ଚାଷୀ ଆତ୍ମହତ୍ୟା ପାଇଁ ନବୀନ ଦାୟୀ : ବିଜୟ; ଚାଷୀଙ୍କ ପାଇଁ ହେଲପ ଲାଇନର ଶୁଭାରମ୍ଭ କଲା ବିଜେପି

bijayସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର କହିଲେଯେ, ରାଜ୍ୟରେ ଏବେ ଭୟାନକ ମରୁଡ଼ି ପଡ଼ିଛି । ଦିନକୁ ଦିନ ଚାଷୀ ଆତ୍ମହତ । ଉଗ୍ରରୂପ ଧାରଣ କରିଛି । ଫଳରେ ଚାଷୀଙ୍କ ମନରେ ହତାଶା, ନିରାଶା ଓ ଆତଙ୍କ ଖେଳିଯାଇଛି । ଓଡ଼ିଶାର ମରୁଡ଼ି ସ୍ଥିତି ନେଇ କେନ୍ଦ୍ରୀୟ ଟିମ ବୁଲି ଦେଖିସାରିଥିବାବେଳେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବାବୁମାନେ ଗୋଟିଏ ବି ଓଳି ଯିବାକୁ ସମୟ ପାଇନାହାନ୍ତି । ବର୍ଷା କମ ହେବବୋଲି ବହୁ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ସରକାର କୌଣସି କଣ୍ଡିଜେନ୍ସୀ ପ୍ଲାନ ପ୍ରସ୍ତୁତ କରିନଥିଲେ । କେନ୍ଦ୍ରୀୟ ଟିମ କ୍ଷେତ୍ର ପରିଦର୍ଶନ କରି ଯିବା ପରେ ସରକାରଙ୍କର ନିଦ ଭାଙ୍ଗିଲା ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର କହିଲେଯେ, ଏଯାଏଁ ରାଜ୍ୟ ସରକାର ମରୁଡ଼ି କ୍ଷୟକ୍ଷତି ଆକଳନ କରିନାହାନ୍ତି । ରାଜସ୍ୱ ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନାହିଁ । ମୋଟାମୋଟି ଭାବେ ଦେଖିଲେ ରାଜ୍ୟ ସରକାର ଏହାକୁ ଖାତ୍ମଖିଆଲି ଓ ମାମୁଲି ଭାବେ ଘଟଣାକୁ ନେଇଛନ୍ତି । ଗଲା ୧୪ରେ ମୁଖ୍ୟମନ୍ତ୍ରୀ ମରୁଡ଼ି ପ୍ୟାକେଜ ଘୋଷଣା କରିଛନ୍ତି । ହେଲେ ସେହିଦିନ ଠାରୁ ଆଜି ଯାଏଁ ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ପୂର୍ବରୁ ପଶ୍ଚିମାଞ୍ଚଳରେ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଥିବାବେଳେ ଏବେ ପୂର୍ବାଞ୍ଚଳରେ ଏହି ଧାରା ପରିଲକ୍ଷିତ ହୋଇଛି । ସାରା ରାଜ୍ୟରେ ଏମିତି ଅବସ୍ଥା ସୃଷ୍ଟି ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଛୁଟି କାଟି ଫେରିବା ପରେ ଋଣ ପୂନହଃଧାର୍ଯ୍ୟ କରିବେ ବୋଲି କହିଛନ୍ତି । ହେଲେ ଯେଉଁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି ସେମାନେ ସରକାରୀ ଋଣ ନେଇନାହାନ୍ତି । ଗାଁ ମହାଜନଙ୍କ ଠାରୁ ସୁଧରେ ଟଙ୍କା ଆଣିଛନ୍ତି । ଏହାକୁ କିପରି ପୂନହଃଧାର୍ଯ୍ୟ କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସରକାରଙ୍କ ଉପରେ ଚାଷୀଙ୍କର ଆଉ ବିଶ୍ୱାସ ନାହିଁ । ଫସଲ କ୍ଷତି ହେଲେ ଚାଷୀ ଆର ଫସଲକୁ ଅପେକ୍ଷା କରିଥାଏ । ହେଲେ ଫସଲ କ୍ଷତି ଓ ଋଣ ବୋଝ ଚାଷୀକୁ ଏତେ ଅତିଷ୍ଠ କରିଦେଇଛିଯେ, ମୃତୁ୍ୟଭଳି ଚରମ ପଦକ୍ଷେପ ନେବାକୁ ଚାଷୀ ବାଧ୍ୟ ହୋଇଛି । ସମବାୟ ବିଭାଗ ଜରିଆରେ ହଜାର ହଜାର କୋଟି ଟଙ୍କାର କୃଷି ଋଣ ଦିଆଯାଉଥିଲେ ମଧ୍ୟ ତାହା ପ୍ରକୃତ ଚାଷୀ ପାଏ ନାହିଁ । ଜମି ମାଲିକ ଓ ବିଜେଡ଼ି ନେତାମାନଙ୍କ ପକେଟକୁ ଏହି ଋଣ ଟଙ୍କା ଯାଇଥାଏ । ସେହିପରି କ୍ଷତିପୂରଣ ବେଳେବି ଭାଗଚାଷୀକୁ କିଛି ମିଳେନାହିଁ । ଏଭଳି ଅବସ୍ଥାରୁ ମୁକୁଳିବା ପାଇଁ ଓଏଲଆର ଆଇନରେ ସଂଶୋଧନ କରିବାକୁ ସରକାର ଚିନ୍ତା କରିଥିଲେ । ଏନେଇ ଏକ ଉଚ୍ଚସ୍ତରୀୟ କମିଟି ସରକାରଙ୍କ ରିପୋର୍ଟ ଦେଇଥିବାବେଳେ ଆଇନ ବିଭାଗ ମଧ୍ୟ ତର୍ଜମା କରିସାରିଛି । ଏବେ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ଯଦି ଚାଷୀ ପାଇଁ ସରକାରଙ୍କର ଏତେ ଦରଦ ତେବେ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ କାହିଁକି ଚାପି ରଖିଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାପାତ୍ର କହିଲେଯେ, ଯେଉଁ ୩୬ ଚାଷୀ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ଋଣ ପରିମାଣ ମାତ୍ର ୧୫ ଲକ୍ଷ ଟଙ୍କା ହେବ । ମୁଖ୍ୟମନ୍ତ୍ରୀ ଥରେ ହେଲିକପ୍ଟରରେ ଗଲେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଯଦି ଚାଷୀ ପାଇଁ ସେତିିକି ଟଙ୍କା ଉପଯୋଗ ହୋଇଥା’ନ୍ତା ତେବେ ଚାଷୀ ଆତ୍ମହତ୍ୟା ହୁଅନ୍ତା ନାହିଁ ବୋଲି ବିଜୟ କହିଛନ୍ତି । ସେହିପରି ଗଲା ୧୦ ବର୍ଷ ମଧ୍ୟରେ ରାଜ୍ୟ ସରକାର ଯୋଜନା ବ୍ୟୟ ବାବଦରେ ଦେଢ଼ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିବାବେଳେ କେବଳ କୃଷି ପାଇଁ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ବାସ୍ତବରେ ଏହା ଚାଷ ଓ ଚାଷୀ ପାଇଁ ଖର୍ଚ୍ଚ ହୋଇନାହିଁ । ଯଦି ହୋଇଥା’ନ୍ତା ତେବେ ମରୁଡ଼ି ସ୍ଥିତି ଏତେ ଉକôଟ ହୋଇନଥା’ନ୍ତା । ସେହିପରି ଏବେ ରାଜ୍ୟ ସରକାର କେନ୍ଦ୍ରକୁ ମରୁଡ଼ି ପାଇଁ ୩୫ ଶହ ଓ ଜଳସେଚନ ପାଇଁ ୫ ହଜାର କୋଟି ଟଙ୍କା ମାଗିଛନ୍ତି । ଯଦି କେନ୍ଦ୍ର ରାଜ୍ୟକୁ ୮୫୦୦ କୋଟି ଦେଇଦିଏ ସରକାର ଚାଷୀ ଆତ୍ମହତ୍ୟାକୁ ରୋକିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିନପାରି କେନ୍ଦ୍ରକୁ ଫେରାଇ ଦେଇଥିବାବେଳେ ଏବେ କେଉଁ ମୁହଁରେ ଟଙ୍କା ମାଗୁଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି ।
ଚାଷୀଙ୍କ ପାଇଁ ଲଢ଼ିବାକୁ ବିଜେପି ସଂକଳ୍ପ ନେଇଛି । ଆତ୍ମହତ୍ୟା କରିଥିବା ଚାଷୀଙ୍କ ଘରକୁ ଯାଇ ବିଜେପି ପ୍ରତିନିଧିଦଳ ସମବେଦନା ଜଣାଇବା ସହ ସେମାନଙ୍କ ପାଇଁ ଲଢ଼ିବାକୁ ପ୍ରତିଶ୍ରୁତି ଦେଇଛି । ଚାଷୀମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପରୁ ନିବୃତ୍ତ ରହିବାକୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି । ଚାଷୀମାନେ ଯଦି କୌଣସି ସମସ୍ୟାରେ ପଡ଼ିଥିବେ ତେବେ ବିଜେପି କ୍ଷତିଗ୍ରସ୍ତ କୃଷକ ହେଲପ ଲାଇନ ନମ୍ବର ୦୬୭୪-୨୫୩୧୮୮୬, ୦୬୭୪-୨୫୩୧୮୮୭ ଓ ୯୪୩୯୯୨୮୨୩୮ରେ ଫୋନ କରି ସମସ୍ୟା ଜଣାଇବାକୁ ବିଜେପି ପକ୍ଷରୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କହିଲେଯେ, କ୍ଷୁଦ୍ର ଚାଷୀମାନେ ସାହୁକାରଙ୍କ ଠାରୁ ଋଣ ନିଅନ୍ତି । ସେହିପରି କୃଷି ଋଣ ନେଇଥିବା ଚାଷୀମାନଙ୍କ ଋଣ ପୂନହଃଧାର୍ଯ୍ୟ କରିବାକୁ ସରକାର ଘୋଷଣା କରିଛନ୍ତି । ତେବେ ଏହା ହେଲେ ଚାଷୀକୁ ସୁଧ ଦେବାକୁ ପଡ଼ିବ । ଋଣ ଶୁଝିନପାରି ଚାଷୀ ଆତ୍ମହତ୍ୟା କରୁଥିବାବେଳେ ପୂନହଃଧାର୍ଯ୍ୟ ବ୍ୟବସ୍ଥା ଦ୍ୱାରା ଚାଷୀ କିଛି ଫାଇଦା ପାଇପାରିବ ନାହିଁ । ସେହିପରି ରାଜ୍ୟ ସରକାର ୧% ହାରରେ କୃଷି ଋଣ ଯୋଗାଇବା ପାଇଁ ଇସ୍ତାହାରରେ କହିଥିବାବେଳେ ଏହି ପ୍ରତିଶ୍ରୁତି କୁଆଡ଼େ ଗଲା ତାହା ସ୍ପଷ୍ଟ କରିବାକୁ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସମୀର ମହାନ୍ତି, ସଜ୍ଜନ ଶର୍ମା, ଦିଲ୍ଳୀପ ମଲ୍ଳିକ, ଭ୍ରୁଗୁ ବକ୍ସି ପାତ୍ର, ରାମଚନ୍ଦ୍ର ପଣ୍ଡା, ପ୍ରଭାତୀ ପରିଡ଼ା, ଡକ୍ଟର ଯତୀନ ମହାନ୍ତି, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!