୨୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍ଘାଟନି ଉତ୍ସବରେ ଶର୍ମିଲା ବିଶ୍ବାସଙ୍କ ଓଡ଼ିଶୀ ଅଭିନୟ ଏବଂ ଓ.ଏସ୍ ଅରୁଣଙ୍କ କର୍ଣ୍ଣାଟକି ସଂଗୀତରେ ଦର୍ଶକ ମତୁଆଲା

gkcm2୨୧ତମ ଗୁରୁକେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏକ ମନୋଜ୍ଞ ଓ ଭାବୋଦ୍ଦୀପକ ପରିବେଶ ଭିତରେ ଆଜି ସଂଧ୍ୟାରେ ଉଦ୍ ଘାଟିତ ହୋଇଥିଲା । ଉଦ୍ଘାଟନୀ ସଂଧ୍ୟାର ପ୍ରଥମ କାର୍ୟ୍ୟକ୍ରମ ଥିଲା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ଓ କୋରିଓଗ୍ରାଫର ଶ୍ରୀମତୀ ଶର୍ମିଲା ବିଶ୍ବାସଙ୍କ ଦ୍ବାରା ରାଗ ମାଧୁରୀ ଯାହା ଓଡ଼ିଶୀ ନୃତ୍ୟର ସୁକ୍ଷ୍ମ ବିଭବ ଦଶ ମେଳକ ମଧ୍ୟରୁ ଛଅ ମେଳକ ଉପରେ ଆଧାରିତ ଥିଲା । ଯାହାର ସଙ୍ଗୀତ ସଂଯଜନା କରିଥିଲେ ଗୁରୁ ବିଜୟ କୁମାର ଜେନା । ନୃତ୍ୟ ରଚନା କରିଥିଲେ ନିଜେ ଶର୍ମିଲା ବିଶ୍ବାସ । ଦ୍ବିତୀୟ ପ୍ରସ୍ତୁତି ଥିଲା ଗୀତଗୋବିନ୍ଦରୁ ଆଧାରିତ ପଶ୍ୟତି ଦିଶିଦିଶି ଯାହା ରାଗ ଦେଶ୍ ଓ ତାଳ ଏକତାଳୀ ଉପରେ ପରିବେଷିତ ଥିଲା । ଯାହାର ସଙ୍ଗୀତ ସଂଯଜନା ଭୁବନେଶ୍ବର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ଯେଉଁଥିରେ ବିରହିଣି ରାଧାଙ୍କ ବିରହର ବେଦନା ଶ୍ରୀମତୀ ବିଶ୍ବାସ ତାଙ୍କ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କ ମନକୁ ମତୁଆଲା କରିଥିଲା ।

ସଂଧ୍ୟାର ଦ୍ବିତୀୟ କାର୍ୟ୍ୟକ୍ରମ ଥିଲା ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ ବିଶାରଦ ପଣ୍ଡିତ ଓ. ଏସ୍ ଅରୁଣଙ୍କ ଦ୍ବାରା କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗମ୍ ମୋହନମ୍ ପରେ ପରେ ପ୍ରୀୟା ଚାରୁସିଲା, ସ୍ବାଗତମ୍ କ୍ରୀର୍ଷ୍ଣା ଶରଣାଗତ କ୍ରୀର୍ଷ୍ଣା ଆଦି ସୁପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ ଯାହା ଦର୍ଶକଙ୍କୁ କାର୍ୟ୍ୟକ୍ରମ ଶେଷ ପର୍ୟ୍ୟନ୍ତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ବାନ୍ଦି ରଖିଥିଲା । ତାଙ୍କୁ ମୃଦଙ୍ଗରେ ହରିସୁନ୍ଦର, ଢୋଲକ୍‌ରେ ଶ୍ରୀ କାର୍ତ୍ତିକ୍, ହାରମୋନିୟମ୍‌ର ଶ୍ରୀ ଚନ୍ଦ୍ରଶେଖର ଏବଂ ତାଳମ୍‌ରେ ଶ୍ରୀ ସେଲ୍ ବମ୍ ସହଯୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ଭାରତ ସରକାରଙ୍କ ପେଟ୍ରୋଲି୍ୟୋମ୍ ଓ ନେଚୁରାଲ ଗ୍ୟାସ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧମେନ୍ଦ୍ର ପ୍ରଧାନ; ମାନ୍ୟବର ପର୍ୟ୍ୟଟନ ଓ ସଂସ୍କତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର । କାର୍ୟ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!