ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି

ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ଖାଲିପଡ଼ିଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଦୁଇଟି ଦୁଇଟି ପୃଥକ ପ୍ରଶ୍ନର ଉତ୍ତରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ସରକାରୁ ଅନୁଦାନପ୍ରାପ୍ତ ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟ ପାଇଁ ୯୫୨ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୪୨୬ଟି ଖାଲିପଡ଼ିଛି । ଖାଲିପଡ଼ିଥିବା ଶିକ୍ଷକ ପଦବୀ ମଧ୍ୟରେ ୮୮ଟି ପ୍ରଫେସର, ୧୨୦ଟି ପ୍ରଧ୍ୟାପକ ଓ ୨୧୮ଟି ଅଧ୍ୟାପକ ପଦବୀ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୯୫୦ଟି ଶିକ୍ଷକ ପଦବୀ ଖାଲି ଥିବା ବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୨୭ଟି । ତେବେ ଖାଲିପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ୨୫୭ଟି ଶିକ୍ଷକ ପଦବୀ ମଧ୍ୟରୁ ୧୨୭ଟି, ସମ୍ବଲପୁରର ୧୫୨ଟିରୁ ୪୯ଟି, ବ୍ରହ୍ମପୁରର ୧୫୩ରୁ ୫୨ଟି ରେଭେନ୍ସାରେ ୨୬୨ଟି ୧୫୦ଟି, ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟର ୪୮ଟିରୁ ୧୨ଟି, ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୪୨ରୁ ୧୫ଟି ଓ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୩୮ଟି ଶିକ୍ଷକ ପଦବୀ ମଧ୍ୟରୁ ୨୧ଟି ଖାଲିପଡ଼ିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ପାଇଁ ୧୨୧୦ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ଏଥିରୁ ୬୩ଟି ଖାଲି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩୮ରୁ ଅଣଶିକ୍ଷକ ପଦବୀରୁ ୮୧ଟି ଖାଲିପଡ଼ିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୪୦୯ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୨୩୩ଟି ଖାଲିପଡ଼ିଛି ।
ସେହିପରି ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଲାଗି ୫୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୧୦ଟି ଫାଙ୍କା । ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ଏହି କିସମର ୪୮ଟିରୁ ୯ ଖାଲିପଡ଼ିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀରୁ ୧୨୩ଟି ଖାଲି । ଅର୍ଥାତ୍ ମାତ୍ର ୯ ଜଣ ଅଣଶିକ୍ଷକ ପଦବୀକୁ ନେଇ •ଲିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷକ ପଦବୀ ପୂରଣ କରାଯିବା ସମ୍ପର୍କରେ କୁହାଯାଇଥିବା ବେଳେ ଅଣଶିକ୍ଷକ ପଦବୀ ପୂରଣ ବିଷୟରେ କିନ୍ତୁ କିଛି ଉଲ୍ଲେଖ କରାଯାଇନାହିଁ ।
ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ସରକାରୀ ଯୁକ୍ତ ୨ କଲେଜଗୁଡ଼ିକରେ ୧୭୨ଟି କନିଷ୍ଠ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୭୮୩ ଅଧ୍ୟାପକ ପଦବୀ ଖାଲିପଡ଼ିଛି । ସେହିଭଳି ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ୧୬୨୫ଟି ଅଧ୍ୟାପକ ପଦବୀ ଖାଲିପଡ଼ିଥିବା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ରହିଛି । ବେସରକାରୀ କଲେଜଗୁଡ଼ିକରେ ୨୨୬ଟି ଓଡ଼ିଆ ଅଧ୍ୟାପକ ପଦବୀ ଖାଲିପଡ଼ିଥିବା ବେଳେ ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୪୨ ଓ ଯୁକ୍ତ ୨ କଲେଜଗୁଡ଼ିକରେ ୨୬ଟି ଓଡ଼ିଆ ଅଧ୍ୟାପକ ପଦବୀ ଖାଲିପଡ଼ିଥିବା ମନ୍ତ୍ରୀ ଡ. ପାଣିଗ୍ରାହୀ ଦର୍ଶାଇଛନ୍ତି । ପଦାର୍ଥ ବିଜ୍ଞାନ ବିଷୟରେ ଯୁକ୍ତ ୨ କଲେଜଗୁଡ଼ିକରେ ୪୮ଟି, ସରକାରୀ ଡିଗ୍ରୀ କଲେଜରେ ୪୧ଟି ଓ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ୧୦୪ଟି ଅଧ୍ୟାପକ ପଦବୀ ଖାଲିପଡ଼ିଥିବା ବେଳେ ରସାୟନ ବିଜ୍ଞାନରେ ଯୁକ୍ତ ୨ ସରକାରୀ କଲେଜରେ ୩୮ଟି, ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୪୬ଟି ଓ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ୧୨୦ଟି ପଦବୀ ଖାଲିପଡ଼ିଛି । ଏହାଛଡ଼ା କଳା, ବିଜ୍ଞାନ ଓ ବାଣିଜ୍ୟର ପ୍ରାୟ ସବୁ ବିଷୟରେ ଅନେକ ଶିକ୍ଷକ ପଦବୀ ଖାଲିପଡ଼ିଛି । ସରକାରୀ ଯୁକ୍ତ ୨ ଓ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ପଦବୀ ପ୍ରାୟତଃ ଖାଲିପଡ଼ିଥିବା ବେଳେ ଡିଗ୍ରୀ କଲେଜଗୁଡ଼ିକ ମଧ୍ୟରୁ ଅଳ୍ପ କେତେକ ସ୍ଥାନରେ ନିୟମିତ ଅଧ୍ୟକ୍ଷ ଅଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସରକାରୀ କଲେଜଗୁଡ଼ିକ ପାଇଁ ଥିବା ୭୭୩ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୪୦୩ଟି ଖାଲିପଡ଼ିଛି । ରାଜ୍ୟରେ ଥିବା ୧୫୧୯ଟି ଯୁକ୍ତ ୨ କଲେଜରେ ୪,୫୧,୪୪୩ଜଣ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ଥିବା ବେଳେ ଅଦ୍ୟାବଧି ୩,୩୪,୭୯୧ ଜଣ ନାମାଙ୍କନ କରିଛନ୍ତି । ସେହିଭଳି ଓଡ଼ିଶାରେ ୭୧୪ଟି ଯୁକ୍ତ ୩ କଲେଜରେ ୨,୧୧,୭୧୦ ଜଣ ଛାତ୍ରଛାତ୍ରୀଙ୍କ ଲାଗି ପଢ଼ିବାର ସୁଯୋଗ ଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୧,୭୦,୦୨୬ ଜଣ ନାମାଙ୍କନ କରିଛନ୍ତି । ସେହିପରି ୩୧ଟି କଲେଜରେ ୪୬୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ଥିବା ବେଳେ ଏଯାବତ୍ ଏବର୍ଷ ୪୫୧୨ ଜଣ ନାମାଙ୍କନ କରିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଦର୍ଶାଇଛନ୍ତି ।

Share in top social networks!