ଖୁବ ଶୀଘ୍ର ମଧ୍ୟମ ସର୍କୁ୍ୟଲେସନ ଥିବା ଖବର କାଗଜମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବେ ସରକାର : ମନ୍ତ୍ରୀ ଅତନୁ ସବ୍ୟସାଚୀ

shrutiକୌଣସି ଖବର କାଗଜ ଏହାର ସକୁ୍ର୍ୟଲେସନ ସଂଖ୍ୟାକୁ ନେଇ ଆଦୃତ ହୋଇ ନଥାଏ । ବରଂ ଏହାର ମୌଳିକତା ପାଇଁ ସାମ୍ବାଦିକତା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥାଏ । ଦୈନିକ ‘ଶ୍ରୁତି’ର ୫ମ ସ୍ୱନକ୍ଷତ୍ର ଉତ୍ସବରେ ଏଭଳି ମତ ଦେଇଛନ୍ତି ବିଶିଷ୍ଟ ବକ୍ତାମାନେ ।
ସମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠତାର ୫ବର୍ଷ ପୂରଣ କରିଥିବା ‘ଶ୍ରୁତି’ ଆଜି ଓଡିଶା ସମାଚାର ପତ୍ର କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ‘ଶ୍ରୁତି’ ର ୫ମ ସ୍ୱନକ୍ଷତ୍ର ଦିବସ ପାଳନ ସମାରୋହରେ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିବା ରାଜ୍ୟ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହା କହିଛନ୍ତି । ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର ଓ ସମ୍ମାନିତ ବକ୍ତା ଭାବେ ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଡ. ପ୍ରମୋଦ ମହାପାତ୍ର ଯୋଗ ଦେଇ କହିଛନ୍ତି ଯେ, କୌଣସି ଦେଶ କିମ୍ବା ରାଜ୍ୟର ପ୍ରଗତି ଗଣମାଧ୍ୟମର ଯୋଗଦାନ ବିନା ଅସମ୍ଭବ । ତେଣୁ ଦେଶ ପ୍ରଗତି ପାଇଁ ଖବରକାଗଜ ସକାରାତ୍ମକ ଭୂମିକା ଗ୍ରହଣ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ ।
ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଥିବା ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ , ଯେଉଁ ଦେଶମାନଙ୍କରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିକ ପ୍ରସାରିତ ଓ ଜନସାଧାରଣ ଇଣ୍ଟରନେଟ୍‍ ସହ ଅଧିକ ପରିଚିତ ଓ ଅଭ୍ୟସ୍ତ, ସେହି ଦେଶମାନଙ୍କର ସମ୍ବାଦପତ୍ରର ସ୍ଥିତି ଓ ପ୍ରଗତି ଅତି ନୈରାଶ୍ୟଜନକ । ଲୋକେ ଇଣ୍ଟରନେଟ୍‍ ମାଧ୍ୟମରେ ଥରେ ଇ-ପେପର ପାଠ କଲାପରେ ଅନ୍ୟ ଗଣମାଧ୍ୟମଠାରୁ ମୁହଁ ବୁଲାଇ ନେଉଛନ୍ତି ତଥାପିି ଖବର କାଗଜ ଏହାର ମୌଳିକତା ବଜାୟ ରଖିଛି । ସେ କହିଥିଲେ ଯେ, ସରକାର ଖୁବ ଶୀଘ୍ର ‘ଶ୍ରୁତି’ ଭଳି ମଧ୍ୟମ ସର୍କୁ୍ୟଲେସନ ଥିବା ତଥା ସାମ୍ବାଦିକତା କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିବା ଖବର କାଗଜମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବେ ।
ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର କହିଥିଲେ ଯେ, ସମ୍ବାଦପତ୍ର ଗୁଡିକ ନକରାତ୍ମକ ଖବର ପରିବେଷଣ ନକରି ଗଠନମୂଳକ ଖବର ପରିବେଷଣ କଲେ ଏହା ସମାଜ ପାଇଁ ଉପଯୋଗୀ ହୋଇ ପାରିବ । କେବଳ ଟିଆରପି ବୃଦ୍ଧି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ଶୁଭ ଲକ୍ଷଣ ନୁହେଁ ବୋଲି ସେ କହିଥିଲେ । ସେହିପରି ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ଡ. ପ୍ରମୋଦ ମହାପାତ୍ର କହିଥିଲେ ଯେ, ସମ୍ବାଦ ପତ୍ର ବା ଗଣମାଧ୍ୟମ ବହୁତ ଶକ୍ତିଶାଳୀ । ଏବେ ଗଣମାଧ୍ୟମର ପରିଭାଷାରେ ଦୃତ ପରିବର୍ତ୍ତିନ ଘଟୁଛି । ଗଣମାଧ୍ୟମ ଗୋଟିଏ ଘଟଣାକୁ ଯେପରି ଉପସ୍ଥାପନ କରିବ ପାଠକ ତାହାକୁ ସେପରି ଗ୍ରହଣ କରିବେ । ତେଣୁ ଗଣମାଧ୍ୟମ ଏହାର ଗୁରୁ ଦାୟିତ୍ୱ ବୁଝିବା ଆବଶ୍ୟକ । ‘ଶ୍ରୁତି’ ର ସମ୍ପାଦକ ସର୍ବେଶ୍ୱର ମିଶ୍ର କହିଥିଲେ ଯେ, ‘ଶ୍ରୁତି’ କଣ୍ଟକିତ ପଥ ମଧ୍ୟରେ ନିଜସ୍ୱ ପରିଚୟ ସୃଷ୍ଟି କରିବାକୁ ଅବିରତ ପ୍ରୟାସ ଜାରି ରଖିଛି ।
ଏହି ଅବସରରେ ଦୀର୍ଘ ୬ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ସାହିତ୍ୟ ସାଧନାରେ ବ୍ରତୀ ଥିବା ଶ୍ରୀଯୁକ୍ତ ରାହାସ ରାୟଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଶ୍ରୁତି ସମ୍ମାନ-୨୦୧୫ ପ୍ରଦାନ କରାଯାଇଥିଲା । ଓଡିଆ ଚଳଚ୍ଚିତ୍ର ଜଗତରେ ଭୀଷ୍ମ ପିତାମହ ଭାବେ ପରିଚିତ କଳାକ୍ଷେତ୍ରରେ ସର୍ବୋକ୍ରୃଷ୍ଟ ଅବଦାନ ପାଇଁ ଡଃ ଗୋବିନ୍ଦ ଚନ୍ଦ୍ର ତେଜଙ୍କୁ ଶ୍ରୁତି ସମ୍ମାନ-୨୦୧୫ ପ୍ରଦାନ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ନିଜର ବିଶିଷ୍ଟ ଯୋଗଦାନ ପାଇଁ ‘ବନେ୍ଦ ଉକ୍ରଳ ଜନନୀ’ଭାବେ ଓଡିଶାକୁ ତା’ର ରାଜ୍ୟ ସଙ୍ଗୀତ ପ୍ରଦାନ କରିଥିବା ପ୍ରାତଃ ସ୍ମରଣୀୟ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌତ୍ର ତଥା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସୁଯୋଗ୍ୟ ଦାୟାଦ ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର୍ରଙ୍କୁ ଶ୍ରୁତି ସମ୍ମାନ-୨୦୧୫ ପ୍ରଦାନ କରାଯାଇଥିଲା । ‘ଶ୍ରୁତି’ର କାର୍ଯ୍ୟନିର୍ବାହୀ ସମ୍ପାଦକ କିଶୋର ଚନ୍ଦ୍ର ଗଡତିଆ ଧନ୍ୟବାଦ ଦେଇଥିଲେ । ଏତଦ୍‍ବ୍ୟତୀତ ‘ଶ୍ରୁତି’ର ଅଭିବୃଦ୍ଧିରେ ବିଶେଷ ସହଯୋଗ କରିଥିବା ଶ୍ରେଷ୍ଠ ସମ୍ବାଦଦାତା ଓ ଏଜେଣ୍ଟମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।

Share in top social networks!