ପଶ୍ଚିମବଙ୍ଗ ପୋଲିସର ଲାଠି ମାଡରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ସୁରେଶ ପୁଜାରୀ ଗୁରୁତର ଆହତ

sureshpujari ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଯାଇଛି । ରାଜ୍ୟ ପୋଲିସ ଶାସକ ଟିଏମସି ଦଳର ପ୍ରରୋଚନାରେ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରି କଣ୍ଠରୋଧ କରିଚାଲିଛି । ଚିଟ୍ଫଣ୍ଡ ଦୁର୍ନିତୀରେ ଛନ୍ଦି ହୋଇପଡିଥିବା ଶାସକ ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ଧ୍ୟାନ ଅନ୍ୟତ୍ର କରିବା ପାଇଁ ପୋଲିସ ମାଧ୍ୟମରେ ଦମନ କରିବାକୁ ଅପଚେଷ୍ଟା କରୁଅଛି । ରାଜ୍ୟ ସରକାରଙ୍କ ଏହି ମନୋମୁଖୀ କାର୍ଯ୍ୟକଳାପକୁ ପ୍ରତିବାଦ ଜଣାଇ ପଶ୍ଚିମବଙ୍ଗ ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାମାନ ଅନୁଷ୍ଠିତ କରାଯାଇଥିଲା ।
ବିଜେପିର ଏହି ପ୍ରତିବାଦକୁ ଦମନ କରିବାକୁ ଯାଇ ଶାସକ ଟିଏମସି ଦଳର ପ୍ରରୋଚନାରେ ସ୍ଥାନୀୟ ପୋଲିସ ପ୍ରତିବାଦକାରୀଙ୍କୁ ନିର୍ମମ ଭାବେ ଲାଠି ପ୍ରହାର କରିଥିଲା । ଯାହା ଫଳରେ ବହୁ ନେତା ଏବଂ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଷ୍ଟ୍ରୀୟ ସମ୍ପାଦକ ତଥା ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସହ-ପ୍ରଭାରୀ ଶ୍ରୀ ସୁରେଶ ପୁଜାରୀ ପୋଲିସର ଲାଠି ମାଡରେ ମୁଣ୍ଡ ଫାଟି ଯିବାରୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେହିଭଳି ଅନ୍ୟତମ ରାଷ୍ଠ୍ରୀୟ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ନାଥ ସିଂହ ମଧ୍ୟ ଲାଠି ମାଡରେ ଆହତ ହୋଇଛନ୍ତି ।
ପଶ୍ଚିମବଙ୍ଗ ରାଜ୍ୟ ସରକାର, ପ୍ରଶାସନ ତଥା ପୋଲିସର ଏତାଦୃଶ ଅମାନୁଷିକ କାର୍ଯ୍ୟକଳାପକୁ ଓଡିଶା ରାଜ୍ୟ ବିଜେପି ସଭାପତି ଶ୍ରୀ କନକବର୍ଦ୍ଧନ ସିଂହଦେଓ ଦୃଢ ଭାବେ ନିନ୍ଦା କରିବା ସହ ଆହତ ଶ୍ରୀ ପୁଜାରୀ ଏବଂ ଶ୍ରୀ ସିଂହଙ୍କ ସ୍ୱାସ୍ଥ୍ୟ ଆଶୁକାମନା କରିଛନ୍ତି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!