ନିୟମ ପ୍ରଣୟନ ବ୍ୟତୀରକେ ଭାଷା ଆଇନ କାର୍ଯ୍ୟକାରୀ ହେବା ଅସମ୍ଭବ: ଓଡିଆଭାଷା ସଂଗ୍ରାମ ସମିତିର ପ୍ରତିକ୍ରିୟା

ଆଜି ସଂଧ୍ୟାରେ ଓଡିଆଭାଷା ସଂଗ୍ରାମ ସମିତି କାର୍ଯ୍ୟାଳୟରେ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ଭାଷା ସଂମ୍ପର୍କୀତ ଆକଳନ ଉପରେ ଆଲୋଚନା ହୋଇଥିଲା । ୧୯୫୪ ଭାଷା ଆଇନ କଡାକଡି ଭାବରେ କାର୍ଯ୍ୟକାରି ହେବବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମିତି ସଦସ୍ୟମାନେ ସ୍ୱାଗତ କରିଥିଲେ । କିନ୍ତୁ ଏଥିସହିତ ଏହା ବି ସ୍ପଷ୍ଟ କରିଥିଲେ ଯେ ଆବଶ୍ୟକୀୟ ନିୟାବଳୀ ପ୍ରଣୟନ ଓ ଅଧିନିୟମରେ ସଂଶୋଧନ ନ କଲେ ଏହି ଆଇନ କାର୍ଯ୍ୟକାରୀ ହେବା ଆଦୌ ସମ୍ଭବ ନୁହେଁ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଏବଂ ମିଳିତ ମନ୍ତ୍ରୀସ୍ତରୀୟ କମିଟିର ଗତ ତୃତୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ଭାଷାଆଇନର ଆବଶ୍ୟକୀୟ ସଂଶୋଧନ ଏବଂ ସମିତି ପ୍ରସ୍ତାବିତ ନିୟମାବଳୀର ପ୍ରବର୍ତ୍ତନପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଭାଷା ସଂଗ୍ରାମ ସମିତି ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ ।
ଅନ୍ୟ ଏକ ପ୍ରସ୍ତାବରେ ଓଡିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ସମିତିର ଦାବି ଥିବା ସଂପୂର୍ଣ୍ଣ ଅଧ୍ୟୟନ ଓ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଆବଶ୍ୟକ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସେହିଭଳି ଓଡିଆରେ ସମସ୍ତ ନିଯୁକ୍ତିଭିତ୍ତିକ ପରୀକ୍ଷା ଓଡିଆରେ କରିବା, ମଡେଲସ୍କୁଲର ମାଧ୍ୟମ ଓଡିଆ ହେବା, ଶାସ୍ତ୍ରୀୟ ଓଡିଆର ଗବେଷଣା କାର୍ଯ୍ୟପାଇଁ କେନ୍ଦ୍ରିୟକ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠା ଆଦି ସମ୍ପର୍କରେ ସରକାର ନିରବ ଅଛନ୍ତି । ସରକାରଙ୍କ ଅନ୍ୟ ନିଷ୍ପତ୍ତିଗୁଡିକ ସମିତିର ଦାବୀ ଅନୁରୂପ ହୋଇଥିବାବେଳେ, ଅନ୍ୟାନ୍ୟ ରାଜ୍ୟରେ ସରକାରି ଭାଷା ପ୍ରବର୍ତ୍ତନ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଏହି ସମିତି ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । କାରଣ ଭାଷାଭିତ୍ତିକ ରାଜ୍ୟ ଓଡିଶା ତାର ମାତୃଭାଷାରେ ପ୍ରତ୍ୟେକ ଓ ସମସ୍ତ ସରକାରି କାମ ଚାଲିବାକୁ ୧୯୫୪ଭାଷା ଆଇନରେ ସୁନିଶ୍ଚିତ କରାଯାଇ ସାରିଛି । ତେଣୁ ଅନ୍ୟାନ୍ୟ ରାଜ୍ୟର ଅନୁଶୀଳନ ଅନାବଶ୍ୟକ ଥିବାରୁ ଏହି ଟାଳଟୁଳ ନୀତି ବର୍ଜନ କରିବାକୁ ସମିତି ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡିଆଭାଷାରେ ଓଡିଶା ଶାସନପାଇଁ ଓଡିଶା ସରକାର ଓ ଓଡିଆଭାଷା ସଂଗ୍ରାମ ସମିତିର ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ ନିଷ୍ପତ୍ତିମାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମରେ ସମ୍ପୂର୍ଣ୍ଣଭାବରେ ପ୍ରତିଫଳିତ ହୋଇପାରି ନ ଥିବାରୁ ଓଡିଆଭାଷା ସଂଗ୍ରାମ ସମିତି ଉଦବେଗ ପ୍ରକାଶ କରୁଛି । ସମିତି ଆବାହକ ଶଙ୍କର୍ଷଣ ପରିଡାଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ଜରୁରୀ ବୈଠକରେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଡକ୍ଟର ନଟବର ଶତପଥୀ, ଶ୍ରୀଯୁକ୍ତ ସୁଭାଷ ପଟ୍ଟନାୟକ, ଡକ୍ଟର ସୁବ୍ରତ ପୃଷ୍ଟି, ଉମାକାନ୍ତ ରାଉତ, ପବିତ୍ର ମହାରଥା, ଦେବପ୍ରସାଦ ପରିଜା, ହେମନ୍ତ ରଥ, ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!