ଓଡ଼ିଶାରେ ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ

oddଓଡ଼ିଶାରେ ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ । ନିରକ୍ଷରଙ୍କ ମଧ୍ୟରୁ ପ୍ରାୟ ୬୮ ପ୍ରତିଶତ ହେଉଛନ୍ତି ମହିଳା ଓ ୫୨ ପ୍ରତିଶତରୁ ଅଧିକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର । ରାଜ୍ୟର ସାକ୍ଷରତା ସମ୍ପର୍କରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ମୋଟାମୋଟି ଭାବେ ସମଗ୍ର ରାଜ୍ୟରେ ୧,୦୧,୯୯,୫୩୨ ଜଣ ନିରକ୍ଷର ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୬୯,୨୭,୦୯୮ ଓ ପୁରୁଷଙ୍କ ସଂଖ୍ୟା ୩୨,୭୨,୪୩୪ । ସେହିଭଳି କୋଟିଏରୁ ଅଧିକ ନିରକ୍ଷରଙ୍କ ମଧ୍ୟରେ ଅଛନ୍ତି ଅନୁସୂଚିତ ଜାତି ବର୍ଗର ୨୮,୯୬,୧୯୩ ଓ ଅନୁସୂଚିତ ଜନାଜତି ବର୍ଗର ୫୩,୭୩,୭୪୨ ଜଣ । ଅର୍ଥାତ୍ ରାଜ୍ୟର ମୋଟ୍ ନିରକ୍ଷର ସଂଖ୍ୟାର ୮୧ ପ୍ରତିଶତ ରହିଛନ୍ତି ଏହି ଦୁଇଟି ବର୍ଗରେ ।
ଗଣଶିକ୍ଷା ମନ୍ତ୍ରୀ ପୁଣି କହିଛନ୍ତି ଶତକଡ଼ା ୫୦ ଭାଗରୁ କମ୍ ମହିଳା ସାକ୍ଷରତା ହାର ଅନୁଯାୟୀ ସାକ୍ଷର ଭାରତ ଯୋଜନାରେ ସାମିଲ ହୋଇଥିବା ରାଜ୍ୟର ୧୯ ଟି ଜିଲ୍ଲାର ୨୭.୭୭ ଲକ୍ଷ ନିରକ୍ଷର ଥିବା ଆକଳନ କରାଯାଇଛି । ଏହି ନିରକ୍ଷରମାନଙ୍କୁ ଆସନ୍ତା ୨୦୧୭ ମାର୍ଚ୍ଚ ସୁଦ୍ଧା ସାକ୍ଷର କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ସେ ସୂ•ଇଛନ୍ତି ।
ନିରକ୍ଷରତା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ସେଥିରେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ନିରକ୍ଷରତା ହାର ଅଧିକ ରହିଥିବା ବେଳେ ମହିଳା ନିରକ୍ଷରତା ହାର ଉଦ୍ବେଗଜନକ ସ୍ଥିତିରେ ରହିଛି । ମହିଳା ନିରକ୍ଷରତା କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ସବୁଠାରୁ ଆଗରେ ଥିବା ଜଣାପଡ଼ିଛି ।

Share in top social networks!