସରକାର, ଗଜେନ୍ଦ୍ର କୁମାର ମହାନ୍ତି, ଯୁବ ସାମ୍ବାଦିକ କମ୍ବୁପାଣି ମିଶ୍ର ଓ ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଉତ୍ସବରେ ଓୟୁଜେ ଉପ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ଲୋକନାଥ ସିଂ, ସମ୍ପାଦକ କୈଳାସ ଚନ୍ଦ୍ର ଜେନା, ମିନାକ୍ଷୀ ନାଏକ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ କିଷାନ ରାଉତ, ଟ୍ରିବୁନାଲ୍ ଅଧ୍ୟକ୍ଷ ଅଶୋକ ନନ୍ଦ, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପରିଡା, ବରିଷ୍ଠ ସଦସ୍ୟ ନିମାଇଁ ଚରଣ ମହାନ୍ତି, ହଳଧର ଧୀର, କୈଳାସ ଚନ୍ଦ୍ର ନାୟକ, ପରୀକ୍ଷିତ ବିଶ୍ୱାଳ, ପ୍ରମୋଦ କୁମାର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!