ଓଡିଆ ଝିଅ ଅନିଶା ଆଚାର୍ଯ୍ୟ ଙ୍କ ଦ୍ଵାରା ସମ୍ପାଦିତ ଲଘୁ ଚଳଚିତ୍ର ୨୦୧୫ ଷ୍ଟୁଡେଣ୍ଟ ଅସ୍କାର ସ୍ଵର୍ଣ ପୁରଷ୍କାରରେ ସମ୍ମାନିତ

odiafilmଗତ କାଲି ୨୦୧୫ ମସିହାର ଷ୍ଟୁଡେଣ୍ଟ ଆକାଡେମି ଆୱାର୍ଡ (ଷ୍ଟୁଡେଣ୍ଟ ଅସ୍କାର) ପୁରସ୍କାର ପ୍ରଦାନ ସମାରୋହ ସମାପନ ହୋଇଅଛି । ଆନ୍ତର୍ଜାତୀୟ ସ୍ତରରେ ଚଳଚିତ୍ର କ୍ଷେତ୍ରରେ ଉଦ୍ଦିୟମାନ ଛାତ୍ର ପ୍ରତିଭାକୁ ବିଶ୍ଵ ଚଳଚିତ୍ର ଉଦ୍ୟୋଗରେ ନିଜ କଳାର ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ଓ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଷ୍ଟୁଡେଣ୍ଟ ଅସ୍କାର ସମ୍ମାନ ୧୯୭୨ ମସିହାରେ ସଂସ୍ଥାପିତ କରାଯାଇ ଅଛି । ପ୍ରତି ବର୍ଷ ସ୍ଵର୍ଣ, ରୋପ୍ୟ ଏବଂ ବ୍ରଞ୍ଜ ପୁରଷ୍କାରମାନ ପାଞ୍ଚଟି ବିଭାଗରେ ଦିଆଜାଇ ଥାଏ — ବିକଳ୍ପ, ଆନିମେଶନ, ବିଦେଶୀ, ବୃତ୍ତଚିତ୍ତ୍ର ଓ ବର୍ଣନାତ୍ମକ । ଏ ବର୍ଷ ୨୮୨ ଆମେରିକିୟ ୯୩ ଅନ୍ୟ ଦେଶର କଲେଜ ଓ ବିଶ୍ବବିଦ୍ୟାଳୟରୁ ଏକ ରେକର୍ଡ ସଂଖ୍ୟକ ୧୬୮୬ ଚଳଚିତ୍ର ଏ ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଆମେରିକାନ ଫିଲ୍ମ ଇନଷ୍ଟିଚିଉଟ (ଏ. ଏଫ. ଆଇ.) ର ୨୦୧୪ ବ୍ୟାଚ ର ଏକ ଛାତ୍ର ଛାତ୍ରୀ ଦଳଙ୍କ ଦ୍ଵାରା ପ୍ରସ୍ତୁତ ବର୍ଣ୍ଣନାତ୍ମକ ଲଘୁ ଚଳଚିତ୍ର “ଡ଼େ ୱାନ” ଚଳିତ ବର୍ଷର ସମ୍ମାନଜନକ ଷ୍ଟୁଡେଣ୍ଟ ଆକାଡେମି ଆୱାର୍ଡ (ଷ୍ଟୁଡେଣ୍ଟ ଅସ୍କାର) ସ୍ଵର୍ଣ ପୁରଷ୍କାର ପାଇଛି । ଏହି ଚଳଚିତ୍ରଟି ଓଡିଆ ଝିଅ ଅନିଶା ଆଚାର୍ଯ୍ୟ ଙ୍କ ଦ୍ଵାରା ସମ୍ପାଦିତ, ଏବଂ ହେନରୀ ହିଊଜଙ୍କ ଦ୍ଵାରା ନିର୍ଦ୍ଦେଶିତ । ଗତ କାଲି ସନ୍ଧ୍ୟାରେ ଲସ ଏଞ୍ଜେଲେସର ସାମୁଏଲ ଗୋଲ୍ଡ ୱିନ ଥିଏଟର ରେ ଅନୁଷ୍ଠିତ ଏକ ବର୍ଣାଢ୍ୟ ସମାରୋହରେ ପ୍ରସିଦ୍ଧ କଳାକାର ମିଶେଲ ରଡରିଗସ ଏହି ସ୍ଵର୍ଣ ପୁରଷ୍କାର ପ୍ରଦାନ କରିଥିଲେ । ଏହି ଚଳଚିତ୍ରଟିର ବିଷୟ ବସ୍ତୁ, ଆମେରିକୀୟ ସେନା ସହିତ ଅନୁବାଦକ ରୂପେ ଯୋଗ ଦେଇଥିବା ଏକ ଛାଡପତ୍ରିୟ ଆଫଗାନି ମହିଳାଙ୍କର କାର୍ଯ୍ୟ ଯୋଗଦାନର ପ୍ରଥମ ଦିବସର ଅତି ମର୍ମସ୍ପର୍ଶୀ ଅନୁଭବ ଉପରେ ଆଧାରିତ । ଏହା ଉଲ୍ଲେଖନୀୟ ଯେ ଲଘୁ ଚଳଚିତ୍ର “ଡେ ୱାନ” ଏ ବର୍ଷ ଅନେକ ଅନ୍ୟ ପୁରସ୍କାର ମଧ୍ୟ ପାଇ ସାରିଛି, ଯଥା: ଷ୍ଟୁଡେଣ୍ଟ ଏମୀ, ଷ୍ଟୁଡେଣ୍ଟ ବାଫତା ପୁରସ୍କାର ଇତ୍ୟାଦି । (www.dayonefilm.com)
ଅନିଶା ଆଚାର୍ଯ୍ୟ ଓଡିଶାର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ କୀର୍ତ୍ତନ ବିହାରୀ ଆଚାର୍ଯ୍ୟ ଓ ତାରାମଣି ଆଚାର୍ଯ୍ୟ ଙ୍କର ନାତୁଣୀ ଏବଂ ସମାଜ ବିକାଶ ବିଶେଷଜ୍ଞ ଡ. ଜଗବନ୍ଧୁ ଆଚାର୍ଯ୍ୟଙ୍କର ଝିଅ । ବେଙ୍ଗାଲୁରୁ ସ୍ଥିତ ଏନ. ଆଇ. ଏଫ. ଟି. ଅନୁଷ୍ଠାନରେ ପ୍ରଡ଼କ୍ଟ ଓ ଗ୍ରାଫିକ ଡିଜାଇନ ରେ ଡିଗ୍ରୀ ହାସଲ କରିବା ପରେ, ଅନିଶା ଲସ ଏଞ୍ଜେଲେସ ସ୍ଥିତ ଆମେରିକାନ ଫିଲ୍ମ ଇନଷ୍ଟିଚିଉଟ (ଏ. ଏଫ. ଆଇ.) ରେ ଦୁଇ ବର୍ଷ ଅଧ୍ୟୟନ କରି ଚଳଚିତ୍ର ସମ୍ପାଦନ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ବାସ୍ତବିକ ଜୀବନ କାହାଣୀ କୁ ମର୍ମସ୍ପର୍ଶୀ, ହୃଦୟ ସଞ୍ଚାରକ ଓ ଆତ୍ମା ଉତ୍ତୋଳକ କରିବା ପାଇଁ ଚଳଚିତ୍ର ଏକ ମହାନ ମାଧ୍ୟମ ବୋଲି ଅନିଶା ବିଶ୍ଵାସ କରନ୍ତି ।

Share in top social networks!