ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୫ ଉଦଘାଟିତ

14 bhu ashok childrens day surabhui cycle rally (2)ବିଦ୍ୟାଳୟ ଓ ଗଣଶିକ୍ଷା ଆନୁକୁଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୧୫ ସମାରୋହ ସ୍ଥାନୀୟ ୟୁନିଟ -୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟନ କରି ଶିଳ୍ପ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇ କହିଲେ ଯେ , ଶିଶୁ ମହୋତ୍ସବ ସୁରଭି ଏକ ଉତ୍ସବ ନୁହେଁ ଆଜି ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି । ଆମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାରେ-ଦୀକ୍ଷାରେ –ଏକତା ଓ ଦାୟିତ୍ଵ ବୋଧରେ, ନୃତ୍ୟରେ , ଗୀତରେ , ତର୍କରେ , ଅଭିନୟରେ ସ୍ଵାବଲମ୍ବୀ ହେବାରେ ତଥା ଚିତ୍ରକର ଓ କୁଶଳୀ କାରିଗର ହେବାରେ ସର୍ବୋପରି ଜଣେ ସ୍ଵୟଂ ସଂପୂର୍ଣ୍ଣ ଭଲ ମଣିଷଟେ କରି ଗଢି ତୋଳିବାରେ ଏହି ସୁରଭିର ପ୍ରୟାସ । ସୃଜନଶୀଳତାର ବିକାଶରେ ଜଣେ ପୂର୍ଣ୍ଣାଙ୍ଗ ଛାତ୍ର ସମ୍ଭବ ହୋଇପାରିବ । ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ବ୍ୟାପକ ସୁଯୋଗ ରହିଛି । ବିଜ୍ଞାନର ଅଗ୍ରଗତୀ ସହ ଆଜିର ଛାତ୍ର ସମାଜ ସମତାଳରେ ଆଗେଇ ଚାଲିବା ଉଚିତ , ତାହେଲେ ଯାଇଁ ଦେଶ ଓ ଜାତି ଗଠନର ସ୍ଵପ୍ନ ସାକାର ହୋଇପାରିବ ।
ଏଠାରେ ସୂଚନାଯୋଗ୍ୟଯେ , ଚଳିତବର୍ଷ ‘ଆମେ ସବୁ ଏକ’ ଥିମ ଆଧାରରେ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହାଛଡା ‘ବେଟି ବଚାଓ : ବେଟି ପଢାଓ’ ବାଳିକା ଯଦି ପଢିବେ ପାଠ ,ସ୍ଵଚ୍ଛ ବିଦ୍ୟାଳୟ , ଗୁଣାତ୍ମକ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା , ପରିବେଶ ସୁରକ୍ଷା , ଶ୍ରୁତଲିଖନ ଏବଂ ହସ୍ତାକ୍ଷର ଆଦି ସବ୍-ଥିମ ଥାଇ ବକ୍ତୃତା ,ରଚନା ,ଚିତ୍ରକଳା ,ବିତର୍କ ପ୍ରତିଯୋଗିତା କରାଯାଉଛି ।
ଏଥିସହ ବର୍ଜ୍ୟବସ୍ତୁର ବ୍ୟବହାର ,ବିଜ୍ଞାନ ,କୌତୁକ ,କର୍ମଶାଳା ,ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଆହୁରି ମଧ୍ୟ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପିଲା ମାନଙ୍କ ଦ୍ଵାରା ନାଟକ ,ନୃତ୍ୟ ,ଗୀତ ଓ ଚିତ୍ରର ସମାରୋହରେ ଏକ ସ୍ଵତନ୍ତ୍ର ‘କଳା ଉତ୍ସବ’ର ଆୟୋଜନ କରାଯାଉଛି ।
ଏହି ଅବସରରେ ୩୦ ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସ୍ତରରେ ବକୃତା ,କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି । ଏଥର ରାଜ୍ୟର ବିଭିନ୍ନ ଶିକ୍ଷାଜିଲ୍ଲାରୁ ୨ ହଜାର ଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷ ଏହି ଉତ୍ସବରେ ଶକ୍ତି , ଜଙ୍ଗଲ ଓ ପରିବେଶ , ଆଦିବାସୀ କଲ୍ୟାଣ , ବୟନିକା , ହସ୍ତତନ୍ତ ଓ ଓପେପା ଶିକ୍ଷା ଓ ଶିକ୍ଷକ ତାଲିମ ନିର୍ଦେଶାଳୟ ଆଦି ସରକାରୀ ବିଭାଗର ପ୍ରାୟ ୩୦ରୁ ଉର୍ଦ୍ଧ ଷ୍ଟଲ ଥାଇ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଶିକ୍ଷାର୍ଥୀଙ୍କ ଦ୍ଵାରା ଛାୟା ବିଧାନସଭା ,ସୃଜନାତ୍ମକ ଲେଖା ପ୍ରସ୍ତୁତି , କଳା ସ୍ଥାପତ୍ୟ , ସଙ୍ଗୀତ , ନୃତ୍ୟ , ବାଲୁକା କଳା , ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର , ଅଙ୍କ କୌତୁକ , ମାଟିକଳା ଆଦି କଳା ଓ କୌଶଳ ସଂକ୍ରାନ୍ତ କର୍ମଶାଳା ଆୟୋଜନ କରାଯାଉଛି ।
ଏହି କାର୍ଯ୍ୟକ୍ରମ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ନିୟୋଜନ ଓ ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସ ବର୍ମା ,ଭୁବନେଶ୍ଵର ମହାନଗର ନିଗମର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା , ୟୁନିସେଫ ରାଜ୍ୟ ମୁଖ୍ୟ ଯୁମୀ ବେ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ,ଓପେପାର ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ମଲ୍ଲିକ ପମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share in top social networks!