“୧୦୮ ଆମ୍ବୁଲାନ୍ସ କରିଛି ପ୍ରଘଟ,ବିଜେଡି-କଂଗ୍ରେସ ଭିତରି ମେଣ୍ଟ” : ବିଜେପି

“ବିଜେଡି-କଂଗ୍ରେସ ଭିତରି ମେଣ୍ଟ” – ଏକଥା ଆଲୋଚନା ହେଉଥିବାବେଳେ ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ଏହାକୁ ପୁନଃ ପ୍ରମାଣିତ କରିଛି । ସମସ୍ତଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ଉଦେ୍ଧଶ୍ୟରେ କେନ୍ଦ୍ରୀୟ ସହାୟତାରେ ଓଡିଶା ସରକାର ଚଳାଉଥିବା ୧୦୮ ଆମ୍ବୁଲାନ୍ସ ସେବାର ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାମିଲନାଡୁର ଗୋଟିଏ କମ୍ପାନୀ ସହିତ ଏଥିପାଇଁ ଯେଉଁ ବୁଝାମଣା କରାଯାଇଥିଲା ସେଥିରେ ସମସ୍ତ ଆଇନ ଓ ମାନଦଣ୍ଡକୁ ଉଲଙ୍ଘନ କରିଥିବା କଥା ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି । କଂଗ୍ରେସ ସହ ବିଜେଡିର ଭିତରି ବ୍ୟବସାୟିକ ସଂପର୍କ ଯୋଗୁଁ ହିଁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ପୁତ୍ର କିର୍ତ୍ତୀ ଚିଦାମ୍ବରମଙ୍କ କମ୍ପାନୀକୁ ବିଜେଡି ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା କଥା ଏବେ ସ୍ପଷ୍ଟ ହୋଇଯାଇଛି । ପୂର୍ବରୁ କଂଗ୍ରେସ ନେତାମାନଙ୍କ ପାଇଁ ଆଦିତ୍ୟ ବିର୍ଲାଙ୍କୁ ତଲାବିରା କୋଇଲା ଖଣି, ନବୀନ ଜିନ୍ଦଲଙ୍କୁ କୋଇଲାରୁ ତେଲ ବାହାର କରିବା ପାଇଁ ତାଳଚେରଠାରେ କୋଇଲା ଖଣି ଦେବାରେ ସମସ୍ତ ସହାୟତା ପ୍ରଦାନ କରିବା ଇତ୍ୟାଦି ପରେ ଏବେ ଚିଦାମ୍ବରମଙ୍କ ପୁତ୍ରଙ୍କୁ ସହାୟତା ଯୋଗାଇଦେବାର ଖବର ପ୍ରମାଣ ଜଣା ପଡିବାପରେ ବିଜେଡି-କଂଗ୍ରେସ ଭିତରେ ଅସାଧୁ ବ୍ୟବସାୟିକ ସଂପର୍କର ଚେର ବହୁତ ଲମ୍ବା ଥିବାର ଜଣାପଡୁଛି । ଏହି ଭିତରି ସଂପର୍କ କାରଣରୁ ହିଁ ୧୦୮ ଆମ୍ବୁଲାନ୍ସ ସେବାର କେନ୍ଦ୍ରୀୟ ଯୋଜନାକୁ ମୂଖ୍ୟମନ୍ତ୍ରୀ ନିଜର ବୋଲି ପ୍ରଚାର କରୁଥିଲେ ଯାହା ମୋଦି ସରକାର ଆସିବା ପରେ ନବୀନ ସରକାରଙ୍କ ଜାଲିଆତି ଧରାପଡିଥିଲା । ନିଜ ଏବଂ ଦଳର ସ୍ୱାର୍ଥ ପାଇଁ ସର୍ବଦା ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଥିବା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା କଂଗ୍ରେସ ଦଳକୁ ଜନସାଧାରଣ କେବେ ମଧ୍ୟ ବରଦାସ୍ତ କରିବେ ନାହିଁ ବୋଲି ରାଜ୍ୟ ବିଜେପିର ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା ମତ ପ୍ରକାଶ କରିଛନ୍ତି ।

Share in top social networks!