ସର୍ଦ୍ଧାର ପଟେଲଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ଭାରତବର୍ଷକୁ ସମଗ୍ର ବିଶ୍ୱରେ “ଶ୍ରେଷ୍ଠ ଭାରତ” ଭାବେ ଗଢି ତେଳିବାକୁ କେନ୍ଦ୍ରମନ୍ତ୍ରୀ ଗେହେଲୋଟଙ୍କ ଆହ୍ୱାନ

patelସ୍ୱତନ୍ତ୍ର ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ସ୍ୱଧୀନତା ପୂର୍ବର ୬୦୦ରୁ ଉର୍ଦ୍ଧ ଛୋଟ ଛୋଟ ରାଜ୍ୟ ଏକାଠି ହେବା ଫଳରେ ଆଜିର ଏହି ଭାରତର ସୃଷ୍ଟି । ବିଶେଷ ଭାବେ ଓଡିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ଆନ୍ଧ୍ରପ୍ରଦେଶ ସମେତ ବହୁତ ରାଜ୍ୟର ସୀମାରେଖା ଶାନ୍ତିପୂର୍ଣ୍ଣ ଭାବେ ନିର୍ଦ୍ଧାରଣ ହୋଇପାରିଛି ।

ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ସ୍ୱାଧୀନ ଦାବୀ କରୁଥିବା ହାଇଦ୍ରାବାଦ, ଜମ୍ମୁ ଓ କାଶ୍ମୀର ଇତ୍ୟାଦିର ମିଶ୍ରଣ କେବଳ ମହାନ ସର୍ଦ୍ଧାର ପଟେଲଙ୍କ ଅକ୍ଳାନ୍ତ ଉଦ୍ୟମ, ଚେଷ୍ଟା ଏବଂ ଆନ୍ତରିକତା ପାଇଁ ସମ୍ଭବ ହୋଇଅଛି ବୋଲି ସର୍ଦ୍ଧାର ପଟେଲଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ଭାରତବର୍ଷକୁ ସମଗ୍ର ବିଶ୍ୱରେ “ଶ୍ରେଷ୍ଠ ଭାରତ” ଭାବେ ଗଢି ତେଳିବାକୁ ସମସ୍ତେ ପ୍ରତିଜ୍ଞା କରି କାର୍ଯ୍ୟକରିବାକୁ କେନ୍ଦ୍ର ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଥାବର ଚାନ୍ଦ ଗେହେଲୋଟ ଆହ୍ୱାନ ଦେଇଛନ୍ତି ।

ବିନା ହିଂସାରେ ସମସ୍ତ ରାଜ୍ୟମାନଙ୍କୁ ଏକାଠି କରି ଅଖଣ୍ଡ ଭାରତବର୍ଷ ଗଠନ କରିବାରେ ସର୍ଦ୍ଧାର ପଟେଲଙ୍କ ଭୂମିକାକୁ ସ୍ମରଣ କରି ଭୁୟସୀ ପ୍ରଶଂସା କରିଥିଲେ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଶେଖ ଅବଦୁଲ୍ଲାଙ୍କ ସର୍ଦ୍ଧାର ପଟେଲଙ୍କ ପ୍ରତି ଆନ୍ତରିକତା ଏବଂ ଅସହଯୋଗ କାରଣରୁ ଜମ୍ମୁ ଓ କାଶ୍ମୀରର ସମସ୍ୟା ଆଜି ମଧ୍ୟ ଭାରତ ପାଇଁ କ୍ରମଶଃ ମୁଣ୍ଡ ବ୍ୟଥାର କାରଣ ହୋଇପଡିଛି । ନଚେତ ଆଜି ଭାରତବର୍ଷର ମୁଣ୍ଡ ବୋଲାଉଥିବା କାଶ୍ମୀର ଏବଂ ସେଠାକାର ବାସୀନ୍ଦା ମଧ୍ୟ ଶାନ୍ତିରେ ବସବାସ କରିଥାଆନ୍ତେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହେଲୋଟ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୪୦ତମ ଜୟନ୍ତୀ ଅବସରରେ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସର୍ଦ୍ଧାର ପଟେଲଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଦେଶର ଅଖଣ୍ଡତା ପାଇଁ ଆହ୍ୱାନକୁ ଆଧାର କରି ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଚିନ୍ତାଧାରାରେ ଅନୁପ୍ରାଣିତ ହେବା ସହିତ ତାଙ୍କୁ ମନେ ପକାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜିର ଏହି ଦିନକୁ “ରାଷ୍ଟ୍ରୀୟ ଏକତା ଦିବସ” ଭାବେ ସମଗ୍ର ଦେଶରେ ପାଳନ କରିଆସୁଛନ୍ତି । ଏହାଦ୍ୱାରା ଭାରତବର୍ଷ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହେଲୋଟ ଦୃଢ ଆଶା ପ୍ରକାଶ କରିଥିଲେ ।

ଲୈାହପୁରୁଷ ଭାବରେ ପରିଚିତ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରେ “ରାଷ୍ଟ୍ରୀୟ ଏକତା ଦିବସ” ମହାଆଡମ୍ବର ଭାବରେ ପାଳନ କରାଯାଇଅଛି । ଏହି ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଥାବର ଚାନ୍ଦ ଗେହେଲୋଟ ଉଦ୍ଘାଟନ କରିଥିଲେ । ସର୍ବପ୍ରଥମେ ସକାଳ ୮.୩୦ରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ଗଣଦୈାଡ “ରାଷ୍ଟ୍ରୀୟ ଏକତା ଦୈାଡ” ଆରମ୍ଭ ହୋଇଥିଲା । ଏହି ଗଣଦୈାଡରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହେଲୋଟଙ୍କ ସମେତ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀଙ୍କ ସହିତ ଶହ ଶହ ସାଧାରଣ ଜନତା ଭାଗ ନେଇଥିଲେ । ଦଳୀୟ କାର୍ଯ୍ୟାଳୟଠାରେ ଏହି ଦୈାଡ ଶେଷ ହେଲାପରେ ସେଠାରେ ଥିବା ସର୍ଦ୍ଧାର ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉପସ୍ଥିତ ସାଧାରଣ ଜନତାଙ୍କ ସମେତ ଗଣଦୈାଡରେ ଭାଗ ନେଇଥିବା ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ନେତା ସମ୍ବୋଧନ କରିଥିଲେ ।

ଲୈାହମାନବ ସର୍ଦ୍ଧାର ପଟେଲ ଯେଉଁ ଅଖଣ୍ଡ ଭାରତବର୍ଷର ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନର ସାକାର ସ୍ୱରୁପ ଆଜି ଓଡିଶା ପ୍ରଦେଶର ସ୍ଥିତି । ସମଗ୍ର ଦେଶକୁ ଏକାଠି କରି ଗଢି ତୋଳିବା ପାଇଁ ତାଙ୍କର ପ୍ରଚେଷ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମତ ପ୍ରକାଶ କରିଥିଲେ ।
ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହେଲୋଟ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଷ୍ଠ୍ରର ଏକତା, ଅଖଣ୍ଡତା ଓସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପଣ କରିବାକୁ ଶପଥ ପାଠ କରାଇଥିଲେ । ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅମୀୟ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ଉପ ସଭାପତି ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସଂପାଦକ ନୟନ କିଶୋର ମହାନ୍ତି, ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମହାନ୍ତି, ରତିକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ସମସ୍ତ ଅତିଥି, ଦଳୀୟ କର୍ମୀ ଏବଂ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share in top social networks!