ରାଜ୍ୟରେ ହାଇସ୍କୁଲଗୁଡ଼ିକରେ ୫୬୫୬ ଶିକ୍ଷକ ପଦବୀ ଖାଲି

ଆମ ରାଜ୍ୟର ହାଇସ୍କୁଲଗୁଡ଼ିକରେ ୫୬୫୬ଟି ଶିକ୍ଷକ ପଦବୀ ଖାଲିପଡ଼ିଛି । ଏଥିମଧ୍ୟରେ ୩୦୦ରୁ ଅଧିକ ପ୍ରଧାନଶିକ୍ଷକ ପଦବୀ ଅନ୍ତର୍ଭୁକ୍ତ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଓଡ଼ିଶାରେ ୪୬୨୬ଟି ସରକାରୀ, ୨୮୬୫ଟି ସାହାଯ୍ୟପ୍ରାପ୍ତ, ଓ ୨୨୦୯ଟି ବ୍ଲକ୍ ଗ୍ରାଣ୍ଟ ସମେତ ମୋଟ୍ ୯୭୦୦ଟି ହାଇସ୍କୁଲ ରହିଛି । ଏଗୁଡ଼ିକ ପାଇଁ ୫୩,୫୬୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବା ବେଳେ ସେଥିରୁ ୫୬୫୬ଟି ଶିକ୍ଷକ ପଦବୀ ଖାଲିପଡ଼ିଛି ।
ସରକାରୀ ହାଇସ୍କୁଲଗୁଡ଼ିକ ପାଇଁ ୨୯୫ଟି ଓଡ଼ିଶା ଶିକ୍ଷା ସେବାର ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୧୯୨ଟି ଖାଲିପଡ଼ିଛି । ସେହିଭଳି ସିନିଅର୍ ଏସ୍ଇଏସ୍ ପାହ୍ୟାରେ ୩୨୬୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୧୧୯୫ଟି ଖାଲି । ଏହାଛଡ଼ା ସରକାରୀ ହାଇସ୍କୁଲଗୁଡ଼ିକରେ ଆଉ ୫୦୮ଟି ଶିକ୍ଷକ ପଦବୀ ଖାଲିପଡ଼ିଛି । ସେହିଭଳି ସାହାଯ୍ୟପ୍ରାପ୍ତ ହାଇସ୍କୁଲଗୁଡ଼ିକ ଲାଗି ୬୫୬ଟି ମଞ୍ଜୁରୀପ୍ରାପ୍ତ ପ୍ରଧାନଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୧୪୦ଟି ଖାଲିପଡ଼ିଛି । ଏହାଛଡ଼ା ସାହାଯ୍ୟପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ୨୦୪୪ଟି ଶିକ୍ଷକ ପଦବୀ ଖାଲି । ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲଗୁଡ଼ିକ ପାଇଁ ୧୫,୪୬୩ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରେ ଏବେ ୧୩,୮୮୭ଜଣ କାର୍ଯ୍ୟରତ ଅଛନ୍ତି ଏବଂ ଆଉ ୧୫୭୬ ଟି ବ୍ଲକ୍ଗ୍ରାଣ୍ଟ ଶିକ୍ଷକ ପଦବୀ ହାଇସ୍କୁଲମାନଙ୍କରେ ଖାଲି ପଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

Share in top social networks!