ଓଡ଼ିଶାକୁ ଆସୁଛନ୍ତି ୧ ପ୍ରତିଶତରୁ କମ୍ ବିଦେଶୀ ପର୍ଯ୍ୟଟକ: ତଥାପି ବି ଜିଏସ୍ଡିପି କ୍ଷେତ୍ରରେ କୃଷି ଅପେକ୍ଷା ପର୍ଯ୍ୟଟନ ଆଗରେ

ଭାରତକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ତାହାର ୧ ପ୍ରତିଶତରୁ କମ୍ ଓଡ଼ିଶାକୁ ଆସିଥାନ୍ତି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଏହା ଜଣାପଡ଼ିଛି ।

୨୦୧୦ ବର୍ଷରେ ସମଗ୍ର ଦେଶକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଥିଲେ ଓଡ଼ିଶାକୁ ତାହାର ମାତ୍ର ୦.୮୭ ପ୍ରତିଶତ ଆସିଥିବା ବେଳେ ୨୦୧୨ ଓ ୨୦୧୪ ବର୍ଷରେ ଏହା ଯଥାକ୍ରମେ ୦.୯୭ ଓ ୦.୯୩ ପ୍ରତିଶତ ଥିଲା । ୨୦୧୧, ୨୦୧୩ ଓ ଚଳିତ ବର୍ଷର ମେ’ ମାସ ସୁଦ୍ଧା ଭାରତକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ତାହାର ମାତ୍ର ୦.୯୬ ପ୍ରତିଶତ ଓଡ଼ିଶା ଆସିଥିବା ଜଣାପଡ଼ିଛି । ତେବେ ଏହି ୬ ବର୍ଷ ମଧ୍ୟରେ କୌଣସି ବର୍ଷ ସାରା ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ୧ ପ୍ରତିଶତ ବି ଓଡ଼ିଶାକୁ ଆସିନାହାନ୍ତି ।

ଅନ୍ୟପକ୍ଷରେ କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କିଛି ମାତ୍ରାରେ ବୃଦ୍ଧି ପାଉଛି । ୨୦୧୦ ବର୍ଷରେ ଭାରତକୁ ୫୭,୭୫,୬୯୨ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଓଡ଼ିଶାକୁ ଆସିଛନ୍ତି ୫୦,୪୩୨ । ୨୦୧୪ ବର୍ଷରେ ଆମ ଦେଶକୁ ୭୭,୦୩,୩୬୮ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ଥିଲା ୭୧,୪୨୬ । ଚଳିତ ବର୍ଷର ମଇ ମାସ ସୁଦ୍ଧା ଭାରତକୁ ୩୩,୩୨,୦୦୦ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଏହି ସମୟ ମଧ୍ୟରେ ଓଡ଼ିଶାକୁ ଆସିଛନ୍ତି ମାତ୍ର ୩୨,୦୧୦ ବିଦେଶୀ ପର୍ଯ୍ୟଟକ ।

ପର୍ଯ୍ୟଟନ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଓଡ଼ିଶାରେ ଓଡ଼ିଆ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ବୃଦ୍ଧି ପାଇଥିବା ବେଳେ ଅନ୍ୟ ରାଜ୍ୟରୁ ଓଡ଼ିଶା ଆସୁଥିବା ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷ ବଢ଼ିଛି । ଏ କ୍ଷେତ୍ରରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ୫ ବର୍ଷରେ ମାତ୍ର ୧୯ହଜାର ବଢ଼ିଥିବା ଜଣାପଡ଼ିଛି । ୨୦୧୦-୧୧ ବର୍ଷରେ ଓଡ଼ିଶାରେ ୪୬,୭୧,୮୭୬ ଓଡ଼ିଆ ପର୍ଯ୍ୟଟକ ୩୦,୯୮,୮୬୫ ରାଜ୍ୟ ବାହାରର ଦେଶୀୟ ପର୍ଯ୍ୟଟକ ଓ ୫୩,୨୧୨ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ୍ ୭୮,୨୩,୯୫୩ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାଇଥିଲେ ।

ତେବେ ୨୦୧୪-୧୫ ବର୍ଷରେ ଓଡ଼ିଶା ଭିତରେ ୬୬,୩୦,୪୯୯ ଓଡ଼ିଶାର ପର୍ଯ୍ୟଟକ ଥିବାବେଳେ ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଥିଲେ ୪୪,୨୦,୮୫୨ ଓ ବିଦେଶରୁ ଆସିଥିଲେ ୭୨,୨୧୫ ପର୍ଯ୍ୟଟକ । ଅର୍ଥାତ୍ ଗତ ଆର୍ଥôକ ବର୍ଷରେ ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବୁଲିଯାଇଥିଲେ ମୋଟ୍ ୧,୧୧,୨୩,୫୬୬ ପର୍ଯ୍ୟଟକ । ଚଳିତ ଆର୍ଥିକ ବର୍ଷର ମଇ ମାଓ ପର୍ଯ୍ୟନ୍ତ ୧୦,୧୫,୩୩୩ ଜଣ ଆମ ରାଜ୍ୟର ପର୍ଯ୍ୟଟକ, ୬,୭୬,୯୬୬ ଅନ୍ୟ ରାଜ୍ୟର ଦେଶୀୟ ପର୍ଯ୍ୟଟକ ଓ ୯,୩୧୮ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ୍ ୧୭,୦୧,୬୧୭ ଜଣ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଆସିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ପର୍ଯ୍ୟଟନ ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି ଯେ ୨୦୧୪-୧୫ ତଥ୍ୟ ଅନୁଯାୟୀ ଓଡ଼ିଶାର ମୋଟ୍ ଆଭ୍ୟନ୍ତରୀଣ ଉତ୍ପାଦନ ବା ଜିଏସ୍ଡିପିର ୧୩.୧୯ ପ୍ରତିଶତ ଏବଂ ଏନ୍ଏସ୍ଡିପିର ୧୫.୮୦ ପ୍ରତିଶତ ପର୍ଯ୍ୟଟନରୁ ଆସିଛି ।

ଅନ୍ୟପକ୍ଷରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ୨୦୧୪-୧୫ ବର୍ଷର ତଥ୍ୟ ଅନୁଯାୟୀ ଓଡ଼ିଶାର ଜିଏସ୍ଡିପିର ୧୨.୩୩ ପ୍ରତିଶତ ଓ ଏନ୍ଏସ୍ଡିପିର ୧୫.୭୨ ପ୍ରତିଶତ ପର୍ଯ୍ୟଟନରୁ ଆସିଛି । ଏହି ଦୁଇ ମନ୍ତ୍ରୀଙ୍କ ଉତ୍ତରରୁ ଏ କଥା ସ୍ପଷ୍ଟ ହୋଇଛି ଯେ ଜିଏସ୍ଡିପି ଓ ଏନ୍ଏସ୍ଡିପି ହିସାବରେ ଓଡ଼ିଶାରେ କୃଷିରୁ ଆୟ କମୁଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ଏହା ଅଧିକ ରହିଛି ।

Share in top social networks!