ଓଡିଶାରେ ଚାଷୀଆତ୍ମହତ୍ୟା ଅର୍ଥନୈତିକ ସଂସ୍କାର ଓ ରାଜ୍ୟ ସରକାରଙ୍କ କୃଷିନୀତିର ବିଷମ ଓ ମର୍ମନ୍ତୁଦ ପରିଣତି

ନ୍ୟାସିନାଲ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ 1995 ମସିହାରୁ ବର୍ତ୍ତମାନ 2015 ମସିହା ମଧ୍ୟରେ ପ୍ରାଏ ତିନି ଲକ୍ଷ ଚାଷୀ ଆତ୍ମହତ୍ୟା କରିସାରିଲେଣି । ଏମାନଙ୍କ ମଧ୍ୟରେ ଉକ୍ତ ସମୟରେ ଓଡିଶାରେ 5 ହଜାର ଚାଷୀ ଅନ୍ତର୍ଭୁକ୍ତ । ଯେତେବେଳେ ପଡୋଶୀ ଆନ୍ଧ୍ରପ୍ରଦେଶ ତଥା ମହାରାଷ୍ଟ୍ର ଓ ପଞ୍ଜାବରେ ଚାଷୀ ବହୁସଂଖ୍ୟାରେ ଆତ୍ମହତ୍ୟା କରୁଥିଲେ ସେତେବେଳେ ଓଡିଶାରେ ତାହାର ସଂଖ୍ୟା ପ୍ରାଏ ଶୁନ ଥିଲା। କିନ୍ତୁ 2009 ମସିହାରୁ ଓଡିଶାର ଚାଷୀ ମଧ୍ୟ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ଯାହା ଗଲା ଦୁଇ ମାସ ମଧ୍ୟରେ ବଢିବାରେ ଲାଗିଛି ।
ଓଡିଶାରେ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ବେଶ କିଛି ବର୍ଷ ହେଲା କାମ କରିଆସୁଥିବା “ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’’ ତରଫରୁ ଏକ କମିଟି ଗଠନ କରାଯାଇ ଏକ ତଥ୍ୟାନୁସନ୍ଧାନ ରିପୋର୍ଟ ତିଆରି କରିବାର ଦାୟିତ୍ଵ ନିଆଯାଇଥିଲା । ଉକ୍ତ କମିଟି ଓଡିଶାର 6ଟି ଜିଲ୍ଲା ଗସ୍ତକରି ଆତ୍ମହତ୍ୟା କରିଥିବା 26 ଜଣ ଚାଷୀଙ୍କ ପରିବାରଗୁଡିକୁ ଭେଟିଥିଲା ଯେଉଁମାନଙ୍କ ମଧ୍ୟରେ ବର୍ତ୍ତମାନର ମରୁଡି ହେତୁ ଆତ୍ମହତ୍ୟା କରିଥିବା ପରିବାର ସମେତ 2009ରୁ 2013 ମସିହା ମଧ୍ୟରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାର ଅନ୍ତର୍ଭୁକ୍ତ । କମିଟି ଏକ ଛପା ପ୍ରଶ୍ନାବଳୀରେ ଚାଷୀ ପରିବାର ବିଷୟରେ ବିଭିନ୍ନ ବିବରଣୀ ଲିପିବଦ୍ଧ କରିଥିଲା । ଏତଦ ବ୍ୟତୀତ ବିଭିନ୍ନ କୃଷକ ସଂଗଠନର ନେତୃବର୍ଗ, ବ୍ୟାଙ୍କ କର୍ମଚାରୀ, ମହିଳା ମଣ୍ଡଳଙ୍କୁ ମଧ୍ୟ କମିଟି ଭେଟିଥିଲା । ଏହା କମିଟିର ପ୍ରାଥମିକ ରିପୋର୍ଟ । ପରେ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ।
ତଥ୍ୟାନୁସନ୍ଧାନ ପରେ କମିଟିର ପ୍ରାଥମିକ ରିପୋର୍ଟ
“ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ”ର ତଥ୍ୟ ଅନୁସନ୍ଧାନକାରୀ ଦଳ ଓଡିଶାରେ 6 ଟି ଜିଲ୍ଲାର 26ଟି ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ଭେଟିଥିଲା। ସେଥିମଧ୍ୟରୁ ବରଗଡ ଜିଲ୍ଲାରେ 11 ଜଣ, ବାଲେଶ୍ଵର ଜିଲ୍ଲାର 7, କଟକ ଜିଲ୍ଲାର 4, ନୟାଗଡ ଜିଲ୍ଲାର 2, ଖୋର୍ଦ୍ଧା ଜିଲ୍ଲାର 1 ଓ ଯାଜପୁର ଜିଲ୍ଲାର 1 ଚାଷୀ ପରିବାର ଥିଲେ । ଏମାନଙ୍କ ମଧ୍ୟରେ ପୁରୁଷ ଚାଷୀ 25 ଜଣ ଥିଲା ବେଳେ ଜଣେ ମାତ୍ର ମହିଳା ଚାଷୀ ଥିଲେ । ବରଗଡ ପରି ଜିଲ୍ଲାରେ ଯଦିଓ 2009 ମସିହାରୁ ଅଧିକ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିଆସୁଥିଲେ ତେବେ କଟକ, ଯାଜପୁର, ଖୋର୍ଦ୍ଧା ଓ ନୟାଗଡ ପରି ଉପକୂଳ ଜିଲ୍ଲା ରେ ଏହି ସମସ୍ୟା ପ୍ରଥମକରି ଦେଖାଗଲା । ସେହି 26 ଜଣ ଚାଷୀଙ୍କ ମଧ୍ୟରୁ 4 ଜଣ ଉଚ୍ଚ ଜାତିର, 14 ଜଣ ଅନ୍ୟାନ୍ୟ ପଛୁଆ ବର୍ଗର, 5 ଜଣ ଆଦିବାସୀ ଓ 3 ଜଣ ଦଳିତ ବର୍ଗର ଥିଲେ ।
ଜମିଜମା ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଆତ୍ମହତ୍ୟା କରିଥିବା ପରିବାର ମଧ୍ୟରେ 4 ଜଣ ଭୂମୀହୀନ ଓ 22 ଜଣ ଭାଗଚାଷୀ ଥିଲେ ଯେଉଁ ମାନଙ୍କ ମଧ୍ୟରୁ 8 ଜଣଙ୍କର ଜଳସେଚିତ ଜମି ଥିଲା ଓ 4 ଜଣଙ୍କର 4 ରୁ 5 ଏକର ଜମି ରହିଥିଲା । କମିଟି ଅନୁଧ୍ୟାନ କରିଥିବା 26 ଜଣଙ୍କ ମଧ୍ୟରୁ ସର୍ବାଧିକ 22 ଜଣ ଚାଷୀ ପ୍ରଥମ ବର୍ଷର ଫସଲ କ୍ଷତିଗ୍ରସ୍ତ ହେବା ହେତୁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ 4 ଜଣ ଚାଷୀ ବାରମ୍ବାର ମରୁଡି ଓ ବିପତ୍ତି ଯୋଗୁଁ ସେମାନଙ୍କର ଫସଲ ନଷ୍ଟ ହୋଇଥିବା ହେତୁ ଆତ୍ମହତ୍ୟା କରିଛନ୍ତି । ଏଥିପାଇଁ 20 ଜଣ ଚାଷୀ ରୁଣ ଶୁଝି ନପାରିବା, ରୂଣର ପରିମାଣ ବଢିବା ଓ ବ୍ୟାଙ୍କ ତଥା ସାହୁକାର ହଇରାଣ କରିବାରୁ ଆତ୍ମହତ୍ୟା କରିଥିଲେ ।
ଏଠାରେ କଟକ ଜିଲ୍ଲା ସାଲେପୁର ବ୍ଲକ ଚମ୍ପତି ପଞ୍ଚାୟତର ଅଣ୍ଡେଇସାହି ଗ୍ରାମର ହରେକୃଷ୍ଣ ଜେନା (ବୟସ 35ବର୍ଷ)ଙ୍କ ମୃତ୍ୟୁର କାରଣ ଏକ ଉଲ୍ଲେଖନୀୟ ଘଟଣା । ସେ ଗଲା ୨୩/୧୦/୨୦୧୫ରେ ଆତ୍ମହତ୍ୟା କରିଥିଲେ । ହରେକୃଷ୍ଣ ଜେନା ଭାଗ ଧରିଥିବା ଦୁଇ ଏକର ବାଇଗଣ ଚାଷରେ ପୋକ ଲାଗିବା ହେତୁ ରୁଣ ନେଇଥିବା କଲିକତାର “ବନ୍ଧନ” ସଂସ୍ଥାର ସାପ୍ତାହିକ କିସ୍ତି 1200ଟଙ୍କା ଯୋଗାଡ ନକରିପାରି ଆତ୍ମହତ୍ୟା କଲେ ବୋଲି ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଜେନା ସ୍ପଷ୍ଟ ମତ ରଖନ୍ତି । ହରେକୃଷ୍ଣଙ୍କ ରୂଣର ସ୍ରୋତ ବେଶ ଆଶ୍ଚର୍ଯ୍ୟଜନକ ଅଟେ । ସେ “ବନ୍ଧନ“ ନାମକ ଏକ ସଂସ୍ଥା ରୁ 25,000 ଟଙ୍କା , ଏଲ&ଟି ଫାଇନାନ୍ସରୁ 15000 ଟଙ୍କା ଓ ସିଡ଼ିଆର ଅଧିକାର ନାମକ ମହିଳା ସଂଗଠନରୁ 22,000 ଟଙ୍କା ରୁଣ କରିଥିଲେ । ଏଥିରୁ “ବନ୍ଧନ“ ଋଣର ସୁଧହାର 24.8% (ଯଦିଓ ବନ୍ଧନ ପାସ ବୁକ ରେ 22.4%) ଲେଖା ଯାଇଛି । ସେହିଭଳି ଏଲ&ଟି ଫାଇନାନ୍ସର ସୁଧହାର 15.33% ଓ ମହିଳାମଣ୍ଡଳ ର ସୁଧହାର 36% ଅଟେ । ସେଥର ପୂଜା ଛୁଟି ହେତୁ ବୁଧବାର ଆଗରୁ “ବନ୍ଧନ“ ସଂସ୍ଥା ସାପ୍ତାହିକ କିସ୍ତି ଦୁଇ ଗୁଣା ଅର୍ଥାତ ଏକକାଳୀନ 1200 ଟଙ୍କା ନେବା ପାଇଁ ଜିଦ୍ଦି କରିବା ହେତୁ ହରେକୃଷ୍ଣ ଆତ୍ମହତ୍ୟା କଲେ । ସମବେଦନା ଜଣାଇବାପାଇଁ ଅଞ୍ଚଳର ବିଧାୟକ, ତହସିଲଦାର ଇତ୍ୟାଦି ଯାଇଥିଲେ ମଧ୍ୟ ଓ ଘଟଣା ସମ୍ପର୍କରେ ସେମାନେ ଅବଗତ ଥିଲେ ମଧ୍ୟ “ଆତ୍ମହତ୍ୟା ପାଇଁ ବାଧ୍ୟ କରିବା” ଅପରାଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
କମିଟି ଭେଟିଥିବା 26ଜଣ କୃଷକଙ୍କ ମଧ୍ୟରୁ 8ଜଣ ବ୍ୟାଙ୍କରୁ, 7ଜଣ ସମବାୟ ସଂସ୍ଥାରୁ ଓ 7 ଜଣ ମହିଳାମଣ୍ଡଳ ଠାରୁ ପ୍ରମୁଖଭାବରେ ରୁଣ ନେଇଛନ୍ତି । ଏତଦ ବ୍ୟତୀତ 17ଜଣ ସାହୁକାରଙ୍କ ଠାରୁ, 8ଜଣ ବନ୍ଧୁବାନ୍ଧବ ଓ 8ଜଣ ଦୋକାନୀଙ୍କ ଠାରୁ ମଧ୍ୟ ରୁଣ ନେଇଛନ୍ତି । ପ୍ରତ୍ୟେକ ଚାଷୀ ଏକାଦି କ୍ରମେ ବିଭିନ୍ନ ସଂସ୍ଥାରୁ ରୁଣ କରିଛନ୍ତି । ସାହୁକାରଙ୍କ ଜବରଦସ୍ତି ସୁଧ ଆଦାୟ ବ୍ୟବସ୍ଥା ବେଶ କିଛି ଚାଷୀଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ଅଟେ । କମିଟି ଯାଇଥିବା ସମସ୍ତ 26ଟି ଘଟଣା ମଧ୍ୟରୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକଠାରୁ କାଲିଆପାଣି ଖଣି ଅଞ୍ଚଳର ଆଦିବାସୀ ଚାଷୀ ସାଧୁ ଲାଗୁରିଙ୍କ ମୃତ୍ୟୁର କାରଣ ସେହିଭଳି ଅଟେ । 40 ବର୍ଷ ବୟସର ସାଧୁ 6 ଜଣଙ୍କ ପାଖରୁ ଆଣିଥିବା ରୁଣ ଏ ବର୍ଷକୁ 90,000 ଟଙ୍କାରେ ପହଞ୍ଚିଥିଲା । ରୁଣ ଦେଇଥିବା ଲୋକଙ୍କ ମଧ୍ୟରେ ଅଞ୍ଚଳର ସୁଧଖୋର ମହାଜନ ମଧ୍ୟ ଅଛନ୍ତି । ତଥାପି ଏବର୍ଷ ମରୁଡି ତାଙ୍କର ଚିନ୍ତାକୁ ବହୁଗୁଣା ବଢେଇଦେଇଥିଲା । ସାହୁକାରର ସୁଧ ପରିମାଣ ମାସକୁ 10 % ଯାହାକୁ ଶୁଝିବା ଅସମ୍ଭବ ହୋଇପଡିଥିଲା ବୋଲି ସାଧୁଙ୍କ ବୋହୁ କୁହନ୍ତି । କମିଟି ଗସ୍ତ କରିଥିବା ଜିଲ୍ଲାମାନଙ୍କ ମଧ୍ୟରେ କାଲିଆପାଣି ଅଞ୍ଚଳ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଯେଉଁଠି ଦୀର୍ଘମିଆଦରେ ରୁଣ ମାସକୁ 10 % ସୁଧହାରରେ ଦିଆଯାଉଛି ଅଥଚ ପ୍ରଶାସନ ନୀରବ ଅଛି । ତହସିଲଦାର କେବଳ 10,000 ଟଙ୍କା ସାଧୁଙ୍କ ପରିବାରକୁ ଦେଇଛନ୍ତି ଅର୍ଥାତ ସେ ପାହାଡ ପରିମାଣର ସୁଧ କାରବାର ସମ୍ପର୍କରେ ଅବଗତ । ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ ।
ସାଧୁଙ୍କ ଘରଠାରୁ ମାତ୍ର 10କିମି ଦୂରରେ କଲିଆପାଣି ଖଣିଅଞ୍ଚଳ । ଭାରତୀୟ ପୁଞ୍ଜିବାଦୀ ଅର୍ଥନୀତିରେ କାଲିଆପାଣିର ଅବଦାନ ଅସୀମ । କ୍ରୋମାଇଟ ଓ ଲୁହାପଥର ହେତୁ ଟାଟା, ଜିନ୍ଦଲ, ଇମ୍ଫା, ଓଏମସି ପରି ବହୁ ବଡ କମ୍ପାନୀ ଧାଡି ଲଗାଇଛନ୍ତି । ମାତ୍ର ସେସବୁର ସୁଫଳ ସ୍ଥାନୀୟ ଲୋକେ ପାଉନାହାନ୍ତି । ଏ ସମ୍ପୂର୍ଣ ଅଞ୍ଚଳ ଅଣଜଳସେଚିତ ଅଟେ । ତାପରେ ଖଣିରେ କାମ ମିଳିବାକୁ ହେଲେ ସ୍ଥାନୀୟ ୟୁନିୟନର ଅନୁମୋଦନ ଆବଶ୍ୟକ । ସାଧୁ କେବେ ବି ନିଜ ଜୀବନ କାଳ ଭିତରେ ଖଣିରେ କାମ କରିବାକଥା ଭାବିନଥିଲେ । ହେଲେ ତାଙ୍କ ପୁଅ ଓ ଗାଁର ଯୁବକମାନଙ୍କୁ ଖଣିରେ ପ୍ରବେଶ ପାଇଁ ଶାସକ ଦଳର ଶ୍ରମିକ ୟୁନିୟନ ଆଗତୁରା 5000ଟଙ୍କା ପ୍ରବେଶିକା ଫୀ ମାଗୁଛି । ଏହି ଆଦିବାସୀ ଯୁବକମାନେ ସେତକ ଯୋଗାଡ କରିବାରେ ଅସମର୍ଥ ।
କମିଟି ବୁଲିଥିବା ପରିବାର ମଧ୍ୟରୁ 15 ଜଣ ଚାଷୀ ଚାଷକାର୍ଯ୍ୟ ଛାଡି ଦେଇଛନ୍ତି । 8ଜଣଙ୍କ ଘରେ ଆୟର ସ୍ରୋତ ବନ୍ଦ ହୋଇଯାଇଛି । ସେ ମଧ୍ୟରୁ ବରଗଡ ଅଞ୍ଚଳର ଗଲା ଦୁଇ ତିନି ବର୍ଷ ତଳେ ଆତ୍ମହତ୍ୟା କରିଥିବା ଅଧିକାଂଶ ପରିବାରର ନିଜସ୍ଵ ସାମାନ୍ୟ ଜମି ବନ୍ଧା ଦିଆଯାଇ ପୁରୁଣା ରୁଣ ଶୁଝା ଯାଉଛି ଓ ମୃତ ଚାଷୀଙ୍କ ପତ୍ନୀ କୃଷି ଶ୍ରମିକ ଭାବରେ ଦୈନିକ 100 ଟଙ୍କା ପାଇଲେ ସେମାନଙ୍କ ପରିବାରରେ ଚୁଲି ଲାଗୁଛି । ଆହୁରି ଦୁଃଖଦ ଥିଲା ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଇପଡା ପଞ୍ଚାୟତର ରାଇପଡା ଗ୍ରାମର ଲକ୍ଷ୍ମୀଧର ଭଟ୍ଟଙ୍କ ଆତ୍ମହତ୍ୟା ପରେ ପରିବାରର ସ୍ଥିତି । ମରିବା ସମୟରେ ତାଙ୍କର ନିଜସ୍ଵ ସ୍ରୋତରୁ ରୁଣ ଥିଲା 75,000 ଟଙ୍କା। ବିଶ ପିଇବା ହେତୁ ପରିବାର ଲୋକେ ତାଙ୍କୁ ବଞ୍ଚାଇବା ପାଇଁ ଅଧିକ 90,000 ଟଙ୍କା ରୁଣ କରି ଖର୍ଚ୍ଚ କଲେ ଯେଉଁଥିରେ ଭୁବନେଶ୍ଵର ସ୍ଥିତ ବିବେକାନନ୍ଦ ନର୍ସିଙ୍ଗ ହୋମରେ ଚିକିସ୍ଛିତ ହେଉଥିଲାବେଳେ 5 ଦିନ ମଧ୍ୟରେ ବିଲ ହେଲା 62,000 ଟଙ୍କା । ଯଦିଓ ତାଙ୍କ ପାଖରେ ବିପିଏଲ କାର୍ଡ ଥିଲା, ସେ ବିଜୁ କୃଶକ ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ ଓ ସ୍ୱାସ୍ଥ୍ୟ ବୀମା ମଧ୍ୟ କରିଥିଲେ ତେବେବି ତାଙ୍କର ପରିବାରକୁ କୌଣସି ସହଯୋଗ ନର୍ସିଙ୍ଗ ହୋମ ତରଫରୁ ମିଳିନଥିଲା ।
ଆର୍ଥିକ ସଂସ୍କାର ସମୟରେ ଯେଉଁଠି ଶିକ୍ଷା ଓ ସ୍ୱାସ୍ଥ୍ୟର ଘରୋଇକରଣ ହୋଇସାରିଛି ଓ ବ୍ୟାଙ୍କ ଓ ସରକାରୀ ଉଦ୍ୟୋଗ ଛୋଟ ଓ ଭାଗ ଚାଷୀଙ୍କ ପାଇଁ ନିଜର ଦ୍ଵାର ବନ୍ଦ କରିଦେଇଛନ୍ତି ତଥା ସରକାରଙ୍କ କୃଷିନୀତିରେ କୃଷକକୁ ମହିଳା ମଣ୍ଡଳ ଓ ମାଇକ୍ରୋ ଫାଇନାନ୍ସ ପରି ସଂସ୍ଥା ଉପରେ ନିର୍ଭର ହେବାକୁ ପଡୁଛି ସେଠାରେ ପ୍ରଥମ ବର୍ଷର ମରୁଡି ଅଥବା ଲଗାତର ମରୁଡି ହେବା ବା ଫସଲ ନଷ୍ଟ ହେବା ଚାଷୀଙ୍କୁ ସ୍ଵାଭାବିକ ଭାବେ ଅତ୍ୟଧିକ ବ୍ୟସ୍ତ କରିଦେଉଛି । ଚାଷୀ ନିଜର ପରିବାରର ଦୈନିକ ଆବଶ୍ୟକତା ପାଇଁ ଅଧିକ ଉତ୍ପାଦନ ପାଇଁ ଆଗ୍ରହୀ ମାତ୍ର ସେଥିପାଇଁ କୌଣସି ଭିତ୍ତିଭୂମି ନାହିଁ ।
ଆମ ଅର୍ଥନୀତିରେ ହାତଉଧାରୀ ଟଙ୍କା କାରବାର ବା unsecured unregistered banking practice ଚଳାଇଥିବା ମାଇକ୍ରୋ ଫାଇନାନ୍ସ ଓ ମହିଳା ମଣ୍ଡଳକୁ ନିୟନ୍ତ୍ରିତ କରିବାପାଇଁ କୌଣସି ସ୍ପଷ୍ଟ ନିୟମ ନାହିଁ ଯେ ଉକ୍ତ ସଂସ୍ଥା ମାନେ ଅଧିକ ସୁଧ ମାଗିପାରିବେ ନାହିଁ , କିମ୍ବା ଏହା ବେନିୟମ ମଧ୍ୟ । ବ୍ୟାଙ୍କ ଓ ସରକାରୀ ଉଦ୍ୟୋଗ ଠାରୁ ଚାଷୀଙ୍କୁ ଦୂରରେ ରଖିବା ପାଇଁ ତଥା ମହିଳା ମଣ୍ଡଳ ମାଧ୍ୟମରେ ବ୍ୟାଙ୍କ ମାନେ ନିଜର ପୁଞ୍ଜିକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଜାଣି ଜାଣି କେନ୍ଦ୍ର ସରକାର ସୁଧର ପରିମାଣ କ୍ଷେତ୍ରରେ ନୀରବ ରହୁଛନ୍ତି । ଏଥିରେ ରିଜର୍ଭ ବ୍ୟାଙ୍କ ମଧ୍ୟ ନୀରବ ରହୁଛି ଯାହା ହରେକୃଷ୍ଣଙ୍କ ପରିବାର ଭଳି ଅନେକ ଅନେକ ପରିବାରକୁ ମୃତ୍ୟୁମୁଖକୁ ଟାଣିନେଉଛି ।
ରାଜ୍ୟସରକାର ମହିଳା ମାଣ୍ଡଳ ମାନଙ୍କୁ ନାବାର୍ଡ ସହଯୋଗରେ 2005 ମସିହାରୁ ପ୍ରତିଷ୍ଠିତ କରାଇଲେ । ଏବେ ସରକାରଙ୍କ ଅଧିକାଂଶ ଜନକଲ୍ୟାଣ କାର୍ଯ୍ୟକ୍ରମର ସେମାନେ ଅତ୍ୟନ୍ତ ନିର୍ଭରଶୀଳ ଅଥଚ ବେସରକାରୀ କାର୍ଯ୍ୟକାରୀ କରାଉଥିବା ଦଳ । ଆଶ୍ଚର୍ଯ୍ୟ ର ବିଷୟ ଯେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ଏନଜିଓ ମାନେ ମଧ୍ୟ ଛୋଟ ଛୋଟ ମହିଳା ମଣ୍ଡଳ ଗଠନ କରି ଅର୍ଥ ଲଗାଣ କରିଛନ୍ତି । ଏହି ସବୁ ଆର୍ଥିକ ସଂସ୍ଥା ମାନେ ଓ ନିଜେ ମହିଳା ମଣ୍ଡଳ ସଦସ୍ୟମାନେ ସେହି ମହିଳାମାନଙ୍କୁ ଅସ୍ତ୍ର କରନ୍ତି ନିଜର ରୁଣ ଆଦାୟ ପାଇଁ । ସଦସ୍ୟଭୁକ୍ତ ମହିଳା ମାନେ ରୁଣ ଆଦାୟର ଦାୟିତ୍ଵ ନେଇଥାନ୍ତି କାରଣ ଜଣେ ଯଦି ସଦସ୍ୟା ଦେବାରେ ଅବହେଳା କଲା ତାହେଲେ ମାଇକ୍ରୋ ଫାଇନାନ୍ସ ସଂସ୍ଥା, ଏନଜିଓ ଓ ମହିଳାମଣ୍ଡଳ ତରଫରୁ ଅନ୍ୟ ସମସ୍ତଙ୍କୁ ପୁନଃ କିସ୍ତିରେ ରୁଣ ମିଳିବା ସମ୍ଭବ ହେବ ନାହିଁ । ଯଦି ହରେକୃଷ୍ଣ ରୁଣ ନ ଦିଅନ୍ତି ତେବେ ଅନ୍ୟ ମହିଳା ମାନେ ତାଙ୍କ ଦୁଆରରେ ଅଭଦ୍ର ଭାଷାରେ ଗାଳି କରିବା ସହିତ ଟିଭି ବା ବାସନ ବିକି କିସ୍ତି ପରିଶୋଧ କରିବା ପାଇଁ ବାଧ୍ୟ କରିବେ । ତେଣୁ ଏହାର ଅନ୍ତରାଳରେ ଯେଉଁଭଳି ମାଇକ୍ରୋ ଫାଇନାନ୍ସ ସଂସ୍ଥା, ଏନଜିଓ ଓ ସରକାର ନିଜେ ମହିଳାଙ୍କୁ ସହଜ ଲକ୍ଷ ରଖି ନିଜର ଉଦ୍ଦେଶ୍ୟ ପୂରଣ କରୁଛନ୍ତି ସେବିପକ୍ଷରେ ଆମର ବୁଦ୍ଧିଜୀବୀ ବର୍ଗ ଓ ମିଡିଆ ନୀରବ ।
ଚାଷୀ ଆତ୍ମହତ୍ୟା ପରେ ସରକାରୀ ସ୍ତରରେ 21 ଜଣଙ୍କୁ 2 ହଜାର ଟଙ୍କାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା ଓ ରେଡକ୍ରସ ତରଫରୁ ସାହାଯ୍ୟ ଯୋଗାଇଦିଆଯାଇଛି । ଗୋଟେପଟେ ସେହିସବୁ ପରିବାରକୁ ସ୍ଥାନୀୟ ବିଡ଼ିଓ ଅଥବା ତହସିଲଦାର ଗସ୍ତ କରି କେଉଁଠି ଦଶ ହଜାର ତ ଆଉ କେଉଁଠି 20 ହଜାର ଟଙ୍କା ଦେଇ ଅନ୍ୟପଟେ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ଯେ ଏହା “ଚାଷୀ ଆତ୍ମହତ୍ୟା ନୁହେଁ” । ଏହା ଏହି ଦଶନ୍ଧିର ପ୍ରମୁଖ ବିଡମ୍ବନା ହୋଇପାରେ । କମିଟି ଯାଇଥିବା 26 ପରିବାର ମଧ୍ୟରୁ କେବଳ ଗୋଟିଏ ପରିବାରକୁ ଛାଡିଦେଲେ ଅନ୍ୟ କାହାକୁ ଚାଷୀ ସଂଗଠନ ମାନେ କୌଣସି ସାହାଯ୍ୟ କରିନଥିଲେ । କେବଳ 5 ଜଣ ଚାଷୀ ପରିବାରକୁ ଉଭୟ କଂଗ୍ରେସ ଓ ବିଜେପି ଦଳ କିଛି ଅର୍ଥ ଦେଇଛନ୍ତି ।
‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’’ ତରଫରୁ ଗଠିତ କମିଟି ରେ ସଦସ୍ୟ ଭାବରେ ସଂଗଠନର କାର୍ଯ୍ୟକାରୀ ସଭାପତି ତଥା ଅର୍ଥନୀତିଙ୍ଗ ଡକ୍ଟର ଗୋଲକ ବିହାରୀ ନାଥ, “ଗଣଭୀତ୍ତି” ପତ୍ରିକାର ଯୁଗ୍ମ ସମ୍ପାଦକ ତଥା କୃଷି ବିଜ୍ଞାନୀ ସୁନାକର ବଳ, ବ୍ରଜେନ୍ଦ୍ର ମହାନ୍ତି, ଦେବ ରଞ୍ଜନ, କାର୍ତିକ ସାହୁ ଓ ସାମ୍ବାଦିକ ନୀହାର ଦାଶ ସଭ୍ୟ ଥିଲେ । ଏହି ସଂଗଠନ ଓଡିଶାରେ 1983 ମସିହାରୁ କାର୍ଯ୍ୟ କରିଆସୁଛି । ଗତ କିଛି ବର୍ଷ ହେଲା ବିସ୍ଥାପନ ସମସ୍ୟା, ଚାଷୀଆତ୍ମହତ୍ୟା ପ୍ରସଙ୍ଗ, ରାଷ୍ଟ୍ରହିଂସା ଓ ମିଥ୍ୟା ଏନକାଉଣ୍ଟର ତଥା ବାଲେଶ୍ଵର ଅଞ୍ଚଳରେ ପରିବେଶ ପ୍ରଦ୍ୟୁଷଣ ବିପକ୍ଷରେ କେତେକ ପଦକ୍ଷେପ ନିଆଯାଇଛି।

Share in top social networks!