ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ : କାଞ୍ଜିପାଣି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଛାତ୍ରୀନିବାସ ପରିଦର୍ଶନ

nationalଭାରତ ସରକାରଙ୍କ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଡ଼ଃ ରାମେଶ୍ୱର ଓରାଓଁ ଚଳିତ ସେପ୍ଟେମ୍ବର ୪ ତାରିଖ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବାଂଶପାଳ ବ୍ଲକ୍ ଅର୍ନ୍ତଗତ କାଞ୍ଜିପାଣି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଛାତ୍ରୀ ନିବାସ ପରିଦର୍ଶନ କରିଛନ୍ତି । ସେ ହେଲିକପ୍ଟରରେ ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ଅବତରଣ କରି ସଡକ ପଥରେ କାଞ୍ଜିପାଣି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପହଂଚିଥିଲେ । ଆୟୋଗ ଅଧ୍ୟକ୍ଷ ଡ଼ଃ ଓରାଓଁ ଶ୍ରେଣୀଗୃହରେ ଛାତ୍ରୀମାନଙ୍କ ସହ ବାର୍ତାଳାପ କରି ଇଂରାଜୀ ଜ୍ଞାନ ପରୀକ୍ଷା କରିଥିଲେ ଏବଂ ଅନ୍ୟାନ୍ୟ ବିଷୟ ସହିତ ଇଂରାଜୀ ଜ୍ଞାନ ବଢାଇବା ପାଇଁ ପରାମର୍ଶ ଦେଇଥିଲେ ।

ଛାତ୍ରୀମାନେ ଭବିଷ୍ୟତରେ ବଡମଣିଷ ହେବା ପାଇଁ ସର୍ବଦା ଉଚ୍ଚ ଆଶା ପୋଷଣ କରିବା ସହିତ ବର୍ତମାନ ଯୁଗରେ କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ଜ୍ଞାନ କୌଶଳର ଚାହିଦା ଦୃଷ୍ଟିରୁ ଇଂରାଜୀ ଜ୍ଞାନ ବଢାଇପାରିଲେ ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇ ପାରିବେ ବୋଲି କହିଥିଲେ । ଛାତ୍ରୀ ନିବାସରେ କେଉଁସବୁ ଖାଦ୍ୟ କେତେଥର ଖାଇବା ପାଇଁ ଦିଆଯାଉଛି, ପାନୀୟ ଜଳର ବ୍ୟବସ୍ଥା, ସ୍ନାନଶୌଚ ପାଇଁ ଉପଲବ୍ଧ ଥିବା ବ୍ୟବସ୍ଥା ଇତ୍ୟାଦି ବିଷୟରେ ଛାତ୍ରୀମାନଙ୍କଠାରୁ ଆୟୋଗ ଅଧ୍ୟକ୍ଷ ଡ଼ଃ ଓରାଓଁ ପଚାରି ବୁଝିଥିଲେ । ଏହାପରେ ଛାତ୍ରୀମାନଙ୍କର ଡାଇନିଂ ହଲ୍, ଛାତ୍ରୀନିବାସ ବୁଲି ଦେଖିଥିଲେ । ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ବାର୍ତାଳାପ ବେଳେ ସୂଚନାଦେଇ ଆୟୋଗ ଅଧ୍ୟକ୍ଷ କହିଥିଲେ ଯେ ଆଦିବାସୀ ପିଲାମାନଙ୍କର ଶିକ୍ଷାର ବିକାଶ ପାଇଁ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଆଶ୍ରମ ସ୍କୁଲ୍ ଓ ହଷ୍ଟେଲ୍ ଖୋଲାଯାଇଛି । ପିଲାମାନେ କିପରି ହଷ୍ଟେଲ୍ମାନଙ୍କରେ ଭଲରେ ରହିବେ, ଖାଇବେ ଏବଂ ପାଠ ପଢିବେ ଏ ଦିଗରେ ପଦକ୍ଷେପ ନିଆଯାଇଛି । ଗତ ଦେଢବର୍ଷ, ଦୁଇବର୍ଷ ମଧ୍ୟରେ ଆଶ୍ରମ ସ୍କୁଲ୍ମାନଙ୍କର ଛାତ୍ରୀନିବାସମାନଙ୍କରେ ଛାତ୍ରୀମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା, ଦୁଷ୍କର୍ମ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ଯାହାକି ଏକ ସ୍ପର୍ଶକାତର ପ୍ରସଙ୍ଗ ଅଟେ ଏବଂ ଏହା ସମାଜ ଦୃଷ୍ଟିରେ ଖରାପ ବାର୍ତା ଅଟେ । ଏଣୁ ଆଶ୍ରମ ସ୍କୁଲ୍ ଓ ଛାତ୍ରୀନିବାସମାନଙ୍କରେ ଏ ଦିଗରେ କଣ ବ୍ୟବସ୍ଥା ହୋଇଛି, କଣ ପଦକ୍ଷେପ ନିଆଯାଇଛି ତାହା ଦେଖିବା ପାଇଁ ସେ ବିଭିନ୍ନ ଆଶ୍ରମ ସ୍କୁଲ୍ ଏବଂ ଛାତ୍ରୀନିବାସ ପରିଦର୍ଶନ କରୁଛନ୍ତି । ଓଡିଶାର କୋରାପୁଟ, ରାୟଗଡା ଜିଲ୍ଲାର ବିଭିନ୍ନ ଆଶ୍ରମ ସ୍କୁଲ୍ର ଛାତ୍ରୀନିବାସ ପରିଦର୍ଶନ ସାରି କେନ୍ଦୁଝର ଆସିଛନ୍ତି ଏବଂ ଏହାପରେ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯିବେ ବୋଲି ସେ କହିଥିଲେ ।

ଆଦିବାସୀମାନଙ୍କ ବିକାଶରେ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଆୟୋଗ ଅଧ୍ୟକ୍ଷ ଡ଼ଃ ଓରାଓଁ କହିବା ସହିତ ଆଦିବାସୀ ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଗୁରୁତ୍ୱ ରହିଛି ବୋଲି କହିଥିଲେ । ବିଭିନ୍ନ ବିଦ୍ୟାଳୟରେ ଆଦିବାସୀ ପିଲାମାନଙ୍କର ଇଂରାଜୀ ଦକ୍ଷତା ସେତେ ଭଲ ନୁହଁ ବୋଲି କହିବା ସହିତ ଏହାର ସୁଧାର ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ପିଲାମାନେ ମାଟି୍ରକ୍, +୨ ଏବଂ ସ୍ନାତକ ପାସ୍ କରିଯାଉଛନ୍ତି କିନ୍ତୁ ପ୍ରତିଯୋଗିତାମୂଳକ ବଜାରରେ ସଫଳତା ପାଇ ପାରୁନାହାଁନ୍ତି । ଯାହାଫଳରେ ବେକାରୀ ବୃଦ୍ଧି ପାଉଛି । କମ୍ପୁ୍ୟଟର, ଇଂଟରନେଟ୍ ଯୁଗରେ ସେମାନଙ୍କୁ ଇଂରାଜୀରେ ଅଧିକ ଦକ୍ଷ କରିବା ପାଇଁ ନିରନ୍ତର ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଦିବାସୀ ପିଲାମାନଙ୍କର ଶିକ୍ଷାର ବିକାଶ, ଛାତ୍ରୀନିବାସମାନଙ୍କରେ ଅନ୍ତେବାସୀମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଇତ୍ୟାଦି ପ୍ରସଙ୍ଗରେ ସୂଚନା ଦେଇ ଏହାର ସୁଧାର ପାଇଁ ଓଡିଶା ସରକାର କାର୍ଯ୍ୟ କରୁଛନ୍ତି ଏବଂ ଏ ଦିଗରେ ଆଗକୁ ଅନେକ ପଦକ୍ଷେପ ନିଆଯିବା ପ୍ରସଙ୍ଗରେ ଆଲୋଚନା ହୋଇଛି ବୋଲି ଆୟୋଗ ଅଧ୍ୟକ୍ଷ ଡ଼ଃ ଓରାଓଁ କହିଥିଲେ ।

nationalଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ, ଏସ୍.ପି. କବିତା ଜଲାନ୍, ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଏସ୍. କୁମାର, ଆୟୋଗର ସଚିବ ଶ୍ୟାମ୍ ଏସ୍.ଅଗ୍ରୱାଲ୍, ଅତିରିକ୍ତ ନିଦେ୍ର୍ଧଶକ ଆର୍.କେ. ଦୁବେ ପ୍ରମୁଖ ଆୟୋଗଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଏଆଇଟିଡିଏ କେନ୍ଦୁଝର ସନ୍ତୋଷ କୁମାର ନାୟକ, ଏସ୍.ଡି.ପି.ଓ. ପି.କେ. ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ, ବିଡିଓ ବାଂଶପାଳ ତାପସ କୁମାର ଭୋଇ, ବାଂଶପାଳ ପଂଚାୟତ ସମିତି ଅଧ୍ୟକ୍ଷ ଯଦୁମଣୀ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!