ବିଜୁ ଜନତା ଦଳ ଓ ସରକାର ଉଭୟ ଓଡିଆଭାଷାର ମଙ୍ଗୁଆଳ ହେଲେ

NAVEENବିଜୁ ଜନତା ଦଳ ରାଜ୍ୟକାରିଣୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡିଆଭାଷାର ଅଭିବୃଦ୍ଧି ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ତଥା ଓଡିଶା ସରକାର ଓ ଓଡିଆ ଭାଷା ସଂଗ୍ରାମ ସମିତି ସଂଯୁକ୍ତ ମନ୍ତ୍ରୀସ୍ତରୀୟ ସଭାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ରଙ୍କଦ୍ୱାରା ଆଗତ ହୋଇଥିବାବେଳେ ଏହା ସର୍ବସମ୍ମତ ଅନୁମୋଦନ ଲାଭ କରିଛି । ରାଜ୍ୟଭାଷାର ପ୍ରଚାର ପ୍ରସାର ଓ ସମୃଦ୍ଧିପାଇଁ ଦଳୀୟ ନିଷ୍ପତ୍ତି ନେବାରେ ବିଜୁ ଜନତାଦଳ ସର୍ବପ୍ରଥମ ରାଜନୈତିକ ଦଳ ଭାବରେ ରାଜନୈତିକ ଚିଠାପ୍ରସ୍ତାବ ଗ୍ରହଣ କରି ବିରୋଧିଦଳମାନଙ୍କ ଭୂମିକାକୁ ନୁ୍ୟନ କରିଛି । ବିଜୁଜନତାଦଳ ଓ ସରାକର ଉଭୟ ଭାଷାର ମଙ୍ଗୁଆଳ ଭୂମିକା ନିର୍ବାହ କରିବାପାଇଁ ସଂକଳ୍ପବଦ୍ଧ ଭୂମିକା ଗ୍ରହଣକରି ରାଜ୍ୟବାସୀଙ୍କ ନିକଟରେ ତାଙ୍କର ଦଳ ଓ ସରକାରୀ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ରାଜ୍ୟ ସରକାର ଓଡିଆ ଭାଷା ସଂଗ୍ରାମ ସମିତି ସହିତ ପ୍ରତିଶ୍ରୁତିବଦ୍ଧ ହୋଇ ମନ୍ତ୍ରୀ ସ୍ତରୀୟ କମିଟି ମାଧ୍ୟମରେ ଓଡିଶା ସରକାରୀ ଭାଷା ଆଇନ -୧୯୫୪ର କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକୀୟ ନିୟମାବଳୀ ପ୍ରଣୟନପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟ ସରକାରଙ୍କ ପାଞ୍ଚଜଣ ମନ୍ତ୍ରୀ ଓ ଓଡିଆଭାଷା ସଂଗ୍ରାମ ସମିତିର ସାତଜଣ ସଦସ୍ୟଙ୍କୁ ନେଇ ଗଠିତ ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ବୈଠକରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଭାଷାନୀତି ପ୍ରସ୍ତୁତପାଇଁ ଦାୟିତ୍ୱ ଅର୍ପଣ କରାଯାଇଅଛି । ଡଃ ପଟ୍ଟନାୟକ ଏହି ଭାଷାନୀତିର ପ୍ରାରୂପ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିସାରିଥିବାରୁ ଖୁବଶୀଘ୍ର ଦ୍ୱିତୀୟ ବୈଠକରେ ଏହା ସହ ଭାଷା କାର୍ଯ୍ୟକାରିଣୀ ନିୟମାବଳୀ ସରକାରଙ୍କ ଅନୁମୋଦନପାଇଁ ଉପସ୍ଥାପିତ ହେବ । ଇତ୍ୟବସରରେ ଭାଷା ସମ୍ପର୍କୀତ ମତାମତ ପ୍ରଦାନପାଇଁ ଓକାକ ମାଧ୍ୟମରେ ୱେବସାଇଟ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ଅଛି ।

ଏଥିସହିତ ସାରା ଓଡିଶାର ଶିକ୍ଷାବିତ, ପ୍ରଶାସକ, ବୁଦ୍ଧିଜୀବୀ, ସାହିତି୍ୟକ, ସାମ୍ବାଦିକ, ସମାଜସେବୀ, ରାଜନେତା, ଗଣମାଧ୍ୟମ ପ୍ରତିନିଧି, ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର, ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଖୁବ ନିକଟରେ ଚୁଡାନ୍ତ ବିଚାରବିମର୍ଶ ସଭାର ଆୟୋଜନପାଇଁ ଓଡିଆ ଭାଷା ସଂଗ୍ରାମ ସମିତିର ପ୍ରସ୍ତାବକୁ ମନ୍ତ୍ରୀସ୍ତରୀୟ ସଭାଧ୍ୟକ୍ଷ ଅନୁମୋଦନ କରିଛନ୍ତି । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଂଗଠନମାନଙ୍କର ମିଳିତମଞ୍ଚ “ଓଡିଆଭାଷା ସଂଗ୍ରାମ ସମିତି” ସାରା ଓଡିଶାର ଯୁବକ, ଛାତ୍ର ଶିକ୍ଷକ, ଶ୍ରମିକ, ବୁଦ୍ଧିଜୀବୀ, ସାହିତି୍ୟକ, ସମାଜସେବୀ, ରାଜନେତା, ଗଣମାଧ୍ୟମ ପ୍ରତିନିଧି, ସମବେତ ସତ୍ୟାଗ୍ରହୀ, ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର, ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ଦଳମତ ବିଚାରଧାରାର ଉଦ୍ଧ୍ୱର୍ରେ ଥିବା ପ୍ରତ୍ୟେକ ଓଡିଆ ଓଡିଶାର ସ୍ପର୍ଦ୍ଧା ଓ ସ୍ୱାଭିମାନପାଇଁ ଆଗେଇ ଆସି ଏହି ଜନଆନେ୍ଦାଳନକୁ କ୍ରିୟାଶୀଳ କରିବା ସହିତ ଓଡିଆଭାଷାକୁ ରାଜ୍ୟଭାଷାର ସମ୍ମାନ ଦେବାପାଇଁ ରାଜ୍ୟସରକାରଙ୍କୁ ବାଧ୍ୟ କରିଛନ୍ତି, ସେମାନଙ୍କ ନିକଟରେ ଓଡିଆଭାଷା ସଂଗ୍ରାମ ସମିତି କୃତଜ୍ଞତା ଜ୍ଞାପନ କରିବା ସହିତ ସଂପୃକ୍ତ ଶାସକ ଦଳର ଭାଷା ସମ୍ପର୍କୀତ ଦଳୀୟ କାର୍ଯ୍ୟସୂଚୀ ଓ ସଂକଳ୍ପ ନିଶ୍ଚିତ ଭାବରେ ଆଗାମୀ ଦିନରେ ୬୦ବର୍ଷ ଧରି ଅକାମୀ ଥିବା ଭାଷା ଆଇନକୁ କାର୍ଯ୍ୟକରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏଥି ନିମନ୍ତେ ଦଳ ଓ ସରକାରର ମୁଖ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭାଷା ସଂଗ୍ରାମ ସମିତି କୃତଜ୍ଞତା ଜ୍ଞାପନ କରିବା ସହିତ ଅଦ୍ୟାବଧି ଭାଷା ଆଇନ କାର୍ଯ୍ୟକାରୀ କରିବାରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟକଳାପ ପ୍ରତି ସତର୍କତା ଅବଲମ୍ବନ କଲେ ଶାସ୍ତ୍ରୀୟ ଓଡିଆଭାଷାର ମହାଭାରତୀୟ ମର୍ଯ୍ୟାଦା ପରବର୍ତ୍ତୀ ଓଡିଆ ଭାଷା ଆଇନ କାର୍ଯ୍ୟକାରିତାର ଶ୍ରେୟ ତାଙ୍କୁ ମହିମାମଣ୍ଡିତ କରିବ । ପ୍ରସ୍ତାବିତ ଭାଷାନୀତିର ତ୍ୱରିତ କାର୍ଯ୍ୟାନୁଷ୍ଠାନପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ କ୍ରିୟାଶୀଳ ଭୂମିକା ନିର୍ବାହ କରିବେ ବୋଲି ଓଡିଆଭାଷା ସଂଗ୍ରାମ ସମିତି ଆଶା ପୋଷଣ କରୁଛି ।

Share in top social networks!