ସ୍ୱାସ୍ଥ୍ୟକ୍ଷେତ୍ରରେ ଅବହେଳାର ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨ ତାରିଖ ସମସ୍ତ ବ୍ଲକ୍ ଅଫିସ ଘେରାଉ କରିବ ବିଜେପି

bjppରାଜ୍ୟର ସାଂପ୍ରତିକ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟକୁ ହେୟ ମନେ କରି ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ ଏବଂ ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନା କରିବା ଅତ୍ୟନ୍ତ ର୍ଦୁଭାଗ୍ୟପୂର୍ଣ । ଏହିଭଳି ପରିସ୍ଥିତିରେ ମୂଖ୍ୟମନ୍ତ୍ରୀ କଟକ ଶିଶୁ ଭବନ ନଯାଇ ହେଲିକେପ୍ଟରରେ ବଲାଙ୍ଗୀର ଗସ୍ତ ତାଙ୍କର ବିଳାସପୂର୍ଣ ଜୀବନଶୈଳୀର ପରଚୟ ଦେଉଛି । ବିଗତ ୪ ବର୍ଷରେ ରାଜ୍ୟ ସରକାର ୧୨ହଜାର କୋଟି ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରି ମଧ୍ୟ ଏହି ବିଭାଗରେ ଉନ୍ନତ କରିନପାରିବା ସରକାରଙ୍କ ବିଫଳତାର ପରିଚୟ ।

୨୦୦୯ ରୁ ୨୦୧୪ ମସିହା ମଧ୍ୟରେ ଶିଶୁ ମୃତ୍ୟୁ ହାର ୫ ପ୍ରତିଶତରୁ ରୁ ବଢି ୭ ପ୍ରତିଶତକୁ ବୃଦ୍ଧି ପାଇବା ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ଉଲ୍ଲେଖ ଅତ୍ୟନ୍ତ ଚିନ୍ତା ଏବଂ ଲଜ୍ଜାଜନକ । ଗତ ୨୦୧୫ ମସିହା ମାର୍ଚ୍ଚ ମାସରେ ସିଏଜି ରାଜ୍ୟର ମୂଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ସ୍ୱାସ୍ଥ୍ୟ ବିଭାଗରେ ହେଉଥିବା ଦୁର୍ନିତିର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ସନେ୍ଦହ ସୃଷ୍ଠି କରୁଛି । ଏକ କମିଟି ଗଠନ କରି ପ୍ରତି ମାସରେ ସମସ୍ତ ମେଡିକାଲ କଲେଜରେ ହୋଉଥିବା ରୋଗୀମୃତ୍ୟୁର ଅନୁଧ୍ୟାନ କରି ସମୀକ୍ଷା ବୈଠକ କରିବାକୁ ସିଏଜି ରାଜ୍ୟ ସରକାରଙ୍କୁ କହିଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଏପର୍ଯ୍ୟନ୍ତ କୈାଣସି ସମୀକ୍ଷା ବୈଠକ ହୋଇପାରିନାହିଁ । ଏ ସମସ୍ତ ଘଟଣା ରାଜ୍ୟ ସରକାରଙ୍କ ରାଜ୍ୟବାସୀଙ୍କ ପ୍ରତି ନକାରାତ୍ମକ ଭାବର ପରିଚୟ ଦେଉଅଛି ବୋଲି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି ।

ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଟକ ଶିଶୁ ଭବନ ଗସ୍ତ ଅବସରରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏବେ ସୁଦ୍ଧା ମାତ୍ର ଅତିରିକ୍ତ ୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇ ସରକାର ନିଶ୍ଚିନ୍ତ ହୋଇଯାଇଛନ୍ତି । ସେଠାକାର ପରିସ୍ଥିତି ବର୍ତ୍ତମାନ ଅତି ସମ୍ବେଦନଶୀଳ । ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ପରିସ୍ଥିତି କ୍ରମଶଃ ବ୍ରହ୍ମପୁର, ଢେଙ୍କାନାଳ ଓ ରାଉରକେଲା ସମେତ ସମଗ୍ର ରାଜ୍ୟକୁ ବ୍ୟାପିଲାଣି । ମାତ୍ର ମୂଖ୍ୟମନ୍ତ୍ରୀ, ତାଙ୍କ ସରକାର ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ହାତକୁ ହାତ ଉପରେ ଦେଇ ବସିଛନ୍ତି । ଆଗାମୀ ଦିନରେ ଏସରକାରଙ୍କ ସମସ୍ତ ମନୋମୁଖୀ କାର୍ଯକଳାପର ପର୍ଦ୍ଧାଫାଶ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ରାଜ୍ୟ ସରକାରଙ୍କ ମନୋମୁଖୀ ଶାସନ, ସ୍ୱାସ୍ଥ୍ୟକ୍ଷେତ୍ରରେ ଚରମ ଅବହେଳାର ପ୍ରତିବାଦରେ ବିଜେପି ଆସନ୍ତା ସେପ୍ଟେମ୍ବର ୨ ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକ୍ ଅଫିସ ସହ ସମସ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ, ଉପ ଚିକିତ୍ସା ଅଧିକାରୀଙ୍କ ଅଫିସ ସାମ୍ନାରେ ବିକ୍ଷୋଭ, ପ୍ରତିବାଦ ସଭା ଏବଂ ଘେରାଉ କରିବ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି । ଏହି ପ୍ରତିବାଦକୁ ସମସ୍ତ ଓଡିଶାବାସୀ ସମର୍ଥନ କରିବା ପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଶ୍ରୀ ସମୀର ମହାନ୍ତି ଓ ସଜ୍ଜନ ଶର୍ମା, ସଂପାଦକ ଭୃଗୁ ବକ୍ସିପାତ୍ର, ଡ.ଯତୀନ ମହାନ୍ତି ଏବଂ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!