କେରଳ ଅପେକ୍ଷା ଓଡ଼ିଶା ଲୋକଙ୍କ ହାରାହାରି ପରମାୟୁ ୧୦ ବର୍ଷ କମ୍ : ଶିଶୁ ଓ ମାତୃ ମୃତୁ୍ୟହାରରେ କିନ୍ତୁ ଆଗୁଆ

କେରଳ ଭଳି ଛୋଟିଆ ରାଜ୍ୟ ତୁଳନାରେ ଓଡ଼ିଶାରେ ଲୋକଙ୍କ ହାରାହାରି ପରମାୟୁ ଢେର୍ କମ୍ । କେବଳ ସେତିକ ନୁହେଁ ଏହି ରାଜ୍ୟ ତୁଳନାରେ ଓଡ଼ିଶାରେ କିନ୍ତୁ ମାତୃ ଓ ଶିଶୁ ମୃତୁ୍ୟହାର ଢେର୍ ଅଧିକ । ଜାତୀୟ ସ୍ତରରେ ମଣିଷର ହାରାହାରି ପରମାୟୁ ଯାହା ଏବଂ ମାତୃ ଓ ଶିଶୁ ମୃତୁ୍ୟହାରର ସ୍ଥିତି ଯେଭଳି ରହିଛି ତାହା ତୁଳନାରେ ଓଡ଼ିଶା ଢେର୍ ପଛରେ ପଡ଼ିଛି । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଛି ।
ସର୍ବଶେଷ ସରକାରୀ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶା, ଜାତୀୟ ଓ ଅନ୍ୟାନ୍ୟ ରାଜ୍ୟରେ ଲୋକଙ୍କ ହାରାହାରି ପରମାୟୁ କେତେ ବର୍ଷ ଏବଂ ଶିଶୁ ଓ ମାତୃ ମୃତୁ୍ୟହାରର ସର୍ବଶେଷ ସ୍ଥିତି କ’ଣ ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ପ•ରିଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି ଯେ କେରଳରେ ଶିଶୁ ମୃତୁ୍ୟହାର ମାତ୍ର ୧୨ ରହିଥିବା ବଳେ ଓଡ଼ିଶାରେ ଏହା ୫୧ ରହିଛି । ଜାତୀୟ ସ୍ତରରେ ଶିଶୁ ମୃତୁ୍ୟହାର ୪୦ ଥିବା ବେଳେ ଓଡ଼ିଶାରେ ଏହା ଢେର୍ ଅଧିକ । ମନ୍ତ୍ରୀ ଅନ୍ୟ ଯେଉଁସବୁ ରାଜ୍ୟର ତଥ୍ୟ ଦେଇଛନ୍ତି ସେଥିମଧ୍ୟରେ ଆସାମ ଓ ମଧ୍ୟପ୍ରଦେଶରେ ଶିଶୁ ମୃତୁ୍ୟହାର ୫୪ କରି ରହିଛି । ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ, ଅଭିବିଭକ୍ତ ଆନ୍ଧ୍ରପ୍ରଦେଶରେ ଶିଶୁ ମୃତୁ୍ୟହାର ଢେର୍ କମ୍ ରହିଛି । ତାମିଲନାଡ଼ୁରେ ଏହା ମାତ୍ର ୨୧ ଅଛି ।
ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ କେରଳରେ ମାତୃ ମୃତୁ୍ୟହାର ୬୧ ଥିବା ବେଳେ ଓଡ଼ିଶାରେ ଏହା ୨୨୨ । ଅଥଚ ଜାତୀୟ ସ୍ତରରେ ମାତୃ ମୃତୁ୍ୟହାର ୧୬୭ ଅଛି । ପଶ୍ଚିମବଙ୍ଗରେ ଏହା ୧୧୩ ଥିବା ବେଳେ ତାମିଲନାଡ଼ୁରେ ୭୯ ଓ ଆନ୍ଧ୍ରପ୍ରଦେଶରେ ୯୨ ରହିଛି । ମାତୃ ମୃତୁ୍ୟହାର କ୍ଷେତ୍ରରେ ଅବଶ୍ୟ ଆସାମ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଓଡ଼ିଶା ଠାରୁ ଆଗରେ ଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।
କେରଳରେ ପୁରୁଷମାନଙ୍କ ହାରାହାରି ପରମାୟୁ ସର୍ବାଧିକ ୭୩.୨ ବର୍ଷ ଥିବା ବେଳେ ଓଡ଼ିଶାରେ ଏହା ୬୪.୩ ବର୍ଷ ଯାହାକି ଜାତୀୟ ହାରାହାରି ପରମାୟୁ ୬୭.୩ ବର୍ଷ ଠାରୁ କମ୍ । ଅର୍ଥାତ୍ କେରଳ ଅପେକ୍ଷା ଓଡ଼ିଶାରେ ପୁରୁଷଙ୍କ ହାରାହାରି ପରମାୟୁ ୯ ବର୍ଷ କମ୍ ରହୁଛି । ତେବେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରେ ଆସାମକୁ ଛାଡ଼ିଦେଲେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ପୁରୁଷଙ୍କ ହାରାହାରି ପରମାୟୁ ଓଡ଼ିଶା ଠାରୁ ଅଧିକ ।
ଓଡ଼ିଶାରେ ମହିଳାଙ୍କ ହାରାହାରି ପରମାୟୁ ୬୭.୩ ବର୍ଷ ଥିବାବେଳେ କେରଳରେ ଏହା ୭୭.୬ ବର୍ଷ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଅର୍ଥାତ୍ କେରଳ ତୁଳନାରେ ଓଡ଼ିଶାର ମହିଳାଙ୍କ ହାରାହାରି ପରମାୟୁ ୧୦.୩ ବର୍ଷ କମ୍ । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, କର୍ଣ୍ଣାଟକ, ପଞ୍ଜାବ, ରାଜସ୍ଥାନ, ଓ ତାମିଲନାଡ଼ୁ ଆଦି ରାଜ୍ୟରେ ମହିଳାଙ୍କ ହାରାହାରି ପରିମାୟୁ ୭୦ରୁ ୭୩ ବର୍ଷ ପର୍ଯ୍ୟନ୍ତ ରହିଛି । ତେବେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆସାମରେ ମହିଳାଙ୍କ ହାରାହାରି ପରମାୟୁ ଓଡ଼ିଶା ଠାରୁ କମ୍ ।
ଓଡ଼ିଶାରେ ମଣିଷର ହାରାହାରି ପରମାୟୁ କେରଳ ଭଳି ରାଜ୍ୟ ଠାରୁ କାହିଁକି ୧୦ ବର୍ଷରୁ କମ୍ ରହୁଛି ଏବଂ ଏହି ରାଜ୍ୟ ତୁଳନାରେ ଓଡ଼ିଶାରେ କାହିଁକି ଶିଶୁ ଓ ମାତୃ ମୃତୁ୍ୟହାର ଢେର୍ ଅଧିକ ରହୁଛି ସେ ସଂକ୍ରାନ୍ତରେ କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ ରାଜ୍ୟ ସରକାର ସମୀକ୍ଷା କରିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ଓଡ଼ିଶାରେ ପୁଷ୍ଟିହୀନତା ଓ ରକ୍ତହୀନତା ସହିତ ମହିଳାମାନଙ୍କ ପ୍ରତି ହିଂସାର ସ୍ଥିତି ଯେଭଳି ଉଦ୍ବେଗଜନକ ରହିଛି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯେପରି ଚରମ ଦୁର୍ଦ୍ଧଶା ଭିତରେ ଗତି କରୁଛି ସେଥିପ୍ରତି ସରକାର ଧ୍ୟାନଦେବା ଆବଶ୍ୟକ । ଏହାଛଡ଼ା ପ୍ରତି ହାତକୁ କିଭଳି କାମ ମିଳିବ ଏବଂ ପ୍ରତି ପେଟ ପାଇଁ ସମ୍ମାନର ସହ ସୁଷମ ଖାଦ୍ୟ ବ୍ୟବସ୍ଥା ହୋଇପାରିବ ସେ ଦିଗରେ ତୃଣମୂଳ ସ୍ତରରୁ ବାସ୍ତବ ଯୋଜନା ପ୍ରଣୟନ ଓ ତାହାର ସମୟଭିତ୍ତିକ ରୂପାୟନ କରିବା ଲାଗି ଶ୍ରୀ ରାୟ ମତ ଦେବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ରାଜ୍ୟ ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ହୋଇଥିବା ବେଳେ ଏହାକୁ ଏଡ଼ାଇ ଯିବା ଯୋଗୁ ଓଡ଼ିଶାର ଲୋକେ କେରଳ ତୁଳନାରେ ଢେର୍ କମ୍ ବୟସରେ ମରୁଛନ୍ତି ଏବଂ ଶିଶୁ ଓ ମାତୃ ମୃତୁ୍ୟ ହାର ଅଧିକ ରହିବାର କଳଙ୍କ ରାଜ୍ୟକୁ ମୁଣ୍ଡାଇବାକୁ ପଡ଼ୁଛି । ସଂକୀର୍ଣ୍ଣ ରାଜନୈତିକ ପ୍ର•ର ଗଣ୍ଡିରୁ ବାହାରି “ମିଶନ୍ ମୋଡ୍’ରେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କଲେ ଏହି ଗୁରୁତର ସମସ୍ୟାର ସଫଳ ମୁକାବିଲା କରାଯାଇପାରିବ ବୋଲି ଶ୍ରୀ ରାୟ କହିଛନ୍ତି ।

Share in top social networks!